Unknown

 

 

 

 

 

 

 

 

ମାୟାବୀ ସପ୍ତମ ଖଣ୍ଡ

(ତୃତୀୟ ଭାଗ)

ଶ୍ରୀ ଗୋବିନ୍ଦ ତ୍ରିପାଠୀ

 

୧୯

 

‘‘ଏ ଗୋରାବୋଉ ମାଉସୀ, ଚାକର ବାକର ଗୁଡ଼ାକ ସରୁସୂକ୍ଷ୍ମ ଲୁଗା ପିନ୍ଧି ଲହର ସଫର ହଉଚନ୍ତି । ଆଉ ତୁମେ ଏପରି ଛିଣ୍ଡାକନା ଖଣ୍ଡେ ଗୁଡ଼େଇ ହେଇଚ କେନେମ’’ ପ୍ରମିଳା ଦେବୀ ଗୋରାବୋଉଙ୍କୁ ଡାକି ଏକଥା କହିଲେ । ଗୋରାବୋଉ ପ୍ରମିଳାଙ୍କର ଜଣେ ଗରିବ ଆତ୍ମୀୟ । ବାଳବିଧବା ସେ । ପ୍ରମିଳାଙ୍କର ପିତା ଦୟାପାଇ ତାଙ୍କୁ ଘରେଆଣି ରଖିଥିଲେ । ସେଇଦିନୁ ସେ ଏଠାରେ ଅଛନ୍ତି । ସରୋଜିନୀ ଦେବୀ ବଞ୍ଚିଥିଲାବେଳେ ମଧ୍ୟ ଘରର ପ୍ରକୃତ ମାଲିକ ଥିଲେ ଏଇ ଗୋରାବୋଉ । ସେ ବାଳବିଧବା, ଅଥଚ ତାଙ୍କୁ ଗୋରାବୋଉ ବୋଲି ଡାକିବା ଟିକିଏ ବିଚିତ୍ର ଶୁଣା ଯାଉଥିବ କାହାକୁ ନିଶ୍ଚୟ । ଅସଲ କଥା କଣକି, ସେ ଗୋଟିଏ ମା’ଛେଉଣ୍ଡ ପିଲା ପାଳିଥିଲେ ‘‘ତାର ନା’ ଗୋରା’’ ତାଙ୍କର ଋଦ୍ଧ ହୃଦୟର ସମସ୍ତ ସ୍ନେହ ସେ ଅଜାଡ଼ି ଦେଇଥିଲେ ଏଇ ପିଲାଟି ଉପରେ । ସେ ପ୍ରମିଳା ଜନ୍ମହବାର ଆଗକଥା । ପ୍ରମିଳା ଜନ୍ମ ହବାକୁ ମାସ ଦୁଇ ଥାଏ, ସେ ପିଲାଟି ମଧ୍ୟ ତାଙ୍କୁ ଫାଙ୍କିଦେଇ ପାଞ୍ଚବର୍ଷ ବୟସରେ ଚାଲିଗଲା । ତା’ପରେ ପ୍ରମିଳାର ଜନ୍ମ । ଗୋରାବୋଉଙ୍କର ଶୁଖିଆସିଥିବା ପ୍ରାୟ ହୃଦୟ ପ୍ରମିଳାର ମୁହଁକୁ ଚାହିଁ ପୁଣି ସରସ ହୋଇ ଉଠିଲା । ସେ ଗୋରାକୁ ଯେପରି ଭଲ ପାଉଥିଲେ, ତାର ଦୁଇଗୁଣ ଉତ୍ସାହରେ ପ୍ରମିଳାଙ୍କୁ ଭଲ ପାଉଥିଲେ । ପିଲାଦିନେ ପ୍ରମିଳା ଥିଲେ ଟିକିଏ ଦୁଷ୍ଟ । ମା’ ଯଦି କିଛି ରାଗିକରି କହନ୍ତି ତାଙ୍କୁ ତା’ହେଲେ ଗୋରାବୋଉ ତାଙ୍କ ସାଙ୍ଗରେ ଦାନ୍ତକୁ ଦାନ୍ତ ଲଗେଇ ମିଶିଯାନ୍ତି । ଶେଷରେ ଏପରି ହେଲା ଯେ ତାଙ୍କ ଆଗରେ ପ୍ରମିଳାଙ୍କୁ କେହି ଆକଟ ସୁଦ୍ଧା କରନ୍ତି ନାହିଁ । ପ୍ରମିଳା ମଧ୍ୟ ତାଙ୍କୁ ସେହିପରି ଆଦରି ଯାଇଥିଲେ । ଖୁବ୍‌ ଅଜଟ ହୋଇ କାନ୍ଦିଲାବେଳେ, ଏକମାତ୍ର ଗୋରାବୋଉ ତାଙ୍କୁ ବୁଝେଇ ତୁନିକରି ପାରୁଥିଲେ । ଏସବୁ ଦେଖିଶୁଣି ସରୋଜିନୀ ଦେବୀଙ୍କର ପ୍ରଥମେ ଟିକିଏ ଈର୍ଷା, ଟିକିଏ ରାଗ ମଧ୍ୟ ହୋଇଥିଲା । କିନ୍ତୁ ପରେ ଯେତେବେଳେ ସେ ଗୋରାବୋଉଙ୍କର ନିଃସ୍ୱାର୍ଥ ସ୍ନେହ ବୁଝିଲେ, ତାଙ୍କ ମନରେ ଆଉ ଦୁଃଖ ରହିଲାନାହିଁ । ଗୋରାବୋଉ ତ ଆଗରୁ ଘର ସଂସାରର ବୋଝ ନିଜ ମୁଣ୍ଡରେ ବୋହି ନେଇଥିଲେ । ବର୍ତ୍ତମାନ ପ୍ରମିଳାର ପ୍ରାୟ ସମସ୍ତ ଭାର ତାଙ୍କରି ଉପରେ ପଡ଼ିଲା । ଏପରି କି ପ୍ରମିଳାଙ୍କୁ ଗୋରାବୋଉ ଜିମାଦେଇ ସ୍ୱାମୀ ଗସ୍ତ ଗଲାବେଳେ ସେ ତାଙ୍କ ସାଙ୍ଗରେ ଯାଇ ଚାରିଦିନ ପର୍ଯ୍ୟନ୍ତ ମଫସଲ ଡାକ ବଙ୍ଗଳାରେ କଟାଇ ଆସୁଥିଲେ । ପ୍ରମିଳା ମଧ୍ୟ ଦିନେ ଓଳିଏ ମା’ଙ୍କୁ ଖୋଜନ୍ତି ‘‘ତା’ପରେ ଗୋରାବୋଉଙ୍କ ସ୍ନେହରେ ସବୁ ଭୁଲିଯାଇ ଖେଳରେ ମାତି ଯାନ୍ତି ।’’ ଏହିପରି ଭାବରେ ଗୋରାବୋଉଙ୍କର ଦିନକାଳ ସୁରୁଖୁରୁରେ କଟି ଯାଉଥାଏ । ତାଙ୍କ ମନରେ ଗୋଟିଏ ମାତ୍ର ଦୁଃଖ ଯେ ପ୍ରମିଳା ବିବାହ କରିଥାନ୍ତେ, ସେ ଟିକିଏ ଜୋଇଁମୁହଁ ଦେଖିଥାନ୍ତେ । କିନ୍ତୁ ତାଙ୍କର ଏ ଇଚ୍ଛାମୂଳରେ ପ୍ରମିଳାଙ୍କୁ ପାଖଛଡ଼ା କରିବାର ଅଭିଳାଷ ଟିକିଏ ମାତ୍ର ନଥିଲା । ସେ ଖାଲି କହୁଥିଲେ ‘‘କେନ ଗୋ, ଆମର କିସ ନାହିଁ ଯେ ପ୍ରମିଳାଙ୍କୁ ଗୋଟିଏ ବଡ଼ଲୋକ ଘରେ ଦେଇ ପାଖଛଡ଼ା କରିଦେବ ? ଗୋଟିଏ ସୁନ୍ଦର ଗରିବ ପିଲାଦେଖି ତାକୁ ବାହା କରିଦିଅ । ଜୋଇଁ ଝିଅ ଘରେ ରହିବେ, ମୋ ଆଖି କୃତାର୍ଥ ହୋଇଯିବ।’’ ସରୋଜିନୀ ଦେବୀଙ୍କ ମନରେ ଏ ପ୍ରଲୋଭନଟା ଯେ ଗୋଳମାଳ ଆଣୁ ନଥିଲା, ତାହା କହିବା ଅସଙ୍ଗତ ହେବ । ତେବେ ସେ ସ୍ୱାମୀଙ୍କର ଶେଷବେଳର ଇଚ୍ଛା ସ୍ମରଣ କରି, ନିଜ ହୃଦୟର ଅଭିଳାଷକୁ ଦବେଇ ରଖୁଥିଲେ । ଏଇ ଗୋଟିଏ ବିଷୟ ନେଇ ସରୋଜିନୀ ଦେବୀ ଓ ଗୋରାବୋଉଙ୍କ ସଙ୍ଗରେ କେତେଥର କଳିଗୋଳ ହୋଇଯାଇଚି । କେତେଥର ଗୋରାବୋଉ ‘‘ବ୍ରାହ୍ମଣଘରେ ବଢ଼ିଲା କନ୍ୟା ବିବାହ ହବା କିଏ କେବେ ଶୁଣିଥିଲ ? ଶାସ୍ତ୍ରରେ ଅଛି ଅଭିଆଡ଼ି ଝିଅ ବାପଘରେ ବଢ଼ିଲେ ପିତୃ ପୁରୁଷ ପିଣ୍ଡ ପାନ୍ତି ନାହିଁ । ଏ ମହାପାପ, ମୁଁ ବାବୁ ଏ ପାପରେ ଭାଗି ହେବିନାହିଁ । ଏଡ଼େବଡ଼ ଝିଅଟା ଅଭିଆଡ଼ି ରହି ଯେ ନିଃଶ୍ୱାସ ପକେଇବ, ତା’ର ଫଳ ମୁଁ ମୁଣ୍ଡେଇ ପାରିବି ନାହିଁ । ମୁଁ ଏଥର ନିଶ୍ଚୟ ଚାଲିଲି ପୁରୀ ‘‘ତୁମ ଝିଅ, ତୁମ ପାପ ନେଇ ତୁମେ ଥାଅ’’ କହି ପେଡ଼ି ପେଟରା ବାନ୍ଧିଚନ୍ତି, କିନ୍ତୁ ଘରୁ ଗୋଡ଼ କାଢ଼ି କୌଣସି ଆଡ଼େ ଟିପୁଟିଏ ମାତ୍ର ଯାଇ ନାହାନ୍ତି । ସେଇ ଅଭିଆଡ଼ି ପ୍ରମିଳା, ସେଇ ପାପ, ସେଇ, ନିଃଶ୍ୱାସକୁ ମୁଣ୍ଡରେ ଲଦି ସେଇ ଘରେ ମୁଣ୍ଡଗୁଞ୍ଜି ପୁଣି ପଡ଼ିରହନ୍ତି । ସରୋଜିନୀ ଦେବୀ ଯଦି ଥଟ୍ଟାକରି ତାଙ୍କୁ ଏକଥା କହନ୍ତି, ତା’ହେଲେ ଜବାବ ଆସେ ‘‘ବୁଝିଚି ଗୋ ବୁଝିଚି’’ ମୁଁ ତ ହୋଇଚି କଣ୍ଟକ । ମୁଁ ଏ ଘରୁ ଗଲେ ତୁମେ ଆଉରି ଗୋଟାଏ ବାହା ହୋଇ ପଡ଼ନ୍ତ । ମୁଁ ତୁମକୁ ହାଡ଼େ ହାଡ଼େ ଚିହ୍ନେ । ତୁମେମାନେ ବତେଇବ କ’ଣ ?’’ ତା’ପରେ ସରୋଜିନୀ ଦେବୀ ତାଙ୍କୁ ଛାଞ୍ଚୁଣି ମୁଠା ଘେନି ଗୋଡ଼ାନ୍ତି, ଆଉ ସେ କିରି କିରି ହସି ପଳାଇ ଯାନ୍ତି ବାଡ଼ିଆଡ଼କୁ । ଏହିପରି ଭାବରେ ସୁରୁଖୁରୁରେ ଦିନ କଟି ଯାଉଥିଲା । ‘‘ତା’ପରେ ସରୋଜିନୀ ଦେବୀ ଏ ଇହସଂସାରର ଦୁଃଖ କଷ୍ଟ ଫୋପାଡ଼ି ଦେଇ ତାଙ୍କର ପ୍ରିୟତମ ସ୍ୱାମୀଙ୍କ ପାଖକୁ ଚାଲିଗଲେ ।’’ ସେତେବେଳେ ଗୋରାବୋଉ ଏଣେ କାନିରେ ଲୁହ ପୋଛୁଥାନ୍ତି, ତେଣେ ଘରସଂସାର, ଶୁଦ୍ଧ ଶ୍ରାଦ୍ଧର ସମସ୍ତ ଯୋଗାଡ଼ କରୁଥାନ୍ତି-। ସେ ତାଙ୍କ ପକ୍ଷରେ କିଛି ବଡ଼କଥା ନଥିଲା । କାରଣ ଚାକର ବାକର ତାଙ୍କୁହିଁ ସାନ୍ତାଣୀ ବୋଲି ଜାଣିଥାନ୍ତି । ଏପରି କି ଦାଣ୍ଡରୁ ଗୁମାସ୍ତା ମୋହରିରମାନେ ଘର ବିଷୟରେ ତାଙ୍କୁହିଁ ପଚାରନ୍ତି ସିନା ସରୋଜିନୀ ଦେବୀଙ୍କୁ ବଡ଼ ବେଶୀ କେହି ସେସବୁ ବିଷୟରେ ବିରକ୍ତ କରନ୍ତି ନାହିଁ-। କାହିଁ କଦବା ଯେବେ କେହି ଘର ବିଷୟରେ ତାଙ୍କୁ କ’ଣ ପଚାରେ ତା’ହେଲେ ସେ କହିଦିଅନ୍ତି ‘‘ଗୋରାବୋଉଙ୍କୁ ପଚାର,ମୁଁ ସେ ସବୁର କି ଜାଣେ ?’’

 

ଗୋରାବୋଉଙ୍କର ବର୍ତ୍ତମାନ ବୟସ ପ୍ରାୟ ଚଉତ୍ରିଶ କି ପଞ୍ଚତ୍ରିଶ ହବ । ବଳି ଦେଲାପରି କଇଁଫୁଲ ରଙ୍ଗ ଦେହଟିରେ ଓ ଲମ୍ବା ଲମ୍ବା ଓସାରିଆ ୨ ଆଖି ଦୁଇଟିରେ ଅକ୍ଷୁର୍ଣ୍ଣ ଓ ଅବୁକ୍ତ ଯୌବନର ତରଳ ଚଞ୍ଚଳ ଲାବଣ୍ୟ ପ୍ରଭା ଏପର୍ଯ୍ୟନ୍ତ ମଧ୍ୟ ଟିକିଏ ଟିକିଏ ଲାଗି ରହିଚି । ନାନା ବାର ବ୍ରତ ଓଷା ନିୟମରେ ସେ ଦେହଟାକୁ ଶୁଖାଇବାପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ଯୌବନର ଉଷ୍ଣ ରକ୍ତ ଏକାବେଳକେ ଶୀତଳ ହୋଇ ପାରି ନାହିଁ । ସେ ନିଜେ ଏକଥା ଅନୁଭବ କରନ୍ତି ବେଳେ ବେଳେ । ସେତେବେଳେ ତାଙ୍କ ମୁହଁ ଲାଜ ସିନ୍ଦୂର ହୋଇଯାଏ । ଆଉ ସେ ଏହାକୁ ଦବାପାଇଁ ଯେତେ ଦୂର ପାରନ୍ତି ସବୁ ବିଳାସ ବ୍ୟସନ ଛାଡ଼ି ଦେଇଚନ୍ତି । ଏପରି କି ସଫା ଲୁଗା ଖଣ୍ଡେ ପିନ୍ଧିବାର ତାଙ୍କୁ କେହି କେବେ ଦେଖି ନାହାନ୍ତି । ମୁଣ୍ଡରେ ମାସେ ଦିମାସରେ ଥରେ ତେଲ ହାତ ବାଜେ କି ନାହିଁ । ସେ ଘରର ମାଲିକ ହେଲେ ମଧ୍ୟ ସାନ୍ତାଣୀଙ୍କ ଖନ୍ଦାରେ କେବେ ଖାଆନ୍ତି ନାହିଁ । ଚାକର ବାକରଙ୍କପାଇଁ ଯେ ମୋଟା ଭାତ, ମୋଟା ଡାଲି ତରକାରି ହୁଏ ସେଇ ତାଙ୍କର ଯଥେଷ୍ଟ । କହିଲେ ଜବାବ ଦିଅନ୍ତି ‘‘ମୋ ବାପ ଗୋସେଇଁ ବାପତ ଦିନେ ହେଲେ ସରୁ ଚାଉଳ ଖାଇବାକୁ ପାଇନାହାନ୍ତି । ଆଉ ମୁଁ ଇଲେ ଖାଇବି । ବେଙ୍ଗ ପେଟରେ ଘିଅ କି ପାରହୁଏ ଲୋ ମା’’-। ସରୋଜିନୀ ଦେବୀ ପ୍ରକୃତ କଥାଟା ବୁଝୁଥିଲେ । ସେଥିପାଇଁ ସେ ୟାଙ୍କୁ ଏସବୁ ବିଷୟରେ ବାଧ୍ୟ କରୁନଥିଲେ । ପ୍ରମିଳାତ ଟୋକି, ସେ ଏତେକଥା ବୁଝିବେ କାହୁଁ ? ସେ ବେଳେ ବେଳେ ବଡ଼ ଖପା ହୁଅନ୍ତି ବଡ଼ ଅଭିମାନ କରନ୍ତି । ସେତେବେଳେ ଦିନେ ଦିଦିନପାଇଁ ଗୋରାବୋଉ ଖାସ୍‍ ଖନ୍ଦାରେ ଖାନ୍ତି । ତା’ପରେ ଯେଉଁ କଥାକୁ ସେଇକଥା ।

 

ଗୋରାବୋଉ ସୁନ୍ଦରୀ, କିନ୍ତୁ ତାଙ୍କୁ କେହି କେବେ ସୁନ୍ଦରୀ ବୋଲି କହି ନାହିଁ । ସାଇପଡ଼ିଶା, ଗାଁ ଗଣ୍ଡା ଚାକର ବାକର ସମସ୍ତଙ୍କ ପାଖରେ ସେ ଗୋରାବୋଉ । ଚିରଦିନ ଏହିପରି ଅଛନ୍ତି, ଚିରଦିନ ଏହିପରି ରହିଥିବେ । ସେ ଯେ କେବେ ଉଦ୍ଦାମ ଯୌବନର ଉଦ୍ୟତ ଶକ୍ତି ଅନୁଭବ କରିଚନ୍ତି କି କେବେ ଯେ ସେ ଚମ ଧୁଡ଼ୁଧୁଡ଼ୁ ପାକଲା ବାଳି ପାକୁଆ ପାଟି ବୁଢ଼ୀ ହୋଇଯିବେ–ଏକଥା କାହାରିମନରେ କେବେ ଆସିନାହିଁ ।

 

ପ୍ରମିଳାଙ୍କର କଥା ଶୁଣି ଗୋରାବୋଉ ହସିଦେଇ କହିଲେ ‘‘ମଲା ଯା ବାଳରୁ ସାଁ ବାଳତ ଆସି ହେଲା, ମୋର ଏହିପରି ଚଳିଯାଇଚି । ଆଜି ଆଉ ଏ ମରିବା ବୟସରେ ଚହଟ ଚିକ୍କଣ ଲୁଗାପିନ୍ଧି କୁ ନାଗରର ମନ ଭୁଲେଇବି ଲୋ ?’’ ପ୍ରମିଳା କେତେଥର ଏପରି ଆପତ୍ତି କରିଚନ୍ତି, ସବୁ ଥରକ ଏହି ଜବାବଟା ଶୁଣିଚନ୍ତି, ସେ ଆଉ କିଛି ନକହି ତାଙ୍କର ସିଲେଇ କାମରେ ଲାଗିଗଲେ । ଗୋରାବୋଉ ଟିକିଏ ଦୂରରେ ବସି ନଖବଳିତା କାଟୁଥାନ୍ତି ।

 

ଏପରି ସମୟରେ ହଠାତ୍‌ ଶ୍ୟାମବାବୁ ଆସି ଦୁଆର ମୁହଁରେ ହାଜର ହୋଇଗଲେ । ପ୍ରମିଳା ତାଙ୍କୁ ଦେଖି ଖାଲି ଛାତି ଉପର ଲୁଗାଟାକୁ ଟିକିଏ ଟାଣିଦେଇ ପୁଣି ତାଙ୍କ ସିଲେଇ କାମରେ ଲାଗିଗଲେ, ଯେପରି କି ଶ୍ୟାମବାବୁଙ୍କର ଛାଇ ମଧ୍ୟ ସେଠାରେ ପଡ଼ି ନାହିଁ । କିନ୍ତୁ ଗୋରାବୋଉ ଉଠିପଡ଼ି ଅଣ୍ଟାରେ ଦି ହାତ ରଖି ଗର୍ଜନ କରି ଉଠି କହିଲେ, ‘‘ତୁ କିଏରେ ? କହା ବୋଲା ନାଇଁ, ମାଈପି ମହଲରେ ପଶିବାକୁ ତୁ କିଏରେ ! ଘରେ ସମର୍ଥ ଟୋକିଟା, ସଜରେ ବସିଥିବ କି ଅସଜରେ ବସିଥିବ, ନିଆଁଲଗାଙ୍କ ମନରେ କି ସେତକ ପଶୁଚି ?’’

 

ଶ୍ୟାମବାବୁ ଯଦି ଏ ଘରେ କାହାରିକୁ ପ୍ରକୃତରେ ଡରନ୍ତି, ତା’ହେଲେ ସେ ଏଇ ଗୋରାବୋଉକୁ । କିନ୍ତୁ ସେ ତାଙ୍କ ମୁଖରୁ ଏପରି ଭର୍ତ୍ସନା କେବେ ଶୁଣି ନଥିଲେ, କାରଣ ଏପରି ଅଜଣା ଅଶୁଣା ସେ କେବେ ଅନ୍ଦର ମହଲକୁ ଆସି ନଥିଲେ । ଆଜି ହଠାତ୍‌ ଏପରି ଗାଳି ଶୁଣି ତାଙ୍କର ଦିହ ରାଗି ଉଠିଲା । ସେ କହିଲେ, ‘‘କି ଛୋଟ ମୁହଁରେ ବଡ଼ କଥା ! ଇଚ୍ଛାକଲେ ଏଇଲେ ଯୋତା ମାରି ବାହାର କରି ଦେବି ।’’

 

ପ୍ରମିଳା ଏପର୍ଯ୍ୟନ୍ତ ଚୁପ୍‌ ହୋଇ ଶୁଣୁଥିଲେ ସବୁ । ସେ ସହି ନ ପାରି କହିଲେ, ‘‘ମୁହଁ ସମ୍ଭାଳି କଥା କୁହନ୍ତୁ ଶ୍ୟାମବାବୁ । ଦେଖନ୍ତୁ ଯେପରି ଯେ ଜୋତାର ଭୟ ଦେଖଉଚନ୍ତି, ସେ ଜୋତା ଆପଣଙ୍କ ପିଠିରେ ନପଡ଼େ ।’’

 

ହୋମ ନିଆଁରେ ଘୃତ ଆହୁତି ହେଲା ଏତକ । ଶ୍ୟାମବାବୁ ନାଲେ ନାଲେ ଆଖି କରି କହିଲେ, ‘‘ଏତେ ଦୂର ଆସ୍ପର୍ଦ୍ଧା ! ମୋତେ ଜୋତା ମାଡ଼ର ଭୟ । ଗୋଟାଏ ଚାପୁଡ଼ାରେ ଦି ପାଟି ଦାନ୍ତ ଝାଡ଼ିଦେବି । ସେ ଫେରେ କହେ ମୋତେ ଜୋତା ମାଡ଼ ଦବ ।’’ ଏହା କହି ସେ ପ୍ରମିଳାଙ୍କ ଆଡ଼କୁ ସୁହୁସିଗଲେ । ରାଗର ଦାଉରେ ସେତେବେଳେ ସେ ଭୁଲିଗଲେ ଯେ ଏଇ ପ୍ରମିଳାଙ୍କୁ ବିବାହ କରିବାରେ ହିଁ ତାଙ୍କର ମୁକ୍ତି, ସୁତରାଂ ପ୍ରମିଳାକୁ ଖୋସାମଦ୍ଦରେ ବଶୀଭୂତ କରିବାକୁ ହବ । ସେତେବେଳେ କେବଳ ପ୍ରମିଳାଙ୍କ ପ୍ରତି ତାଙ୍କ ଅନ୍ତରତମ ପ୍ରଦେଶର ଋଦ୍ଧ, ଘୃଣା ଓ ଈର୍ଷା ତାଙ୍କର ମନ, ଆତ୍ମା ସବୁକୁ ବୁଡ଼େଇ ଦେଇଥିଲା । ସେ ପ୍ରମିଳାଙ୍କ ପାଖ ହେଲା ବେଳକୁ ପ୍ରମିଳା ଚୌକି ଉପରୁ ଉଠି ଠିଆହେଲେ ଏବଂ ଶ୍ୟାମବାବୁ କିଛି କରିବା ପୂର୍ବରୁ ସପାଟ୍‌ କରି ଗୋଟିଏ ଚାପୁଡ଼ା ତାଙ୍କ ଗାଲକୁ କଶିଦେଲେ । ଶ୍ୟାମବାବୁ ଏପାଇଁ ପ୍ରସ୍ତୁତ ନ ଥିଲେ । ସେ ଭାବିଥିଲେ ତାଙ୍କ ଆଡ଼କୁ ମିଶିଗଲେ, ପ୍ରମିଳା ଭୟରେ ଜାକି ଜୁକି ହୋଇ ପଳାଇଯିବେ । ହଠାତ୍‌ ଏ ପ୍ରକାର ପ୍ରତିଶୋଧ ପାଇ ସେ ଟିକିଏ ଦମକି ଗଲେ । ସେତିକି ବେଳକୁ ଗୋରାବୋଉ ଗୋଟିଏ ଛାଞ୍ଚୁଣି ଉଠାଇ ତାଙ୍କ ପିଠିକୁ ପାହାରେ ଦେଲେ । ସେ ଏହିପରି ଉଭୟ ଆଡ଼ୁ ଆକ୍ରାନ୍ତ ହୋଇ ଯୁଦ୍ଧରୁ ପୃଷ୍ଠଭଙ୍ଗ ଦବାହିଁ ବିବେକୀ ଲୋକର କର୍ତ୍ତବ୍ୟ ଭାବି ପଳାଇଗଲେ ।

Image

 

୨୦

 

ଧୋଇବାବୁଙ୍କ ଗାଡ଼ି କଣ୍ଟେଇ ରୋଡ଼ ଷ୍ଟେସନରେ ଆସି ପହଞ୍ଚିଲା ପ୍ରାୟ ଭୋର ବେଳକୁ । ଧୋଇବାବୁ ଚାହିଁ ଦେଖିଲେ ଦୁଇଟା ମଟର ପ୍ଳାଟଫର୍ମ ଆର ପଟେ ଥୁଆ ହୋଇଚି । ସେ ଜାଣନ୍ତି କଣ୍ଟେଇ ରୋଡ଼ଠାରୁ ଏଣେ କାନ୍ଥି ତେଣେ ଖଡ୍‍ଗପୁରକୁ ଅନେକ ମଟର ଲରି ଯା ଆସ କରେ । କିନ୍ତୁ ଟାକ୍‌ସି କେବେ ଯିବାର ସେ ଶୁଣି ନାହାନ୍ତି । ତା’ଉପରେ ପୁଣି ଏ ଗାଡ଼ି ବେଳକୁ ମଟର ପ୍ରାୟ ଷ୍ଟେସନରେ ନଥାଏ । ଏ ମଟର ଦୁଇଟା ଦେଖି ତାଙ୍କ ମନରେ ସନ୍ଦେହ ହେଲା । ତାଙ୍କୁ ଦେଖାଗଲା ଯେପରି ସେଇ ମଟର ଦୁଇଟା ଏ । ସେ ଆଉରି ମଧ୍ୟ ଦେଖିଲେ ଚାରି ଜଣ ମଣିଷ ବିଜୁଳି ମସାଲ ମାରି ପ୍ରତ୍ୟେକ କୋଠରିକୁ ଚାହିଁ ତାଙ୍କ ଆଡ଼କୁ ଆସୁଚନ୍ତି । ସେ ଆଉ କାଳ ବିଳମ୍ବ ନକରି ପ୍ଳାଟଫର୍ମର ବିପରୀତ ଦିଗ ଦରୁଜା ଦେଇ ଓହ୍ଲାଇ ପଡ଼ିଲେ । ରେଳ ଲାଇନରେ ଚାଲି ଚାଲି ପ୍ଳାଟଫର୍ମ ବାହାରକୁ ଆସିବା ମାତ୍ରେ ମଟର ଷ୍ଟାଣ୍ଡ ତରଫକୁ ଚାଲି ଆସିଲେ-। ମଟର ଜାଗାରେ ପହଞ୍ଚି ଦେଖିଲେ ଡ୍ରାଇଭର ଦି ଜଣ କେହି ନାହାନ୍ତି । ବୋଧହୁଏ ସେମାନେ ମଧ୍ୟ ପ୍ଳାଟଫର୍ମ ଉପରକୁ ଯାଇଚନ୍ତି । ଧୋଇବାବୁ କାଳ ବିଳମ୍ବ ନକରି ଗୋଟିଏ ମଟର ହାତ ଚକି ମଝିରେ ହାତ ଦେଇ ଦେଖିଲେ ସେଲ୍‌ଫଷ୍ଟାର୍ଟରଟା କାମ କରୁ ନାହିଁ । ଆର ମଟରଟାରେ ସେହିପରି ପରୀକ୍ଷା କରି ଦେଖିଲା ବେଳକୁ ଜଣାପଡ଼ିଲା ତାଙ୍କୁ ଯେ ସେଲ୍‌ଫଷ୍ଟାର୍ଟର କାମ କରୁଚି । ସେ ଆଉ କାଳ ବିଳମ୍ବ ନକରି ମଟରରେ ଚଢ଼ି ବସିଲେ । ସେଲ୍‌ଫଷ୍ଟାର୍ଟରଟା ଦେଇ ଗାଡ଼ିଟାକୁ ଚଳାଇନେଲେ । ଗାଡ଼ି ବୁଲିଲା ବେଳେ ଆୱାଜରେ ହେଉ ବା ଅନ୍ୟ କୌଣସି କାରଣରୁ ହୋଉ ପ୍ଳାଟଫର୍ମରେ ଡ୍ରାଇଭରମାନେ ଜାଣିପାରିଲେ ସେମାନେ ଧାଇଁ ଆସି ଦେଖିଲା ବେଳକୁ ଗାଡ଼ି ଡାକବଙ୍ଗଳା ପାରହୋଇ ଜଗନ୍ନାଥ ସଡ଼କରେ ଉଠିଲାଣି । ଡ୍ରାଇଭରମାନେ କ’ଣ କରିବେ ଭାବୁଚନ୍ତି, ଏପରି ସମୟରେ ସେ ଚାରିଜଣ ମଧ୍ୟ ଆସି ପହଞ୍ଚିଲେ । ସେମାନେ ଏକଥା ଶୁଣିବା ମାତ୍ରକେ ସେଥିରୁ ଦୁଇଜଣ ଯାଇ ବାକି ମଟରଟାରେ ଉଠିଲେ । ବାକି ଦୁଇଜଣ କହିଲେ ‘‘ଭାଇ ଆମକୁ ମଧ୍ୟ ସାଙ୍ଗରେ ନିଅ’’ । ସେ ଦୁଇଜଣ କହିଲେ ‘‘ତୁମ ପନ୍ଥା ତୁମେ ଦେଖ’’ ଆମ କାମ ଆମେ ଦେଖିବୁ ।’’ କହି ସେମାନେ ମଟର ଛୁଟାଇ ଆଗ ମଟର ପଛରେ ଧାଇଁଲେ ସେତେବେଳକୁ କିନ୍ତୁ ଧୋଇବାବୁଙ୍କ ମଟର ଅନେକ ଦୂର ଚାଲିଯାଇଚି । ଏମାନେ ଆସି କଣ୍ଟାଇ ରୋଡ଼ ବଜାରରେ ପହଞ୍ଚି ଦେଖିଲେ, ଏହି ସ୍ଥାନରୁ ଦୁଇଟା ରାସ୍ତା ଦୁଇଆଡ଼େ ଯାଇଚି, ଗୋଟାଏ କାନ୍ଥିକୁ ଓ ଆଉ ଗୋଟାଏ ଖଡ୍‌ଗପୁରକୁ । ଏ ମଟରଟା ଯେ କେଉଁ ରାସ୍ତା ନେଲା ତାହା ଜାଣିବା ସମ୍ଭବ ନହେଲାରୁ ଏମାନେ ପ୍ରଥମେ କାନ୍ଥି ରାସ୍ତାରେ କିଛିଦୂର ଗଲେ । ବଜାର ପାର ହୋଇଗଲେ କାନ୍ଥି ରାସ୍ତା ଅନେକଦୂର ପ୍ରାୟ ସିଧା ଚାଲିଯାଇଚି । ଏମାନେ ଦେଖିଲେ ଏ ରାସ୍ତାରେ ମଟରର ପତ୍ତା ନାହିଁ । ପୁଣି ଫେରିଲେ । ଏମାନେ ଫେରି ଛକି ଉପରକୁ ଆସିଲା ବେଳକୁ ଦେଖିଲେ ଗୋଟାଏ ମଟର କଣ୍ଟାଇ ରୋଡ଼ ଷ୍ଟେସନ୍‌ ଆଡ଼କୁ ଯାଉଚି । ଏଇ ମଟରଟାରେ ଯେ ଧୋଇବାକୁ ଯାଉଚନ୍ତି ତା ସେମାନେ ଜାଣନ୍ତେ କିପରି । ଏମାନେ ଜଗନ୍ନାଥ ରାସ୍ତାରେ ଖଡ୍‌ଗପୁର ଆଡ଼କୁ ଗଲେ । ଅଳ୍ପବାଟ ଗଲାପରେ ଦେଖିଲେ ଆଖି ଯେତେଦୂର ପାଏ–ଆଉ ଅନେକଦୂର–କୌଣସି ମଟର ଚିହ୍ନ ନାହିଁ । ସେତେବେଳେ ସେମାନେ ଭାବିଲେ ଯେ ମଟରଟା କଣ୍ଟାଇ ରୋଡ଼ ଆଡ଼େ ଗଲା, ସେଉଟା ବୋଧହୁଏ ସେ । ସେମାନେ ପୁଣି ଫେରି ଡାକବଙ୍ଗଳା ପାଖ ହେଲା ବେଳକୁ ଦେଖିଲେ ଗୋଟାଏ ମଟରର ପଛ ଆଲୁଅ ପ୍ରାୟ ଚାଉଳ କଳ ପାଖ ଆଖରେ ଦେଖାଯାଇଚି । ଏମାନେ ତାକୁ ଅନୁସରଣ କରି ଧାଇଁଲେ । ପ୍ରକୃତରେ ଧୋଇବାକୁ ମଟରଟା ନେଇ ବଜାର ଛକି ପାଖରେ ହେଲାପରେ ଭାବିଲେ କେଉଁଆଡ଼େ ଯିବେ । ଏକଦିଗରେ ସାତମାଇଲ ହେଉ ଭୋଗୋରେଇ ଯାଇପାରନ୍ତି, କିନ୍ତୁ ସେ ଅଜଣା ରାଜ୍ୟ, ଶୁଣିଚନ୍ତି ଖାଲି ଖମାଣିରେ ସେ ରାଜ୍ୟ ପରିପୂର୍ଣ୍ଣ । ଏ ଦିଗରେ ଏମାନେ ଅନ୍ୱେଷଣ କଲେ ତାଙ୍କୁ ପାଇପାରିବା କଷ୍ଟକର ହବନାହିଁ। ଏଣେ ଖଡ୍‍ଗପୁର ଗଲେ, ସେ ଅନେକରାସ୍ତା ପୁଣି ଖଡ୍‍ଗପୁର ଠାରେ ଯେ ୟାଙ୍କ ସାଙ୍ଗଲୋକ କେହି ଜଗି ନରହିଚି, ତା’ର ବା ଠିକ୍‌ କ’ଣ । ସବୁଠାରୁ ବେଶୀ ଯେ ଏହା କରିବାଦ୍ୱାରା ସେ ଘରଠାରୁ ପୁଣି ବେଶୀ ପଛକୁ ଘୁଞ୍ଚିଯିବେ । ସେ ବୁଝିଥିଲେ ଘରେ ନ ପହଞ୍ଚିବା ପର୍ଯ୍ୟନ୍ତ ତାଙ୍କର ବିପଦରେ ଶେଷ ନାହିଁ । ବିଶେଷତଃ ପ୍ରଫୁଲ୍ଲବାବୁଙ୍କ ଠାରୁ ଯାହା ଶୁଣିଥିଲେ, ସେଥିରୁ ମା’ଙ୍କ ଲାଗି ତାଙ୍କ ପ୍ରାଣ କାନ୍ଦୁଥିଲା । ସେ ଏହିପରି ସାତ ପାଞ୍ଚ ଭାବୁଚନ୍ତି, ଦେଖିଲେ ପଛ ଆଡ଼ୁ ମଟରଟାଏ ଜଗନ୍ନାଥ ସଡ଼କକୁ ଉଠିଲା । ସେ ଚଟପଟ ଗାଡ଼ିଟାକୁ ଖଡ୍‍ଗପୁର ରାସ୍ତାରେ ସାମାନ୍ୟ ବାଟ ଚଳେଇ ନେଇ ଦେଖିଲେ ଡାହାଣ କଡ଼ରେ ଗୋଟାଏ ଗଳି । ଏଇ ଗଳି ମୁହଁରେ ମଟରଟା ରଖି ଏବଂ ସବୁ ଆଲୁଅ ଲିଭେଇ ଦେଇ ସେ ବସି ଅପେକ୍ଷା କଲେ । ଅଳ୍ପ ସମୟପରେ ଗୋଟାଏ ମଟର ଛକି ପାଖରେ ଅଟକିବାର ଶୁଭିଲା-। ତା’ପରେ ସେ ଶୁଣିପାରିଲେ ମଟରଟା ଅନ୍ୟ ଦିଗରେ ଗଲା । କିଛି ସମୟ ଅପେକ୍ଷା କରି ସେ ନିଜ ମଟରଟା ବୁଲେଇ ନେଇ ପୁଣି ଷ୍ଟେସନ ଆଡ଼େ ଛୁଟିଲେ । ଚାଉଳ କଳ ପାଖରେ ସେ ଜାଣିପାରିଲେ ଯେ ଆଉ ମଟରଟା ତାଙ୍କଆଡ଼େ ଫେରିଆସୁଚି । ସେ ପୂରାଦମରେ ମଟର ଚଳେଇଲେ । ପୁଣି ଲାଗିଲା ଏକ ଦୌଡ଼ । ମାଇଲ ଉପରେ ମାଇଲ ରାସ୍ତା କଟି ଯାଉଚି । ଚାହୁଁ ଚାହୁଁ ଦିନ ଆଠଟା ସୁଦ୍ଧା ଜଳେଶ୍ୱରରେ ପହଞ୍ଚିଲେ । ସେତେବେଳକୁ ପଛମଟରଟା ପ୍ରାୟ ଏକ ମାଇଲ ଦୂର ପଛରେ ପଡ଼ିଚି । ଏଣେ ତାଙ୍କ ମଟରର ତେଲ ସରିଆସିଲାଣି । ସେ ବାକିତେଲ ଟିକକରେ ଯେ କୌଣସିମତେ ମିଲିଟାରି ବଜାର ପାଖରେ ପହଞ୍ଚିଲେ । ଏହିଠାରେ ମଟରରୁ ଓହ୍ଲାଇ ପାଦର ଆଶ୍ରୟ ନବା ଠିକ୍‌ କରି, ସେ ମଟରଟା ରାସ୍ତା ତଳକୁ ଗଡ଼େଇ ପକେଇ ଚାଲିଯିବାକୁ ବାହାରିଚନ୍ତି, ତାଙ୍କର ପଛ ବସିବା ସ୍ଥାନକୁ ଦୃଷ୍ଟି ପଡ଼ିଗଲା । ଦେଖିଲେ ଗଦିଉପରେ ଗୋଟାଏ ପିସ୍ତଲ ପଡ଼ିଚି । ସେ ସେଉଟା ଉଠାଇ ନେଇ ପରୀକ୍ଷା କଲେ ପିସ୍ତଲରେ ଗୁଳି । ସେ ସେଉଟା ପକେଟରେ ପୂରାଇ ଉର୍ଦ୍ଧ୍ୱଶ୍ୱାସରେ ରାଜଘାଟ ଆଡ଼କୁ ଧାଇଁଲେ । ଖରାଦିନ ନଈର ବାରପଣ ଶୁଖିଲା ପଡ଼ିଚି । ଅପନ୍ତରା ବାଲି, ଗୋଡ଼ ପୋତି ହୋଇ ପଡ଼ୁଚି । ଏଣେ ସାରା ରାତି ଅନିଦ୍ରା ଅଖିଆ । ବଡ଼ କଷ୍ଟରେ ସେ ବାଲିତକ ପାର ହୋଇ ନଈ ଧାରରେ ପହଞ୍ଚିଚନ୍ତି ଦେଖିଲେ ଦୁଇଜଣ ଲୋକ ନଈ ବାଲିରେ ତାଙ୍କ ଆଡ଼କୁ ଧାଉଁଚନ୍ତି । ଜଣେ ଆଗରେ ଓ ଆଉ ଜଣେ ପ୍ରାୟ ପନ୍ଦର କୋଡ଼ିଏ ହାତ ପଛରେ । ଭୋକ ଶୋଷ କ୍ଳାନ୍ତି ସେ ଭୁଲିଯାଇ ପାଣି ଭିତରକୁ ଡେଇଁ ପଡ଼ିଲେ । ସେ ଆର କୂଳରେ ଉଠି ପୁରୁଣା ରାଜଘାଟ ଥାନା ପାଖରେ ହେଲା ବେଳକୁ ଦେଖିଲେ ଜଣେ ଆସି ପାଣି କୂଳରେ ଓ ଆଉ ଜଣେ ପ୍ରାୟ ପଚାଶ ହାତ ପଛରେ ବାଲି ଉପରେ ସେ ଜଗନ୍ନାଥ ସଡ଼କ ଉପରକୁ ଉଠିଲା ବେଳକୁ ତାଙ୍କର ଅନ୍ୱେଷଣକାରିମାନଙ୍କ ମଧ୍ୟରୁ ଆଗଜଣକ ରାଜଘାଟ ଫାଣ୍ଡିଉପରେ । ତା’ପରେ ଉଭୟେ ଦୌଡ଼ିଚନ୍ତି । କିନ୍ତୁ ଧୋଇବାବୁ ଅନୁଭବ କରିଚନ୍ତି, ତାଙ୍କର ଜୋର ଆସ୍ତେ ଆସ୍ତେ କମିଆସୁଚି । ନିଃଶ୍ୱାସଟା ଆସ୍ତେ ଆସ୍ତେ ବେଶୀ ବେଶୀ ଜୋରରେ ଚାଲୁଚି । ଛାତିଭିତରଟା କିପରି ଚିପି ହେଲାପରି ଜଣାପଡ଼ୁଚି । ତେଣେ ତାଙ୍କର ଅନ୍ୱେଷଣକାରିଟା ଆସ୍ତେ ଆସ୍ତେ ତାଙ୍କ ପାଖ ହୋଇଗଲାଣି । ସେ ଉପାୟାନ୍ତର ନଦେଖି ହଠାତ୍‌ ବୁଲିପଡ଼ି ପିସ୍ତଲ ଆୱାଜ କଲେ । ଜୀବନରେ କେବେ ପିସ୍ତଲ ବା ବନ୍ଧୁକ ସେ ଧରି ନାହାନ୍ତି । ଫଳରେ ଲକ୍ଷ୍ୟଟା ଯେ ବେଠିକ୍‍ ହବ ସେତ ଧରାବନ୍ଧା କଥା । ତଥାପି ତାଙ୍କର ଉଦ୍ଦେଶ୍ୟଟା ସଫଳ ହେଲା । ତାଙ୍କ ଅନ୍ୱେଷଣକାରି ହଠାତ୍‍ ପିସ୍ତଲ ଆୱାଜ ଶୁଣି ଚମକି ଉଠିଥିଲା । ତା’ପରେ ସେ ପଛଘୁଞ୍ଚା ଦବାକୁ ଆରମ୍ଭକଲା । ପିସ୍ତଲର ସାତଟାଯାକ ଗୁଳି ସରିଲାବେଳକୁ ସେ ଲୋକଟା ପ୍ରାୟ ଅଧମାଇଲିଏ ପଛକୁ ଦୌଡ଼ିଯାଇ ସାରିଲାଣି । ଧୋଇବାବୁ ଆଉ ଅପେକ୍ଷା ନକରି ଆଗକୁ ଦୌଡ଼ି ଚାଲିଲେ । ଅଳ୍ପଦୂର ଯାଇ ଦେଖିଲେ ଅମର୍ଦା ଷ୍ଟେସନ, ପାଖରେ ଗୋଟିଏ ଗାଁ । ଗାଁ ଆରମ୍ଭରେ ଗୋଟିଏ ଆମ୍ବ ବଗିଚା । ସେ ପଛକୁ ଟିକିଏ ଚାହିଁ ସେଇ ଆମ୍ବ ବଗିଚା ଭିତରକୁ ପଶିଗଲେ । ବଗିଚା ଭିତରେ ଗୋଟିଏ ପୋଖରୀ, ପୋଖରୀ ଉପରେ ଗୋଟିଏ ଚାନ୍ଦନି । ସେଇ ଚାନ୍ଦନି ଉପରେ ବସିଚନ୍ତି ଜଣେ ଯୋଗୀ । ଛିଣ୍ଡା ଗାମୁଛାଟିଏ ବେକରେ, ମୁଣ୍ଡରେ ଖଣ୍ଡେ ଛିଣ୍ଡାଲୁଗା ପଗଡ଼ି ବାନ୍ଧାହୋଇଚି । ଡାହାଣ ତରଫରେ ଗୋଟିଏ କୋଥୋଲି ଓ ବାଁ ପାଖରେ ଗୋଟିଏ କେନ୍ଦେରା । ଯୋଗୀ ବସି ଚିଲମରେ ‘‘ଦୋକା’’ ପୂରାଉଚନ୍ତି । ଧୋଇବାବୁ ଯୋଗୀଙ୍କୁ ଦେଖି ଏକ ମତ୍‍ଲବ ଠଉରେଇଲେ । କହିଲେ ‘‘କି ଯୋଗୀ ଭାଇ, କେତେଦୂର ଯିବ ?’’

 

ଯୋଗୀ ବିଚରା ଧୋବଧାଉଳିଆ ବାବୁ ଗୋଟିଏ ଦେଖି କିଛି ପଟି ମାରିବା ଆଶାରେ କହିଲେ, ‘‘କେତେ ଦୂର ଆଉକଣ, ଭିକାରି ଲୋକ ଭିକ ମାଗି ମାଗି, ବୁଲିବା କଥା ।’’

 

ଧୋଇ– ଆଛା, ତୁମେ କିଛି ପଇସା ରୋଜଗାର କରିବାକୁ ଇଚ୍ଛାକର ?

 

ଯୋଗୀ– ଗତର ଖଟେଇ ରୋଜଗାର କରିବାତ ବାବୁ ଆମ ଚୌଦ ପୁରୁଷରେ ହୋଇ ନାହିଁ । ତେବେ ମାଗଣା ଯଦି ମିଳିବ, ତା’ହେଲେ ନବାକୁ ନିତାନ୍ତ ଅରାଜି ନାହିଁ । କେହି ଯେବେ ତାଙ୍କ ନିଜ ପଇସାର ବୋଝ ସମ୍ଭାଳି ନପାରି, ବୋଝରୁ କିଛି ପର ମୁଣ୍ଡରେ ଲଦି ଦବାକୁ ଇଚ୍ଛା କରନ୍ତି ତା’ହେଲେ କ’ଣ କରିବା, ପରର ଉପକାର କରିବାପାଇଁ ଆମେ ସେ ବୋଝ ମୁଣ୍ଡେଇବାକୁ ରାଜି । କିନ୍ତୁ ରୋଜଗାର କଥାଟା ଯାହା କହିଲେ..... ସେ କଥା ପଟେ ନାହିଁ ।

 

ଧୋଇ– ଏ ଏକ ପ୍ରକାର ମାଗଣା ପଇସା ହେ, ବେଶୀ କିଛି ଗତର ଖଟେଇବା ପ୍ରୟୋଜନ ନାହିଁ ।

 

ଯୋଗୀ– ଆପଣଙ୍କର ଯେତେବେଳେ ଏତେ ଆଗ୍ରହ ହେଲାଣି, କୁହନ୍ତୁ କଥାଟା ନହେଲା ଶୁଣିବା ।

 

ଧୋଇ– ଶୁଣ, ତୁମେ ତୁମର ଲୁଗା ପଟାତକ ପାଲଟି ମତେ ଦିଅ । ଆଉ ମୋ ଲୁଗା-ପଟାତକ ତୁମେ ପିନ୍ଧ । ଏଇଲେ ଯାଇ ସଡ଼କ ଉପର ଆମ୍ବ ଗଛ ମୂଳେ ବସିବ । ମୁଁ ତାଳି ମାରିଲା ମାତ୍ରକେ ସଡ଼କେ ସଡ଼କେ ଦଉଡ଼ି ପଳେଇବ ଯେତେଦୂର ଯାଇପାର । ମୁଁ ତୁମ ପଛେ ପଛେ ଧାଇଁ ଥିବି । ତୁମେ ପଛକୁ ଫେରି ଚାହିଁବତ, ଦେଖୁଚ ଏ ପିସ୍ତଲ, ୟାର କୁନ୍ଦାରେ ତୁମ ମୁଣ୍ଡ ଚୂନା କରିଦେବି ।

 

ଯୋଗୀ– କିନ୍ତୁ ବାବୁ, ଯୁଠେଇ ଆଉ ଦଉଡ଼ି ନପାରିବି ?

 

ଧୋଇ– ସେଠି ବସିପଡ଼ିବ । କେହି ଯଦି ପଚାରିବ, ତା’ହେଲେ ତୁମର ଠିକ୍‌ ଠିକ୍‌ ପରିଚୟ ଦେଇଦେବ । ମୋ କଥା ଯଦି କେହି ପଚାରେ ତା’ହେଲେ କିଛି କହିବ ନାହିଁ ।

 

ଯୋଗୀ– ଆଚ୍ଛା ବାବୁ ମତଲବ୍‍ଟା କ’ଣ କହିଲ ?

ଧୋଇ– ମତଲବ୍‌ ଆଉ କ’ଣ, ଏଇ ଗୋଟାଏ ଖିଆଲ ।

ଯୋଗୀ– ମୁଁ ଯେ ଏତେ ବାଟ ଧାଇଁବି, କ’ଣ ପାଇବି ?

 

ଧୋଇ– ଏଇ ଦେଖ, ତୁମେ ଯଦି ମୋ କଥାରେ ରାଜିହୁଅ, ତା’ହେଲେ ମୁଁ ତମକୁ ଏ ଟଙ୍କା କୋଡ଼ିଏଟି ଦେବି ।

 

ଯୋଗୀ– ଏଁ, କୋଡ଼ିଏ ଟଙ୍କା ! ସତ କହୁଚ ? ମତେ ଠକିଦବ ନାହିଁ ତ ?

ଧୋଇ– ତୁମେ ରାଜିହୋଇ ଲୁଗାପଟା ଖୋଲିଲେ ତ ମୁଁ ତୁମକୁ ଟଙ୍କା ବଢ଼ାଇ ଦେବି ।

ଯୋଗୀ– ବାବୁ, ମତେ ଡର ନାଗୁଚି । ୟା ଭିତରେ କ’ଣ ପେଞ୍ଚ ଅଛି ନା କ’ଣ ।

ଧୋଇ– ଆରେ ଏତ ସାଦାସିଧା କଥା, ୟା ଭିତରେ ପୁଣି ପେଞ୍ଚ କ’ଣ ?

ଯୋଗୀ– ବାବୁ ମୁଁ ରାଜି ହଉଚି, ତୁମେ ଦବଟି ?

 

ଯୋଗୀ ତା’ର ଚିରା କନାତକ ମୁଣ୍ଡରୁ ଦେହରୁ କାଢ଼ିଲେ । ଧୋଇବାବୁ ତାକୁ ତାଙ୍କ ଦୋଷଡ଼ାଟି ଦେଲେ । ସେ ଦୋଷଡ଼ାଟି ପାଲଟି ପିନ୍ଧିଥିବା ଛିଣ୍ଡା ଲୁଗା ଖଣ୍ଡକ ମଧ୍ୟ ଦେଲେ । ଧୋଇବାବୁ ତାକୁ ରେଷମ ପଞ୍ଜାବିଟା ପିନ୍ଧାଇଦେଲେ । ମୁଣ୍ଡର ଫୁରୁ ଫୁରୁ ବାଳରେ ଟିକିଏ ପାଣି ହାତ ମାରି ସାଉଁଳେଇ ଦେଲେ । ସେ ରଖିବା ଭିତରେ ତାଙ୍କ ଲୁଗାତଳ ଜଘିଂଆଟି ଓ ଗେଞ୍ଜିଟି ରଖିଲେ । ତା’ଉପରେ ନାକ ଟେକି ଟେକି କୌଣସିମତେ ସେ ଛିଣ୍ଡା କନାଟା ଅଣ୍ଟାରେ ଗୁଡ଼ାଇ ଓ ସେ ଛିଣ୍ଡା କୁଋତାଟା ପିନ୍ଧି, ମୁଣ୍ଡରେ ପଗଡ଼ିଟି ବାନ୍ଧି କୋଥୋଲି ଓ କେନ୍ଦେରା ଉଠାଇବାକୁ ଗଲେ । ଯୋଗୀ କହିଲା, ‘‘ହାଁ, ହାଁ, ବାବୁ କର କ’ଣ ? ସେସବୁ କେଣେ ଉଠଉଚ ?’’

 

ଧୋଇ– କି, ଏଗୁଡ଼ାକ ଯେ ମୁଁ ନେବି ବୋଲି କଥା ହେଲା ।

 

ଯୋଗୀ– ନାଇଁ ସେ କଥା ତ କିଛି ହୋଇନାହିଁ । ବାରେ ବା, ମୋର ସାତ ପୁଋଷି କେନ୍ଦେରା, କୋଥୋଲି ତୁମକୁ ଦେଇଦେବି ? ନ ହେଲେ ନାଇଁ ପଛକେ ଏ ଟଙ୍କା ।

 

ଧୋଇ– ଆଚ୍ଛା, ଆଉ ପାଞ୍ଚଟଙ୍କା ତୁମକୁ ଦେବି ।

ଯୋଗୀ– ନାଇଁ ନାଇଁ ବାବୁ ସେକଥା ହବନାଇଁ ।

ଧୋଇ– ଆଚ୍ଛା ଦଶ ?

ଯୋଗୀ– ଆଉରି ଦଶଟଙ୍କା ? ହଉ ତେବେ । ନାଇଁ ନାଇଁ ମୋର ସାତପୁଋଷ–

ଧୋଇ– ତେବେ ଦେ ମୋ କୋଡ଼ିଏ ଟଙ୍କା, ମୋ ଲୁଗାପଟା ଫେରେଇ ଦେ ।

 

ଯୋଗୀ– ରାଗକଲ କି ବାବୁ, ହଉ ତୁମେ ଯେତେବେଳେ କହିଲଣି, ତୁମ କଥା ଆଉକଣ ଏଡ଼ିଦେବି । ହଉ ହଉ, ଦିଅ ତେବେ ଆଉ ଦଶଟଙ୍କା ।

 

ଧୋଇବାବୁ ତାକୁ ଆଉ ଦଶୋଟି ଟଙ୍କା ବଢ଼େଇ ଦେଲେ । ଗଣି ଦେଖିଲେ ତାଙ୍କ ପାଖରେ ଆଉରି ପ୍ରାୟ ତିନିଶ ଟଙ୍କାର ନୋଟ ଅଛି । ସେଗୁଡ଼ିକ ଓ ପିସ୍ତଲଟି କୋଥୋଲି ଭିତରେ ରଖି କୋଥୋଲିଟି କାନ୍ଧରେ ପକାଇ ଓ କେନ୍ଦେରାଟି ହାତରେ ଧରି ସେ ବାହାରିଲେ ସଡ଼କ ଆଡ଼କୁ-। ଯୋଗୀ ମଧ୍ୟ ତାଙ୍କ ପଛେ ପଛେ ଗଲେ । ସଡ଼କପାଖ ଆମ୍ବଗଛ ମୂଳେ ପନ୍ଦର ମିନିଟ ଖଣ୍ଡେ ଠିଆ ହୋଇଚନ୍ତି କି ନାହିଁ, ପଛଆଡ଼ୁ ଜଣେ ମଣିଷ ସଡ଼କରେ ଆସିବାର ଦେଖାଗଲା । ଧୋଇବାବୁ ତାଳି ଦେଲେ । ଯୋଗୀ ଆଉ ପଛକୁ ନଚାହିଁ ଦୌଡ଼ିବାକୁ ଲାଗିଲେ । ଯେ ଲୋକଟା ପଛରୁ ଆସୁଥିଲା, ସେ ମଧ୍ୟ ଯୋଗୀ ପଛେ ପଛେ ଦୌଡ଼ିଲା । ଧୋଇବାବୁ ଆମ୍ବଗଛ ଉହାଡ଼ରେ ଠିଆ ହୋଇ ଏସବୁ ଦେଖୁଥିଲେ । ଯୋଗୀ ଓ ତାଙ୍କ ପଛ ଜଣକ ଆଖିରୁ ଅଦୃଶ୍ୟ ହୋଇଗଲେ, ସେ ପୁଣି ପୋଖରି କୂଳକୁ ଫେରିଗଲେ । କିଛି ମାଟି ଆଣି ମୁଣ୍ଡରେ ବୋଳିଲେ । ମୁନ୍ଦିଏ ପାଣି ପିଇ ସାଷ୍ଟାମ ହେଲେ । ତା’ପରେ ବଗିଚା ଭିତରୁ ବାହାରି ଗାଁ ଭିତରକୁ ଗଲେ । ଗାଁଟିର ନାମ ରାଧାନାଥ ପୁର ଶାସନ ।

Image

 

୨୧

 

ଧୋଇବାବୁ ପ୍ରମଥବାବୁଙ୍କ ଘର ଛାଡ଼ି ପଳାଇଯିବାର ତିନିଦିନ ପରେ । ‘‘ହାବଡ଼ା ଷ୍ଟେସନ’’ ସନ୍ଧ୍ୟା ପ୍ରାୟ ସାତଟା ହବ । ବିଜୁଳି ଆଲୁଅର ଝଲସରେ ମୁସାଫିର ଖାନାଟା ଦିନଭଳି ଉଜ୍ଜ୍ୱଳ ହୋଇ ଉଠିଚି । ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ମୁସାଫିରଖାନା ବାହାରେ ଯେ ବେଞ୍ଚଟା ପଡ଼ିଚି, ତା’ଉପରେ ଜଣେ ଗୋରା ଯୁବତୀ ଓ ଦୁଇଜଣ ଗୋରା ଯୁବକ ବସିଚନ୍ତି । ଜଣେ ଯୁବକ ଯୁବତୀଙ୍କର ଗଣ୍ଡଦେଶକୁ ଚିମୁଟି ଦେଲେ, ଆଉଜଣେ ତାଙ୍କର ବକ୍ଷଦେଶରେ ଅଙ୍ଗୁଳି ଟିପ ଲଗାଇ ଦଉଚନ୍ତି ଆଉ ଯୁବତୀ ହା ହା’ ହସରେ ମୁସାଫିର ଖାନାଟାକୁ ଚମକେଇ ଦଉଚନ୍ତି । କେଉଁଠାରେ ଜଣେ ସାହେବ ଓ ତାଙ୍କର ମେମ ଖୁସିଗପ ଯୋଡ଼ିଦେଇ ବୁଲାବୁଲି କରୁଚନ୍ତି । କେତେ ଦେଶୀ ଯୁବକ ଯୁବତୀ ମୁସାଫିରଖାନାରେ ବୁଲି ବୁଲି ଆମୋଦ ଅନୁଭବ କରିବାରେ ବୁଡ଼ି ରହିଚନ୍ତି । ସେମାନଙ୍କ ଆଖିରେ ଯେପରି ଏ ଇହସଂସାରରେ ସେଇମାନଙ୍କ ଛଡ଼ା ଆଉ କେହି ନାହିଁ । ମୁସାଫିରଖାନାର ପ୍ରତ୍ୟେକ ଖୁମ୍ବକୁ ଲାଗି ଚତୁର୍ମୁଖ ବ୍ରହ୍ମାଙ୍କପରି ଚାରି ଚାରିଟା ଇଟାଚୂନର ବସିବା ଜାଗା । ଏଗୁଡ଼ାକରେ ତୃତୀୟ ଶ୍ରେଣୀ ଓ ମଧ୍ୟ ଶ୍ରେଣୀର ଯାତ୍ରୀମାନେ ବସି କେହି ମୁଢ଼ି ଚୋବାଉଚି, କେହି ବିଡ଼ି ଟାଣୁଚି, କେହିବା ପାଖବାଲା ସାଙ୍ଗରେ ଗପ ଯୋଡ଼ିଦେଇଚି । ଟିକଟ କିଣା ଜାଗାମାନଙ୍କରେ ବଡ଼ ଭିଡ଼ । ବାହାରେ ହୁଡ଼ା ହୁଡ଼ି, ବକା ବକି ଠେଲା ଠେଲି ପେଲା ପେଲି ଚାଲିଚି-। ଭିତରେ ଟିକଟ ଦାତ୍ରୀ ମେମ ସାହେବ ନିର୍ବିକାର ଭାବରେ ତାଙ୍କ ସମୟ ଓ ସୁବିଧା ଅନୁସାରେ ଟିକଟ ଖଣ୍ଡେ ଖଣ୍ଡେ ବେଳେ ବେଳେ ଝରକା ଆଡ଼କୁ ଫୋପାଡ଼ି ଦଉଚନ୍ତି । ମଟରର ପେଁ ପେଁ ମନୁଷ୍ୟମାନଙ୍କର ହେଁ, ହେଁ ଓ ରେଳଗାଡ଼ିର ଭେଁ ଭେଁ ଶବ୍ଦରେ ଜଣା ପଡ଼ୁଚି ଏ ଯେପରି ଗୋଟାଏ ପାଗଲ ଗାରଦ । ଏହି ପାଗଲ ଗାରଦ ମଧ୍ୟରେ ସଦାଶିବବାବୁ ଓ ପ୍ରମଥବାବୁଙ୍କର ହଠାତ୍‌ ଭେଟ ହୁଏ । ଉଭୟେ ବି, ଏନ୍‌, ଆର କମ୍ପାନିର ମଧ୍ୟମ ଶ୍ରେଣୀ ଟିକଟଘର ପାଖରେ, ଟିକଟ କିଣିବାକୁ ଲସର ପସର ହୋଇ ଧାଇଁଚନ୍ତି । ହଠାତ୍‌ ଭେଟ ହୋଇଗଲା । ଉଭୟେ ଉଭୟଙ୍କ ଆଡ଼କୁ ପ୍ରଥମେ କଟମଟ କରି ଚାହିଁଲେ । ତା’ପରେ ପ୍ରମଥବାବୁଙ୍କ ମୁହଁ ଉଜ୍ଜ୍ୱଳ ହୋଇ ଉଠିଲା । ଯେପରି କେତେଦିନର ଅଦେଖା ତାଙ୍କର ଜଣେ ଅନ୍ତରଙ୍ଗ ବନ୍ଧୁଙ୍କୁ ସେ ଦେଖିବାକୁ ପାଇଚନ୍ତି । ସେ ହାତଟା ବଢ଼ାଇଦେଇ କହିଲେ ‘‘ଆରେ ସଦାଶିବ ଭାଇ ଯେ’’ ଆଜି ମୋର ବଡ଼ ସୌଭାଗ୍ୟ । ତୁମକୁ ଏତେଦିନ ପରେ ଦେଖିଲି । ତା’ପରେ ଭାଇ, ଆଉ ଖବର କ’ଣ ?’’

ସଦାଶିବବାବୁ ପ୍ରମଥବାବୁଙ୍କର ଏ ସାଦର ସମ୍ଭାଷଣଟିକୁ ନ ଘେନିଲା ହୋଇ କହିଲେ ‘‘ପ୍ରମଥ, ତୋ ସାଙ୍ଗରେ ମୋର ଗୋଟାଏ ଜରୁରି କଥା ଥିଲା’’ ‘‘ଟିକିଏ ଏଆଡ଼େ ଆସେତ’’ ।

ପ୍ରମଥ– କି ଦୁଃଖର କଥା । ଏତେଦିନ ପରେ ତୁମକୁ ଦେଖିଲି । ତୁମେ ପୁଣି ମତେ ନିମନ୍ତ୍ରଣ କରୁଚ, କ’ଣ କରିବି, ସେ ମୋର ଦୁର୍ଭାଗ୍ୟ । ନା ହେ, କ’ଣ କହୁଚ ? ମୁଁ ଭାଇ, ଗୋଟାଏ ବଡ଼ ଜରୁରି କାମରେ ଟିକିଏ ରାଞ୍ଚି ଯାଉଚି । ତୁମେ କଲିକତାରେ ଅଛତ ଏ ତିନି ଚାରିଦିନ । ଫେରି ଆସିଲେ ଅବଶ୍ୟ କଥାବାର୍ତ୍ତା ହବା । ଗାଡ଼ି ବେଳଟା ହୋଇଗଲା ପ୍ରାୟ । ଉଠ, ମୁଁ ଟିକଟଟା କିଣିନିଏଁ ।

ସଦାଶିବ– ମୋ କଥା ନଶୁଣିବୁତ, ନଶୁଣୁ ‘‘କିନ୍ତୁ ମନେରଖିଥିବୁ, ଏହାଦ୍ୱାରା ଭଲ ହବନାହିଁ ତୋର’’ ତୁ ଯେ ଉଦ୍ଦେଶ୍ୟରେ କଲିକତା ଛାଡ଼ୁଚୁ, ସେ ବିଷୟରେ ମୁଁ ତତେ ଅନେକ ଖବର ଦେଇପାରନ୍ତି ।

ପ୍ରମଥ– ମୁଁ ତ କୌଣସି ବିଶେଷ ଉଦ୍ଦେଶ୍ୟରେ କଲିକତା ଛାଡ଼ି ଯାଉନାହିଁ । ଖାଲି ଏ ସମୟରେ କଲିକତା ସହରଟା ବଡ଼ ଗରମ ବୋଲି, ମୁଁ ହାଓୟା ବଦଳେଇବାପାଇଁ ପୁରୀ ଯାଉଚି । ନା ହେ, କ’ଣ କହୁଚ ?

 

ସଦାଶିବ– ଇଲେ କହୁଥିଲୁ ଯେ ରାଞ୍ଚି ଯାଉଚୁ ବୋଲି ?

 

ପ୍ରମଥ– ଆଚ୍ଛା, ଆଛା, ମୁଁ ଟିକଟଟା କିଣି ସାରେ । ତା’ପରେ ପ୍ଳାଟଫର୍ମରେ ଠିଆ ହୋଇ କଥାବାର୍ତ୍ତା ହବ । ତୁମପାଇଁ ଖଣ୍ଡେ ପ୍ଳାଟଫର୍ମ ଟିକଟ କିଣେ ?

 

ସଦାଶିବ– ନା, ସେ ଦରକାର ହବନାହିଁ, ମୁଁ ମଧ୍ୟ ଏଇ ଗାଡ଼ିରେ ଯାଉଚି ।

 

ପ୍ରମଥ– ଆହା, ଚୁ, ଚୁ, ମୁଁ ଭାବିଥିଲି, ରାଞ୍ଚି ବା ପୁରୀରୁ ଫେରିଆସିଲେ, ତୁମକୁ ମୋ ଘରକୁ ନିମନ୍ତ୍ରଣ କରିଥାନ୍ତି । ଇମିତି ଆସି ଇମିତ ଯାଉଚ ବାହାରି କୁଆଡ଼େ ?

 

ସଦାଶିବ– ଯିବି ଆଉ କୁଆଡ଼େ ? ଏଇ ଆମ ଗାଁକୁ

 

ପ୍ରମଥବାବୁ ‘‘ଓ’’ ବୋଲି କହି ଜଳେଶ୍ୱର ଷ୍ଟେସନକୁ ଖଣ୍ଡିଏ ଟିକଟ କାଟିଲେ । ସଦାଶିବବାବୁ ମଧ୍ୟ ‘‘ବଡ଼ଲୋକମାନେ ଏକ ପନ୍ଥା ଆଶ୍ରୟ କରନ୍ତି’’ ‘‘କହି ସେ ମଧ୍ୟ ଜଳେଶ୍ୱର ଷ୍ଟେସନକୁ ଖଣ୍ଡିଏ ଟିକଟ କିଣିଲେ’’ ଉଭୟେ ଯାଇ ଗୋଟିଏ ମଧ୍ୟ ଶ୍ରେଣୀ ଡବାରେ ବସିଲାପରେ ପ୍ରମଥବାବୁ କହିଲେ ‘‘କ’ଣ କହିବ ବୋଲି କହୁଥିଲ କହତ ଦେଖି’’ ।

 

ସଦାଶିବ– ତୁ ଆଗେ କହତ, ଜଳେଶ୍ୱର ଯାଉଚୁ କିଆଁ ?

 

ପ୍ରମଥ– ସେ ଖବରରେ ତୋର ଦରକାର କିସ ? ମୁଁ ଜଳେଶ୍ୱର ଯାଉଚି, ବ୍ୟବସାୟରେ ।

 

ସଦାଶିବ– ସେ ବ୍ୟବସାୟଟା ଧୋଇଆର ଖବର ନବା ?

 

ପ୍ରମଥ– ଧୋଇଆ କିଏ ? ମୁଁ ତ ସେ ନାମର କାହାରିକୁ ଜାଣେ ନାହିଁ, ନା ହେ କ’ଣ କହୁଚ ?

 

ସଦାଶିବ– ଦେଖ, ପ୍ରମଥ । ମୋ ଆଗରେ ଏସବୁ ଚାଲାକି ଖେଳି କିଛି ଲାଭନାହିଁ । ମୁଁ ଜାଣେ ତୁ ଯାହା । କିନ୍ତୁ ମୁଁ ଭାବିନଥିଲି ଯେ ତୁ ମୋଭଳି ପିଲାଦିନର ସାଙ୍ଗ ସହିତ ଏପରି ଜୁଆଚୋରି ଖେଳିବୁ ବୋଲି ।

 

ପ୍ରମଥ– ଜୁଆଚୋରି ? ବଡ଼ ଲମ୍ବା ଲମ୍ବା କଥାଟାମାନ କହୁଚତ ? ସଦାଶିବବାବୁଙ୍କ ମନରେ ସେ ଟଙ୍କା ଗୁଡ଼ାକର କଥା ପଡ଼ିଗଲା । ରାଗରେ ସେ ଗର ଗର ହୋଇ କହିଲେ ‘‘ଜୁଆଚୋରି କିପରି ? ଧୋଇଆ କଥା ତୁମକୁ ପ୍ରଥମେ କହିଲା କିଏ ? ତାକୁ ତୁମ ପାଖକୁ ପଠାଇଦେଲା କିଏ ? ତାକୁ ଏଠାରୁ ନ ଛାଡ଼ିବାପାଇଁ ତୁମକୁ ଏକହଜାର ଟଙ୍କା ନଗଦ ଗଣିଦେଲା କିଏ ? ଏ ସବୁପରେ, ମୋର ଟଙ୍କା ନେଇ ମୋ ସଙ୍ଗରେ ଜବାବ କରି ତୁମେ ଯେ ଶେଷକୁ ମୋରି ଗଳାରେ ଛୁରି ଦବାକୁ ବାହାରିଲ, ଏଉଟା ଖାଲି ଜୁଆଚୋରି ନୁହେଁ, ନିମକହରାମି ।

 

ପ୍ରମଥବାବୁ ଅସମ୍ଭବ ରକମ ଧୀର ସ୍ଥିର ଗମ୍ଭୀର । କହିଲେ, ‘‘ହୁଁ ଜୁଆଚୋର, ତା’ପରେ ନିମକହରାମ । ଆଚ୍ଛା, ତୁମେ ଯାହାସବୁ କହିଲ, ଧରିନିଅ, ସେଗୁଡ଼ାକ ସତ । ମନେରଖ କିନ୍ତୁ ଯେ ମୁଁ ଏଥିରୁ କିଛି ମାତ୍ର ସ୍ୱୀକାର କରୁନାହିଁ । ତଥାପି ଯୁକ୍ତି ତର୍କ ଉଦ୍ଦେଶ୍ୟରେ ମାନିନେଲି ଯେ ଏସବୁ ସତ । ଏଥିରେ ମୁଁ ଜୁଆଚୋର ଓ ନିମକହରାମ ହେଲି କିପରି ।

ସଦାଶିବ– ନିମକହରାମି ନୁହ ! ତୁମେ ଜବାବ କରିଥିଲ ଯେ ସେ ଟୋକାଟାକୁ ଏଠାରୁ ଛାଡ଼ିଦେବ ନାହିଁ ବୋଲି !

ପ୍ରମଥ– ମୁଁ ଯେ ଛାଡ଼ି ଦେଇଚି ତା’ ତୁମେ କିପରି ପ୍ରମାଣ କରୁଚ !

ସଦାଶିବ– କିନ୍ତୁ ତୁ ଯେ ତାକୁ ତୋ ଝିଅ ସହିତ ବିବାହ ଦେଇଛୁ ଏଉଟା କ’ଣ ନିମକହରାମି ନୁହେ ?

ପ୍ରମଥ– କିପରି ? ତୁମ ସାଙ୍ଗରେ ମୋର ଯେ ଜବାବ ହୋଇଥିଲା ବୋଲି ତୁମେ କହୁଚ, ସେଥିରେ ମୁଁ ତାକୁ ମୋ ଝିଅ ସାଙ୍ଗରେ ବିବାହ ନ ଦେବି ଏପରି କିଛି ଜବାବ ହୋଇଥିଲାକି ?

ସଦାଶିବ– କିନ୍ତୁ ତୁମେ ଜାଣ ମୁଁ ତମକୁ ଏ କାର୍ଯ୍ୟରେ ନିଯୁକ୍ତି କରିଥିଲି କି ଉଦ୍ଦେଶ୍ୟରେ-। ତୁମେ ତୁମର ଝିଅକୁ ବାହା ଦେବା ଦ୍ୱାରା ସେ ଉଦ୍ଦେଶ୍ୟ ମୋର ମାଟି କରି ନାହିଁ କି-?

ପ୍ରମଥ– ତୁମର କି ଯେ ଉଦ୍ଦେଶ୍ୟ ଏହା ମୂଳରେ ଥିଲା, ତା’ ମୁଁ ଏପର୍ଯ୍ୟନ୍ତ ଜାଣେ ନାହିଁ-। ହଁ ମୋର ବର୍ତ୍ତମାନ ମନେ ହଉଚି, ତୁମେ ଗୋଟାଏ ଟୋକା ସମ୍ବନ୍ଧରେ ମତେ କ’ଣ ସବୁ କହିଥିଲ-। ସେଥିରେ ତୁମେ କହିଥିଲ ଯେ ସେ ଟୋକାଟାର ମା ତାହାର ଅପବ୍ୟବହାରରେ ବଡ଼ ବିରକ୍ତ ଏବଂ ତାକୁ ଏଠାରେ ବର୍ଷେ ଦୁଇ ବର୍ଷ ରଖି ପାରିଲେ, ସେ ସମ୍ପତ୍ତିର ଗୋଟାଏ ବ୍ୟବସ୍ଥା କରି ପାରନ୍ତେ । ଏଇନା ! ମୁଁ ଦେଖିଲି ଟୋକାଟାକୁ ମୋ ଝିଅ ସହିତ ବିବାହ ଦେଇଦେଲେ ତିନୋଟି କାମ ଏକାବେଳକେ ହୋଇ ଯିବ । ପ୍ରଥମ, ସେ ମୋ ସୁନ୍ଦରୀ କନ୍ୟାର ପ୍ରେମରେ ପଡ଼ି ଆଉ କଲିକତା ଛାଡ଼ି କେଉଁଆଡ଼େ ଯିବାକୁ ଇଚ୍ଛା କରିବ ନାହିଁ, ଦ୍ୱିତୀୟ ସେ ବ୍ରାହ୍ମ ଘରେ ବିବାହ କଲେ ତା’ର ହିନ୍ଦୁ ମା ତାକୁ ଆଇନ ଅନୁସାରେ ତ୍ୟଜ୍ୟ ପୁତ୍ର କରି ସମ୍ପତ୍ତିରୁ ବଞ୍ଚିତ କରି ପାରିବେ । ତୃତୀୟରେ ମୁଁ ମୋ ଝିଅପାଇଁ ଗୋଟିଏ ଉପଯୁକ୍ତ ବରପାତ୍ର ଖୋଜୁଥିଲି । ଦେଖିଲି ସେ ଟୋକାଟା ଯେପରି ରୂପବାନ୍‌ ସେହିପରି ମଧ୍ୟ ବିଦ୍ୱାନ୍‌ ଓ ଗୁଣବାନ୍‌ । ଅତଏବ ମୋର ମନୋମତ ପାତ୍ର ପାଇ ମୋ ମୁଣ୍ଡରୁ ଗୋଟିଏ ବୋଝ ମଧ୍ୟ କାଢ଼ିନେଲି । ଏଥିରେ ତ ମୁଁ ଦେଖି ପାରୁ ନାହିଁ, ମୁଁ କିପରି ମୋ ଜବାବ ବାହାରେ ଯାଉଚି । ବରଂ ସଦାଶିବ ତୁ ଗୋଟାଏ ଭଣ୍ଡ, ତୁ ଗୋଟାଏ ‘ଆସ୍ତ’ ଗଧ । ତୁ ମତେ ଗୋଟାଏ କାମରେ ନିଯୁକ୍ତି କଲୁ । କଥାହେଲା ଦୁଇ ହଜାର ଟଙ୍କା ମୁଁ ସେ କାମ ନିମନ୍ତେ ପାରିଶ୍ରମିକ ପାଇବି । ତୁ ମତେ ହଜାର ଟଙ୍କା ଦେଲୁ । ମୁଁ ତୋର କାମ କରିଦେଲି । ମୋର ବାକି ହଜାରକ ଟଙ୍କା ନଦେଇ ତୁ ମତେ ବର୍ତ୍ତମାନ ଓଲଟି ଗାଳିଦଇଚୁ । ଏ କ’ଣ ଭଦ୍ରତା ! ଏ କ’ଣ ନିମକ ସଚା କାମ !

ସଦାଶିବ– କିନ୍ତୁ ମୋର କାମ ହେଲା କିପରି ! ସେ ଯେ କଲିକତା ଛାଡ଼ି ପଳାଇ ଯାଇଚି ।

ପ୍ରମଥ– କିନ୍ତୁ ସେ ତ ବଡ଼ ସାମାନ୍ୟ କଥା । ତାକୁ ଧରି ପିଞ୍ଜରା ଭିତରକୁ ଆଣିବା କେତେ ଘଡ଼ି ! କିନ୍ତୁ ମୁଁ ଦେଖୁଚି କ’ଣ ! ମୁଁ ତାକୁ ଧରିବାପାଇଁ ଚେଷ୍ଟା କଲା ବେଳକୁ ତୁ ସେଥିରେ ପଦେ ପଦେ ବାଧା ଦଉଚୁ !

ସଦାଶିବ– ମୁଁ ବାଧା ଦଉଚି ! ଏ ତ ଗୋଟାଏ ଆଶ୍ଚର୍ଯ୍ୟ କଥା ।

ପ୍ରମଥ– ତୁ ବାଧା ଦଉ ନାହୁଁ ତ ଆଉ କ’ଣ ! ମୋର ଲୋକମାନଙ୍କ ପାଖରେ ଦୁଇ ଜଣ ବଜାରି ଗୁଣ୍ଡା କିଏ ନିଯୁକ୍ତ କଲା । ମୋ ମଟରର ଗତିକି କିଏ ଅବରୋଧ କଲା ! କଣ୍ଟେଇ ରୋଡ଼ ଷ୍ଟେସନରେ ମୋର ଲୋକମାନେ ତାକୁ ଧରିଲା ବେଳକୁ, କିଏ ତାକୁ ମଟର ଯୋଗାଇ ତା’ର ପଳାଇବାରେ ସାହାଯ୍ୟ କଲା !

ସଦାଶିବ– କିନ୍ତୁ ମୁଁ ତ ତାକୁ ଧରିବା ଉଦ୍ଦେଶ୍ୟରେ ହିଁ ଏସବୁ କରିଥିଲି ।

ପ୍ରମଥ– ଜଣକ ଉପରେ ଗୋଟାଏ କାର୍ଯ୍ୟର ଭାର ଦେଇ ସେଥିରେ ତୁମେ ପୁଣି ହସ୍ତକ୍ଷେପ କଲେ କାମ ହୋଇପାରିବ କିପରି ?

ସଦାଶିବ– କିନ୍ତୁ ବର୍ତ୍ତମାନ ଓ ସମୟ ଅଛି । ବର୍ତ୍ତମାନ ମଧ୍ୟ ଇଚ୍ଛାକଲେ ଆମେ ଦୁହେଁଯାକ ସେଇ ଏକ ଉଦ୍ଦେଶ୍ୟରେ ମିଳି ମିଶି କାର୍ଯ୍ୟ କରିପାରିବା ।

ପ୍ରମଥ– ସେଥିରେ ମୋର କିଛିମାତ୍ର ଆପତ୍ତି ନାହିଁ । ତୁମେ ତା’ର ଗତିବିଧି ବିଷୟରେ କ’ଣ ଜାଣ ?

ସଦାଶିବ– ବିଶେଷ କିଛି ନୁହେ, ତେବେ ମୋ ଚରମାନଙ୍କଠାରୁ ଶୁଣିଲି ଯେ ସେ କୁଆଡ଼େ କଣ୍ଟେଇ ରୋଡ଼ ଷ୍ଟେସନରେ ମୋ ମଟରଟାରେ ବସି ଜଳେଶ୍ୱର ଆଡ଼େ ପଳାଇଲା । ସେ ମଟରରେ ଗୋଟାଏ ପିସ୍ତଲ ଥିଲା । ତା’ ବୋଧହୁଏ ତା’ର ହାତରେ ପଡ଼ିଚି ।

ପ୍ରମଥ– ତାଇ କହ, ମୁଁ ଆଶ୍ଚର୍ଯ୍ୟ ହଉଥିଲି ଯେ ସେ ପିସ୍ତଲ ପାଇଲା କାହୁଁ ?

ସଦାଶିବ– ତା’ ପାଖରେ ପିସ୍ତଲ ଥିବା ତୁମେ ଜାଣିଲ କିପରି ?

 

ପ୍ରମଥ– ଶୁଣ, ମୋର ଲୋକମାନେ ମଟର କରି ଜଳେଶ୍ୱର ପର୍ଯ୍ୟନ୍ତ ତା’ ପଛରେ ଗୋଡ଼ାଇ ଥିଲେ । ସେହିଠାରେ ସେ ମଟର ଛାଡ଼ି ଦୌଡ଼ି ଦୌଡ଼ି ପଳେଇଲା । ମୋର ଜଣେ ଲୋକ ତା’ ପଛ ଧରିଲା । ତାକୁ ପ୍ରାୟ ଧରିବା ଉପରେ ଏପରି ସମୟରେ ସେ ପିସ୍ତଲ କାଢ଼ି ତା’ ଆଡ଼କୁ ଆୱାଜ କଲା । ତା’ର କିଛି କ୍ଷତି ହୋଇନାହିଁ, କିନ୍ତୁ ସେ ପଛେଇ ଯିବାରୁ ଧୋଇଆ ପୁଣି ଦୌଡ଼ି ପଳେଇଲା ।

 

ସଦାଶିବ– ସେ ତେବେ ବର୍ତ୍ତମାନ କେଉଁଠି ?

 

ପ୍ରମଥ– ତା’ ମୁଁ ଜାଣେନାହିଁ । ସେ ଅନ୍ୟ ଗୋଟାଏ ଲୋକକୁ ତାରିପରି ବେଶ୍‌ କରାଇ ମୋ ଲୋକଟାକୁ ବୁହେ ଭୁଆଁ ଦଉଡ଼େଇଲା ଓ ଇତି ମଧ୍ୟରେ ସେ ଅମର୍ଦାରୋଡ଼ ଷ୍ଟେସନ ପାଖରେ କୁଆଡ଼େ ‘ଗାଏବ’ ହୋଇ ଗଲା, ତାର ଚିହ୍ନମାତ୍ର ନାହିଁ ।

 

ସଦାଶିବ– ପିସ୍ତଲଟା ?

ପ୍ରମଥ– ଖୁବ୍‍ ସମ୍ଭବ ତା’ପାଖରେ ଅଛି ।

 

ସଦାଶିବବାବୁ ପ୍ରାୟ ପନ୍ଦର ମିନିଟ ପର୍ଯ୍ୟନ୍ତ ଗମ୍ଭୀର ହୋଇ ଭାବିଲେ । ତା’ପରେ କହିଲେ ‘‘ତୁ ଜାଣୁ, ପ୍ରମଥ, ମୁଁ କ’ଣ ଭାବୁଚି ? ସେ ଯଦି ଏହିପରି ମଫସଲରେ ଲୁଚି ଲୁଚି ବୁଲେ, ତା’ହେଲେ ତାକୁ ଖୋଜି ବାହାର କରିବା, କୁଟା ଗଦାରୁ ଛୁଞ୍ଚି ବାହାର କରିବାପରି କଷ୍ଟକର ହବ । ମୁଁ ଭାବୁଚି ପୁଲିସିଙ୍କି ତା’ପିଛା ଦେଲେ ହନ୍ତା ନାହିଁ ?

 

ପ୍ରମଥ– ପୁଲିସିକୁ ? ତୁକଣ ପାଗଲ ହେଲୁ ? ପୁଲିସିଙ୍କି ଏପରି କାମ ଭିତରକୁ ଆଣିବା ଅର୍ଥ ସବୁ ମାଟି କରିବା । ସେଗୁଡ଼ାକ କରିବେ କ’ଣ ? ନିତାନ୍ତ ଅନାଡ଼ି ଅପଦାର୍ଥ ଜାତି ।

 

ସଦାଶିବ– ସେଗୁଡ଼ାକ ପ୍ରକୃତରେ ଅନାଡ଼ି ଓ ଅପଦାର୍ଥ । ତେବେ ତାଙ୍କ ହାତରେ ଚୌକିଦାର ଦଫାଦାର, ଗୁପ୍ତଚର ଇତ୍ୟାଦି ଅନେକ ଅଛନ୍ତି । ସେମାନେ ଆଉ କିଛି କରିପାରନ୍ତୁ ବା ନପାରନ୍ତୁ, ଧୋଇଆକୁ ଯଦି ଖୋଜି ପଦାକୁ ଆଣନ୍ତି, ତା’ହେଲେ ଆମ ଉଦ୍ଦେଶ୍ୟ ସଫଳ ହୁଅନ୍ତା ।

 

ପ୍ରମଥ – କେଜାଣି ବାବୁ, ଏ ପୁଲିସିଗୁଡ଼ାଙ୍କୁ ମୋର ବଡ଼ ଭୟ । ତୁ କିପରି ତାଙ୍କୁ ଧୋଇକୁ ଖୋଜିବାରେ ମତେଇବୁ ?

 

ସଦାଶିବ– ତା’ପାଖରେ ଗୋଟା ବିନାଲାଇସେନ୍ସର ପିସ୍ତଲ ଅଛିନା ? ମୁଁ ଯଦି ଯାଇ ବାଲେଶ୍ୱର ଜିଲ୍ଲା ପୁଲିସିଙ୍କୁ କହେ ଯେ ଜଣେଲୋକ ପିସ୍ତଲ ଘେନି ଗୁପ୍ତବେଶରେ ଅର୍ମଦା ରୋଡ଼ ଷ୍ଟେସନ ପାଖରୁ ମଫସଲ ମଧ୍ୟରେ ବୁଲୁଚି ବୋଲି, ତା’ହେଲେ ସେମାନେ ସାଙ୍ଗେ ସାଙ୍ଗେ ଅରାଜକ ଦଳଙ୍କ ଗନ୍ଧ ପାଇ ମାତି ଉଠିବେ ।

 

ପ୍ରମଥ– ଉପାୟଟା ନିତାନ୍ତ ମନ୍ଦ ନୁହେ । କିନ୍ତୁ ସେମାନେ ତୋ କଥା ବିଶ୍ୱାସ କରିବେ କାହିଁ କି ?

 

ସଦାଶିବ– ଆରେ ତୁ କ’ଣ ଜାଣୁ, ଓଡ଼ିଶାରେ କମିଶନର ପର୍ଯ୍ୟନ୍ତ ମୋର ଖାତିରି କରନ୍ତି । ଆଉ ଜିଲ୍ଲା ମେଜେଷ୍ଟର କିବା ଲୋକ ।

 

ପ୍ରମଥ– ମନ୍ଦନୁହେ, କିନ୍ତୁ ବାବୁ ସାବଧାନ ମୋ ନା’ ଯେପରି ନପଡ଼େ ।

Image

 

୨୨

 

ରାଧାନାଥପୁର ଗ୍ରାମଟି ବାଲେଶ୍ୱର ଜିଲ୍ଲାର ଗୋଟିଏ ମାମୁଲି ଧରଣର ଗ୍ରାମ । ପୁରୀ କଟକବାସୀମାନଙ୍କର ଏପରି ଗ୍ରାମସବୁର କଳ୍ପନା କରିବା ବଡ଼ କଷ୍ଟ । ପ୍ରତ୍ୟେକ ଘର ଅନ୍ୟ ଘରଠାରୁ ନିତାନ୍ତ କମରେ ପ୍ରାୟ ହା ୫୦ ତ ଛଡ଼ା । ପ୍ରତ୍ୟେକ ଘରର ଚାରିଆଡ଼େ ବାଉଁଶ ଓ ବଣୁଆ ଗଛର ବେଢ଼ା । ଘର ଓ ବେଢ଼ା ମଧ୍ୟରେ ଶତକଡ଼ା ନବେ ଘରେ କେବଳ ଆଣ୍ଠୁଏ ଆଣ୍ଠୁଏ ଉଚ୍ଚର ଘାଷ, ଚାକୁଣ୍ଡା ବଣ ଓ ଲଟିବଣ । କେହି କେହି ଅବଶ୍ୟ ଏଥିରୁ ଖଣ୍ଡେ ଖଣ୍ଡେ ସଫାକରି ଛଣି, କର୍ପୂର ଇତ୍ୟାଦି ଗଛ ଲଗାଇ ଥାନ୍ତି । ବଡ଼ କ୍ୱଚିତ୍‌ କେହି କେହି ବାଡ଼ିରେ ବାଇଗଣ, କଖାରୁ ଇତ୍ୟାଦି ପନିପରିବା ଲଗାଇବାର ଦେଖାଯାଏ । ଏହି ବାଡ଼ି ମଧ୍ୟରେ ଗୋଟିଏ ଗୋଟିଏ ପୋଖରୀ ବା ଗାଡ଼ିଆ । ଗାଡ଼ିଆଗୁଡ଼ିକ ହୁଏତ ବିଲାତି ଦଳ, ଚିଙ୍ଗୁଡ଼ିଆ ଦଳ, ସିଙ୍ଗଡ଼ାଲଟି, ପଦ୍ମ ଓ କଇଁ ବୁଦା ଇତ୍ୟାଦିରେ ପୂର୍ଣ୍ଣ, ନ ହେଲେ ସେଥିରେ ବାଉଁଶ, ସଜନା, ବାଇଗବ ଇତ୍ୟାଦିର ପତ୍ର ପଡ଼ି ପାଣିଗୁଡ଼ାକ କଳା କିଟି କିଟି ଓ ପଚା ।

ସାଧାରଣ ଘରଗୁଡ଼ାକ ଦୁଇଭାଗରେ ବିଭକ୍ତ । ବଙ୍ଗଳା, ଖଞ୍ଜା ବଙ୍ଗଳା ଅର୍ଥାତ୍‍ ଗୋଟାଏ ଖୋଲିଘର । ଏଉଟା ବୈଠକ ଖାନା, ଅତିଥି ନିବାସ ଇତ୍ୟାଦିର କାର୍ଯ୍ୟକରେ । ସେଇ ବଙ୍ଗଳା ଡିହକୁ ଲାଗି ଭିତର ମୁହାଁ ଘରଗୁଡ଼ିକ ଖଞ୍ଜା । କାହାରି କାହାରି ଦୁଇ ଦୁଇଟା ଖଞ୍ଜା ଥାଏ । କେହିବା ମାଟି ଓ ଚାଳର ଦୋତାଲା ବନାଇ ଥାଏ । କିନ୍ତୁ ଘରର ଗଢ଼ଣ ଛୋଟ ବଡ଼ ସବୁଘରେ ପ୍ରାୟ ଏକାପରି ।

ସେମାନଙ୍କ ଘର ତିଆରି ପ୍ରଣାଳୀରୁ ପୁରୀ ଓ କଟକବାସୀଙ୍କର ଯଥେଷ୍ଟ ଶିଖିବାର ଅଛି-। ସେମାନଙ୍କର ଘରେ ଖମ୍ବ, ଦଲାନ ପ୍ରଭୃତି ଲାଗେନାହିଁ । କେବଳ ମାଟିରେ ଚାରିପଟରେ କାନ୍ଥ ଉଠାଇନେଇ ପାଡ଼ିଆ କାନ୍ଥ ଉପରେ ଉପରେ ଏପଟେ ସେପଟେ ଖଣ୍ଡେ ବାଉଁଶ ଦୋକାନ କରି ରଖିଦିଅନ୍ତି । ତାରି ଉପରେ ବାଉଁଶର ତୁଳି ଶେଣି ପକାହୁଏ । ଏହି ଶେଣି ଦିହରୁ ରୁଅ ସବୁ ଲମ୍ବି ଆସି କାନ୍ଥଉପରେ ଡେରିହୋଇ ରହେ । ତା’ପରେ କାନ୍ଥକୁ ମାଟି ଦେଇ ଆଉଟିକିଏ ବଢ଼େଇ ଦେଲେ ଚାଳ ଯଥେଷ୍ଟ ଦମ୍ଭ ହୋଇଯାଏ । ସେମାନେ ନଡ଼ାରେ ଛାଉଣି କରନ୍ତି ସତ, କିନ୍ତୁ, ସେ ପୁରୀ କଟକର ନଡ଼ାପରି ନୁହେ । ସେମାନେ ନଡ଼ାକୁ ଧାନଥିବା ସମୟରେ ବେଙ୍ଗେଳା ପକାନ୍ତି । ସେ କୁଟା ପାଲଟିଗଲେ, ତାକୁ ଉଞ୍ଚି ତା’ଦେହରୁ ଅଗିଲା ଗୁଡ଼ାକ କାଢ଼ିଦିଅନ୍ତି । କେବଳ ଧାନଗଛର ମୂଳଅଶଂଟାରେ ହିଁ ସେମାନଙ୍କର ଛପରବନ୍ଦ ହୁଏ । ଫଳରେ ପୁରୀ ଓ କଟକରେ ଘର ଚାଳଗୁଡ଼ାକ ଯେତେ ଜଲଦି ପଚିଯାଏ, ଏସବୁ ସେପରି ହୁଏନାହିଁ । ଏମାନେ ପ୍ରାୟ ତିନି ଚାରିବର୍ଷରେ ଥରେ ଘରଛପର କରନ୍ତି । କୋହି କୋହି ମଧ୍ୟ ତାଳବାହୁଙ୍ଗା ଛପର ଖାଇଁ ବ୍ୟବହାର କରିବାର ଦେଖାଯାଏ । ତାଳବାହୁକୁ କାଟି ପ୍ରଥମ ବାଲିଭିତରେ ପୋତି ରଖିବାକୁ ହୁଏ । କିଛିଦିନ ଗଲେ ସେଇ ବାହୁଙ୍ଗାକୁ କାଢ଼ି ରୁଅ ଉପରେ ପକାଇ, ତା’ଉପରେ କୁଟାର ଛାଉଣି କରାଯାଏ । ଏ ଛାଆଣି ବଡ଼ ମଜବୁତ ।

ଘରଗୁଡ଼ାକ ଏହିପରି ଛାଡ଼ି ଛାଡ଼ି ହୋଇ ରହିବାରୁ ଦାଣ୍ଡର ରାସ୍ତା ମଧ୍ୟ ବାର ବାଙ୍କରେ ବୁଲିଯାଏ । ଏବଂ ଗ୍ରାମ ମଧ୍ୟରେ ପ୍ରାୟ ତିନି ଚାରି କିମ୍ବା ଛଟା ରାସ୍ତା ବା ଗୋହିରି ରହିଥାଏ । ଘର ଛଡ଼ା ଛଡ଼ା ହୋଇ ରହିଲେ ମଧ୍ୟ ଏକା ସଳଖ ସିଧା ଦାଣ୍ଡିରେ ତିଆର ହୋଇ ପାରେ । କିନ୍ତୁ ସିଧା ସଳଖ କଥାଟା ଏ ରାଜ୍ୟରେ ଥିଲା ପରି ମନେହୁଏ ନାହିଁ । ଯେ ଯେଉଁଠି ପାଇଲେ ସେ ସେଠି ଖଣ୍ଡେ ଛପର ବାଡ଼େଇ ଦେଲା । ଖାଲି ଦେଖିବାର କଥା ଯେ ପଡ଼ିଶା ଘରଠାରୁ ତା’ର ଘରଟା ଯେପରି ଯଥେଷ୍ଟ ଦୂରରେ ରହେ । ଗ୍ରାମମାନଙ୍କରେ କୂଅ ଦେଖିବାକୁ ସ୍ୱପ୍ନ । ପୋଖରୀ ବା ଗଡ଼ିଆର ପାଣି ଏକମାତ୍ର ଆଶ୍ରୟ ଏମାନଙ୍କର ।

ଏ ପ୍ରକାର ଗ୍ରାମ ସଂଗଠନ ବୋଧହୁଏ ବାଲେଶ୍ୱରବାସୀ ବଙ୍ଗଳାରୁ ଶିଖିଚନ୍ତି । ବଙ୍ଗଳା ପାଖରେ ରହି ଏମାନଙ୍କର ଭାଷା, ବ୍ୟବହାର, ସାମାଜିକ ଆଚାର ପଦ୍ଧତି ଯେପରି ବଙ୍ଗାଳିମାନଙ୍କଦ୍ୱାରା ପ୍ରଭାବିତ, ସେମାନଙ୍କ ଗ୍ରାମ ସଂଗଠନ ମଧ୍ୟ ସେହିପରି । ତେବେ ଏପରି ଗ୍ରାମମାନଙ୍କରେ ଗୋଟାଏ ସୁବିଧା ଯେ, ଚୋର ଡକାୟତମାନେ ପୁଲିସ ଓ ଆଇନର ଅତ୍ୟାଚାରରୁ ଅନେକ ପରିମାଣରେ ରକ୍ଷାପାନ୍ତି–କାରଣ ନିର୍ବିବାଦରେ ଚୋରି ଡକାଇତି କରିବା ଏଣେ ଯେପରି ସୁବିଧା, ଧରାପଡ଼ିଲେ ଖସି ପଳେଇବା ମଧ୍ୟ ସେହି ପରି ସହଜ ।

ରାଧାନାଥପୁର ଗ୍ରାମଟି ଏହି ଧରଣର । ଗ୍ରାମ ମଧ୍ୟକୁ ବିଭିନ୍ନ ଦିଗରେ ତିନି ଚାରୋଟି ରାସ୍ତା । ଏହି ପ୍ରଧାନ ରାସ୍ତା ବା ଗୋହରି ମଧ୍ୟରୁ କେତେ କନ୍ଧି ବିକନ୍ଧି ଯେ ମେଲେଇ ଚାଲି ଯାଇଚି, ତା’ର କଳ୍ପନା କରିବା ବଡ଼ ସହଜ ନୁହେ । ଗ୍ରାମଟି ମଧ୍ୟମ ଶ୍ରେଣୀର । ପ୍ରାୟ ଦୁଇଶ କାନ୍ତର ଘର ହବ । ଏମାନଙ୍କ ମଧ୍ୟରେ ପ୍ରମିଳା ଓ ଶ୍ୟାମବାବୁଙ୍କ ଘର ବିଶିଷ୍ଟ ଧନୀ ଓ ଖାନଦାନ । ପ୍ରମିଳାଙ୍କର ଘର ପ୍ରାୟ ଗ୍ରାମର ମଝିରେ । ଦୋତାଲା କୋଠା, ଠାକୁର ବାଡ଼ି ଓ କଚିରି ଘର ଗୋଟାଏ ତରଫରେ । ରାସ୍ତାର ଆର ପାଖରେ ଗୁହାଳ ଘର, ଧାନ ‘କଢ଼େଇ’ ଓ ଅମାର ପ୍ରଭୃତି ।

ରହିବା ଘରର ଆଗ ସାହାଲାଟା ବଙ୍ଗଳା । ସେ ଗୋଟାଏ ସରୁଆ ଖୋଲା ଚିଲ । ଦୋତାଲା ଓ ବଙ୍ଗଳା ମଝିରେ ଗୋଟିଏ ପକ୍‌କା ଅଗଣା । ଅଗଣାର ଅପର ଦୁଇ ପାଖରେ କଚିରିଘର, ବୈଠକଖାନା ଓ ଅତିଥି ନିବାସ । ତା’ପରେ ଦୋତାଲା । ଦୋତାଲାର ଏକ ମହଲା ଘରଗୁଡ଼ାକର ଦୁଆର ପଛ ତରଫକୁ । ଅତିଥିଶାଳା ଓ ବୈଠକଖାନା ସାହାଲାର ଶେଷ ମୁଣ୍ଡ ଓ ଦୋତାଲାର ଶେଷ ମୁଣ୍ଡ ମଝିରେ ଗୋଟିଏ ଛୋଟ ପାଚେରି । ଏହି ପାଚେରି ଦିହରେ ଗୋଟିଏ ଦୁଆର । ଏହି ଦୁଆର ମଧ୍ୟ ଦେଇ ଏକ ମହଲାର ଦୁଆରଗୁଡ଼ିକୁ ଯିବାର ରାସ୍ତା । ବାହାର ପଟ କାନ୍ଥ ଦିହରେ ବଡ଼ ବଡ଼ ଝରକା ଅନେକ ଗୁଡ଼ିଏ । କଚେରି ଘର ତରଫକୁ ଲାଗି ଦୋତାଲା ଉପରକୁ ଯିବାର ଗୋଟାଏ ସିଡ଼ି । ଏଇ ସିଡ଼ିରେ ଉଠିଲେ ପ୍ରଥମେ ପଡ଼ିବ ଗୋଟିଏ ବଖରା । ଏ ଘରଟି ନାନା ପ୍ରକାର ଚିତ୍ରମାନଙ୍କଦ୍ୱାରା ସୁଶୋଭିତ । ମଝିରେ ଗୋଟିଏ ପିଆଶାଳ କାଠର ଚିତ୍ରକରା ଟେବୁଲ । ଟେବୁଲ ଉପରେ ନାନା ପ୍ରକାର ଫୁଲ ଲତା ଅଙ୍କା ଖଣ୍ଡିଏ ସଫା ଲୁଗା । ଟେବୁଲର ଚାରି ଧାରରେ ଚାରୋଟି ଗଦିବାଲା ଚୌକି, କାନ୍ଥକୁ ଲାଗି ଗୋଟିଏ ଗଦିବାଲା ତକ୍ତପୋଷ । ଏ ଘରଟି ଗୃହାଧିକାରିଙ୍କର ଖାସ କାମରା ।

ତା’ପରେ ଦୋତାଲାର ବାରଣ୍ଡା ଉପରେ ଗୋଟିଏ କାନ୍ଥ । ଏହି କାନ୍ଥ ଦିହରେ ଥିବା ଦୁଆର ଦେଇ ଗଲେ ପ୍ରକୃତ ରହିବା ଘରଗୁଡ଼ିକ ପଡ଼ିବ । ଏ ଘରକୁ ଲାଗି ପ୍ରମିଳାଙ୍କର ପଢ଼ିବା ଓ କାମ କରିବା ଘର । ତିନି ଚାରିଟା ଆଲମାରି ଦିହରେ ଧାଡ଼ି ଧାଡ଼ି ହୋଇ ଅନେକ ବହି ସଜା ହେଇଚି । ବାହାର ପଟ ଝରକାକୁ ଲାଗି ପଡ଼ିଚି ଖଣ୍ଡିଏ ଟେବୁଲ ଓ ସେ ଟେବୁଲ ପାଖରେ ଗୋଟିଏ ସିଧା ପିଠି ଚୌକି । ଚୌକିର ଡାହାଣ ତରଫରେ ଗୋଟିଏ ପୁରା ଆଲମାରି ଦିହରେ ଥାକ ଥାକ ହୋଇ କେତେଗୁଡ଼ିଏ ବହି, ତଳ ଥାକରେ କେତେଖଣ୍ଡି ବନ୍ଧାଇ ଖାତା । ଟେବୁଲ ଉପରେ ଗୋଟିଏ ଶଙ୍ଖ ମଲ ମଲ ପଥରର ଦୁଆତ ଓ କଲମଦାନି । ଏହି ଝରକାର ସାମନା ଝରକା ପାଖରେ କାନ୍ଥ ଆଡ଼କୁ ମୁହଁ କରି ପଡ଼ିଚି ଆଉ ଖଣ୍ଡିଏ ଚୌକି ଓ ଏହି ଚୌକିର ସାମ୍ନାରେ କନା ଘୋଡ଼ଣି ଭିତରେ ଥୁଆହୋଇଚି ଗୋଟିଏ ଟେବୁଲ ହାରମୋନିୟମ । କୋଠରିର ଅନ୍ୟ ତରଫ କାନ୍ଥ ଦିହରେ ଲଟକା ଯାଇଚି କନାର ମୁଣି ମଧ୍ୟରେ ଖଣ୍ଡିଏ ସୀତାର ଓ ଖଣ୍ଡିଏ ଏସ୍ରାଜ । ଏହି ତରଫର ବାହାର ଝରକାକୁ ଲାଗି ଗୋଟିଏ ଚୌକି ପାଖରେ ଗୋଟିଏ ଛୋଟ ଟେବୁଲ ଉପରେ ଥୁଆହୋଇଚି ପ୍ରମିଳାଙ୍କର ସିଲେଇ ବାକ୍ସ । ଯେ ଯେଉଁଠି ରହିବାର ସେହିଠାରେ ରହିଛି-। ଘରଟି ପରିଷ୍କାର, ପରିଚ୍ଛନ୍ନ । ଏପରିକି ଟେବୁଲ ଦିହରେ ଅଥବା ଘରର ଚଟାଣରେ ବୁନ୍ଦାଏ କାଳି ପଡ଼ିବାର ଦେଖାଯିବ ନାହିଁ ।

ଏ ବଖରାର ପରେଥିଲା ସରୋଜିନୀ ଦେବୀଙ୍କର ଶୋଇଲା ଘର । ତାଙ୍କର ମୃତ୍ୟୁପରେ ଏ ଘରଟା ଖାଲିପଡ଼ିଚି । ତା’ପାଖରେ ପ୍ରମିଳାଙ୍କର ଶୋଇବା ଘର ଓ ତା’ର ଆରପଟେ ଗୋରାବୋଉଙ୍କ ଶୋଇବା ଘର । ଏହି ଘରପାଖରୁ ଭିତର ପଟ ବାରଣ୍ଡାକୁ ଯିବାପାଇଁ ଗୋଟିଏ ସିଡ଼ି । ତଳ ମହଲାରେ ଗୋଟିଏ ବୈଠକଖାନା, ସେ ସ୍ତ୍ରୀମାନଙ୍କର । ଏହାର ସାଜ ସଜ୍ଜା ଅନ୍ୟ ବୈଠକଖାନା ଅପେକ୍ଷା ବେଶୀ ଚମତ୍‌କାର, ବେଶୀ ସୁନ୍ଦର ଓ ବେଶୀ ମନୋହର । ତେବେ ଏଥିରେ ଗଦିବାଲା ଚୌକି, କୁରୁଚି ବା ଖଟନାହିଁ । ଘରର ମଝିରେ ହାତେ ଉଚ୍ଚର କେତେଖଣ୍ଡି କାଠର ତକ୍ତପୋଷ । ତା’ଉପରେ ଭେଲଭେଟ କାଗଜ ଗଦି ଓ ସେ ଗଦିଉପରେ ରେଷମି ଚାଦର-। ସ୍ଥାନେ ସ୍ଥାନେ ଝିଲିମିଲି କାମକରା ଗୋଲ, ଲମ୍ବା ଓ ଚୌଖୁଣ୍ଟି ବାଲିଶି । ଏ ମହଲାର ବାକି ଘରମାନଙ୍କମଧ୍ୟରେ ଭଣ୍ଡାର ଘର, ଚାକର ବାକରଙ୍କର ରହିବା ଘର ଇତ୍ୟାଦି । ତା’ପରେ ଆଉ ଗୋଟିଏ ଅଗଣା । ଏଇ ଅଗଣା ମଝିରେ ଗୋଟିଏ ନଳଲଗା କୂଅ, କୂଅ ପାଖରେ ଗାଧୋଇବା ଘର ଓ ଗାଧୋଇବା ଘରର ଅନ୍ୟ ତରଫରେ ପାଇଖାନା । ଏ ଦୁଇ ମଧ୍ୟରେ ଖିଡ଼ିକି ବା ବାଡ଼ିଦୁଆର । ଏ ପ୍ରସ୍ତଟି ପାଚିରି ଘେରା । ଖିଡ଼ିକି ଦୁଆର ଭିତର ଦେଇ ବାଡ଼ିଆଡ଼କୁ ବାହାରିପଡ଼ିଲେ, ଦେଖିବ ‘ଦେଶୀ ବିଦେଶୀ ନାନାରକମ ନାନା ବର୍ଣ୍ଣ ଓ ନାନା ସୁବାସର ଫୁଲଗଛ ଧାଡ଼ି ଧାଡ଼ି ହୋଇ ଲଗାହୋଇଚି । ଏହି ଧାଡ଼ିମାନଙ୍କ ମଧ୍ୟରେ ପକ୍କାର ଗୋଟିଏ ରାସ୍ତା ଖିଡ଼ିକି ପୋଖୋରୀ ପର୍ଯ୍ୟନ୍ତ ଲମ୍ବିଯାଇଚି । ପୋଖରୀଟି ମଝିଲା ରକମର । ତୁଠଟିରେ ପକ୍କାପାହାଞ୍ଚ ଓ ପାହାଞ୍ଚ ଉପରେ ଲମ୍ବା ଲମ୍ବା ଦୁଇଟି ପକ୍କା ବେଞ୍ଚ । ପାଣିଟି କାଚକେନ୍ଦୁପରି ନିର୍ମଳ । ପାଣି କୂଳରେ କୌଣସି ଗଛ ପତ୍ର ରଖା ଯାଇନାହିଁ ।

ସେଦିନ ବେଳା ପ୍ରାୟ ଚାରିଟା ବାଜେ । ପ୍ରମିଳାଦେବୀ ତାଙ୍କ ପଢ଼ିଲାଘରେ ବସି ଖଣ୍ଡିଏ ଓଡ଼ିଆ ଉପନ୍ୟାସ ପଢ଼ୁଚନ୍ତି । ଅର୍ଥାତ୍‌ ଉପନ୍ୟାସ ଖଣ୍ଡି ମେଲାହୋଇ ଆଗରେ ପଡ଼ିଚି । ମୁହଁଟି ତାଙ୍କର ସେଇ ଆଡ଼କୁ, କିନ୍ତୁ ଆଖିରେ ସ୍ୱର୍ଗ ସ୍ୱପ୍ନର ଆଭା ଲାଗିରହିଚି । ସେ କ’ଣ ଭାବୁଚନ୍ତି-? ଦେବଦୁଲ୍ଲଭ ରୂପମୟି, ଉଚ୍ଛ୍ୱସିତହୃଦୟା ପ୍ରେମାଭିଳାଷି ଷୋଡ଼ଶୀ କ’ଣ ଆଉ ଭାବେ-? ଆମ୍ଭେମାନେ ଜାଣୁଁ ସେ କ’ଣ ଭାବୁଥିଲା । କିନ୍ତୁ ସେ ଷୋଡ଼ଶୀ ରୂପସୀର ପବିତ୍ର କଳ୍ପନା, ତାକୁ ପ୍ରକାଶ କରି ଅପବିତ୍ର କରିବାରେ ଦାୟି ହେବାପାଇଁ ଆମ୍ଭେମାନେ ନିଶ୍ଚୟ ରାଜି ହେବୁନାହିଁ ।

ସେ ହଠାତ୍‌ ଚମକି ପଡ଼ିଲେ । ବାହାରକୁ ଅନାଇଁ ଦେଖିଲେ ସଦର ଦରୁଜା ପାଖରେ ଗୋଟିଏ ଯୋଗୀ । ଶାଳଗଛ ପରି ସଳଖ ସୁନ୍ଦର ଦେହ । ଆଖି ଦୁଇଟି ସ୍ନିଗ୍ଧ ଉଜ୍ଜ୍ୱଳ, ମୁହଁରେ ମାଟି ଓ ପାଉଁଶ ବୋଳା ହୋଇଥିଲେ ମଧ୍ୟ ତାହାର ସରସତା ଓ ସୁକୁମାରତା ଏକାବେଳକେ ଲୁଚି ଯାଇନାହିଁ । ବାହା ଦୁଇଟା ଲୁହାଧାରଣା ପରି ଠିଆ ହୋଇଚି । କେନ୍ଦେରା ଧରି ବଜାଇଲା ବେଳେ ସେ ପ୍ରଶସ୍ତ ଛାତିର ମାଂସପେଶୀଗୁଡ଼ାକ ନାଚି ଉଠୁଚି । ଯୋଗୀ ଗାଉଚି–

କିବା କଥାକୁ ଗୋ ତୋର ଏତେ ଋଷଣ

କି ବେଦନା ମନେ ମନେ ରଖୁ ଅଜଣା

ଜାଣନ୍ତରେ କିଛି ତୋତେ, କହି ମୁଁ ନାହିଁ କିଞ୍ଚିତେ

ଅଜାଣନ୍ତ ଦୋଷେ ସିନା ବିହିତ କ୍ଷମା ।

ତୋର ଚାଲିଗଲେ ଧୂଳି, ହୁଅଇ ମୁଁ ଦେହେ ବୋଳି

ତୋ ଛଡ଼ା କୁସୁମେ ଶେଯ, କରେ ରଚନା ।

ତୋର ରୂପ ହୃଦେ ଭଜି, ଆନଠାରେ ଥିଲେ ମଜ୍ଜି

ତୋ ବିହୁନେ ଚିତ୍ରପୂଜା ପରି ସେ ସିନା ।

ଅନନ୍ତେ କରି ମୁଁ ଭକ୍ତି, ପିତୁଳାରେ କରେଁ ନତି

ତା’ ଲାଗି କି ହେବ ମୋର ଭାଗ୍ୟେ ଯାତନା ।

ତୋତେ ଭଜିବାଟି ଦୋଷ, ହେଲା ଯେବେ ମୁଁ ଅବଶ୍ୟ

ଚନ୍ଦନ ପରି ଲେପିବି ଅଙ୍ଗେ ଗଞ୍ଜଣା ।

ଗୀତଟାର ଅଧା ପର୍ଯ୍ୟନ୍ତ ଶୁଣି ପ୍ରମିଳାଙ୍କର ଭ୍ରୂଲତା କୁଞ୍ଚିହୋଇଗଲା । ଏ ଗୀତ’ତ ଯୋଗୀଗୀତ ନୁହେ । ଏ ଭାବତ ଯୋଗୀ ଗୀତର ଭାବ ନୁହେ । ସେ ବୁଝିଲେ ଗୀତଟି କୌଣସି ଅକବି ହାତର ଲେଖା, ତଥାପି ତାହାର ଭାବ, ତାହାର ରାଗିଣୀ ଓ ତାହାର ପଦବିନ୍ୟାସ ଯୋଗୀ ଗୀତଠାରୁ ଢେର ଢେର ଭିନ୍ନ । ଯୋଗୀ ଗୀତର ସରଳତା, ସୁବୋଧତା ଓ ସହଜ କରୁଣ ଭାବ ଏଥିରେ ନାହିଁ । ଏ ଗୀତଟି ନିରକ୍ଷର ଯୋଗୀର ଗୀତ ? ଏ ରୂପ କି ଭୋଖିଲା ଯୋଗୀର ରୂପ ? ତା’ପରେ ସେ ସ୍ୱର, କି ଚମତ୍‌କାର ! କି କୋମଳତା ! କି କମ୍ପନ ! କି ମୂର୍ଚ୍ଛନା !, ନା, ଏ ଯୋଗୀ ହୋଇ ପାରେନାହିଁ । ହୁଏତ କେହି ଛଦ୍ମବେଶୀ । ନ ହେଲେ କେହି ଭଦ୍ରସନ୍ତାନ ଦୈବ ଦୁର୍ବିପାକରୁ ଏ ଅବସ୍ଥାରେ ଆସି ପହଞ୍ଚିଚନ୍ତି । ଉଠିଯାଇ ବରଣ୍ଡାର ବାଡ଼ାଧରି ଡାକିଲେ ‘‘ହରିଆ, ହରିଆ, ଯୋଗୀଙ୍କୁ ଏପଟକୁ ଡାକିଦେତ’’ । ଯୋଗୀ କେନ୍ଦେରାରୁ ମୁହଁଟେକି ଚାହିଲେ । କ୍ଷଣକପାଇଁ ସେ ଦେଖିଲେ ଜୀବନ୍ତ ତାଙ୍କର ସେଇ ସ୍ୱପ୍ନର ରାଣୀ । ସେ ତଟସ୍ଥ ହୋଇଗଲେ । ଏ ସାମଞ୍ଜସ୍ୟ କି ସମ୍ଭବ ? କଳ୍ପନା କି ମନଭିତରୁ ବାହାରି ପ୍ରକୃତରେ ରକ୍ତ ମାଂସର ଶରୀର ଧରିପାରେ ? ସେ ଚକିତ ହୋଇ ଚାହିଁ ରହିଲେ । ବିଜୁଳି ପରି ସେ ମୂର୍ତ୍ତି ତାଙ୍କ ଆଖିର ଅନ୍ତରାଳକୁ ଚାଲିଗଲା । ତାଙ୍କର ଚେତନା ହେଲା ସେ ଭାବିଲେ ‘‘ନା, ଏ, ମୋ କଳ୍ପନାର ଖେଳ । ଅନେକଦିନ ହେଲା ଖାଇବା, ପିଇବା, ଶୋଇବା ଇତ୍ୟାଦି ସୁବିଧାରେ ନ ହୋଇଥିବାରୁ ବୋଧହୁଏ ତାଙ୍କର ମୁଣ୍ଡ ଗରମ ହୋଇ ଗଲାଣି । ହରିଆ ! କହିଲା ‘‘ଏ ଯୋଗୀ ଭାଇ, ସାନ୍ତାଣୀ ଡାକୁଚନ୍ତି, ଭିତରକୁ ଆ’’ ତୁ ଏମାନଙ୍କ ସାଙ୍ଗରେ ଯା । ମୁଁ ତନକା ସଜାଡ଼ି ନଉଚି । ଯୋଗୀ ଭାବିଲେ ତା’ହେଲେ କ’ଣ ସେ ଯାହା ଶୁଣିଲେ ଓ ଦେଖିଲେ ସେ ସତ ? ତାଙ୍କର ଛାତିଟା ଯେପରି ଚହଟି ତାଙ୍କ ପାଟି ଭିତରକୁ ଚାଲିଆସିଲା । କିଏ କି ଉତ୍ତେଜନାରେ ତାଙ୍କର ସମୁଦାୟ ଦେହ ଥର ଥର କରି କମ୍ପିବାକୁ ଲାଗିଲା-। ସେ ଚାକରମାନଙ୍କର ପଛେ ପଛେ ଭିତର ପଟକୁ ଗଲେ । ଦେଖିଲେ ତିନି ଚାରିଟା ଚାକରାଣୀ ଓ ଗୋରାମାଙ୍କ ମଝିରେ ତାଙ୍କର ସେଇ ସ୍ୱପ୍ନର ରାଣୀ । ସେ ଆଖିକୁ ବିଶ୍ୱାସ କରି ପାରିଲେ ନାହିଁ । ଥରେ ଦିହାତରେ ଦୁଇ ଆଖିକୁ ଭଲକରି ମଳିନେଲେ । ଦେଖିଲେ ସେଇ ସଜୀବ ସ୍ୱପ୍ନର ଅପ୍ସରା ମୂର୍ତ୍ତି । ତା’ପରେ ତାଙ୍କର ଯାହାହେଲା, ସେ ଗୋଟିଏ ବଡ଼ କୌତୁକର କଥା-। ସେ ଉତ୍ତେଜନା, ସେ ଚାଞ୍ଚଲ୍ୟ ସେ ଅସ୍ଥିରତା ତାଙ୍କର କେଉଁଆଡ଼େ ନିମେଷକ ମଧ୍ୟରେ ଉଭେଇଗଲା । ତା’ ସ୍ଥାନରେ ଆସିଲା, ଗୋଟାଏ ଅପୂର୍ବ ଶାନ୍ତି, ଅଦମ୍ୟ ବିଶ୍ୱାସ ଓ ଅସୀମ ଉତ୍ସାହ-। ସେ ନମସ୍କାର କରି କହିଲେ ‘‘ମା, ମତେ ଡାକୁଥିଲେ ?’’

ଗୋରାବୋଉ– ଗାତ, ବାପ, ଆଉ ଗୋଟିଏ ଗୀତ । ତୁ ବେଶ୍‍ ଗାଉ । ତୋ ଘର କେଉଁଠି ବାପ ।

ଯୋଗୀ– ମୋ ଘର, ମା, ଅନେକ ଦୂର । ସେ ଦରିଆର ସେପାରିରେ, ଯେଉଁଠି ଅଛି ଖାଲି ବସନ୍ତର ମଧୁର ଉନ୍ମାଦନା, କୋକିଳର ପ୍ରାଣ ମତାଣିଆ କୁହୁରବ, ମଳୟର ମନ୍ଦ ମନ୍ଦ ସୁଗନ୍ଧ ପ୍ରବାହ ।

ପ୍ରମିଳାଙ୍କର ମନରୁ ସନ୍ଦେହ ଦୂର ହୋଇଗଲା । ଏ ଭାଷା ନିରକ୍ଷର ଯୋଗୀର ତ ନୁହେ, ବରଂ ଅତି ଉଚ୍ଚଶିକ୍ଷିତ ଭାବପ୍ରବଣ ଯୁବକର । କିନ୍ତୁ ଏ କିପରି ? ଅତି ଉଚ୍ଚଶିକ୍ଷିତ ଭାବପ୍ରବଣ ଯୁବକକି ଏ ମଇଳା ଛିଣ୍ଡାକନା ପିନ୍ଧି କେନ୍ଦେରା ବଜାଇ ଗାଁ ଗାଁ ହୋଇ ବୁଲେ ?

ଜଣେ ଚାକରାଣୀ କହିଲା, ‘‘ଏମା, ଏ ଲୋକଟା କ’ଣ ଗୁଡ଼ାଏ ଗଫୁଚିମ ? ବାୟା କିଲୋ, ଏଉଟା ?’’

ଗୋରାବୋଉ– ତୁ କ’ଣ ଯେ କହିଲୁ ବାପ, କିଛି ବୁଝି ହେଲାନାହିଁ ।

ପ୍ରମିଳା– ବୁଝି ଆଉ ହବ କ’ଣ ? ଆଛା, ଯୋଗୀ ଗାଅତ ଗୋଟିଏ ଭଲ ଗୀତ ?

ଯୋଗୀ ଆଉ ବାକ୍ୟବ୍ୟୟ ନକରି କେନ୍ଦେରାରେ ଦୁଇ ଚାରିଥର ଆଘାତକରି ଗାଇଲେ-!

ପାରିଜାତ ଫୁଲ କିମ୍ପା ତଳେପଡ଼ି ଲୁଟେ ଗୋ

ସରଗର ଚାନ୍ଦ କିମ୍ପା ରସାତଳେ ଫୁଟେ ଗୋ ।

ସଂସାର ଯାତନା ଭାରି ସହିବକି ଏ କିଶୋରି

ନବନୀତ ଅଙ୍ଗ ସିନା ଯିବା ଝାଉଁଳି

ମାନବର ଶୁଷ୍କ କର କରି ଦେବ ଛାର ଖାର

ପାରିଜାତ ଫୁଲ ସିନା ଯିବ ମଉଳି ।

ଛୁଅଁନା ଛୁଅନା ତାରେ ଭାସିଯିବ ମଳୟରେ

କୋକିଳର ତାନେ ତାନେ ଯିବ ସେ ଉଡ଼ି

ଶୀତଳ ଏ ଶୀତ କର ଛୁଇଁ ଉଷ୍ଣାଙ୍ଗ ତୋହର

ଅତଳ ଜଳଧି ଜଳେ ଯିବଟି ବୁଡ଼ି ।

ଯୋଗୀ ଗୀତଟି ଗାଉଥାଏ । ଆଉ ପ୍ରମିଳା ସ୍ୱପ୍ନ ଦେଖୁଥାନ୍ତି :– ଗୋଟିଏ ଫୁଲସାଜରେ ସଜ୍ଜିତ, ଅତର ଗନ୍ଧରେ ଆମୋଦିତ ବୈଠକଖାନା । ଗୋଟିଏ ଟେବୁଲ ହାରମୋନିୟମ ପାଖରେ ଜଣେ ପ୍ରଶାନ୍ତ ମନୋହର ଯୁବକ, ବୟସ ଅନ୍ଦାଜ ୨୦।୨୧ । ଯୁବକ ହାରମୋନିୟମରେ ସୁର ଦେଇ ଗୀତ ଗାଇ ଯାଉଚନ୍ତି । ଆଉ ସେ, ତେର ବର୍ଷର ବାଳିକା ମାତ୍ର, ତାଙ୍କର ମନ ପ୍ରାଣ ସବୁ ଦେଇ ସେ ସ୍ୱରଟି ଶୁଣୁଚନ୍ତି, ସେ ରୂପଟି ଦେଖୁଚନ୍ତି । ତାଙ୍କର ସଖୀ–ସେ କିଏ ? ହଁ ସୁଶୀଳା ତାଙ୍କ ପାଖରେ ବସି କେତେ କ’ଣ ଯେ ଗଫୁଚି । କି ମୂର୍ଖ ଏଉଟା– ଏ ରୂପ, ଏ ସ୍ୱର ଛାଡ଼ି ତା’ର ସେ ଶୁଖିଲା ଗଫ ଶୁଣେ କିଏ ? ସେ ଗାଉଥିଲେ ସେଦିନ ଏଇ ଗୀତଟିକ, ଏହିପରି ଭାବରେ, ଏହିପରି ଛଳରେ । ୟେ କ’ଣ ସେଇ ? କି ବୋକାମି, ସେ ଯେ ଜଣେ ଉଚ୍ଚ ଶିକ୍ଷିତ ଆର୍ଟିଷ୍ଟ, ତାଙ୍କ ହାତଅଙ୍କା ଚିତ୍ରଟିପାଇଁ ଶୁଣିଚନ୍ତି ସେ, ରାଜା ମହାରାଜାମାନେ ହଜାର ହଜାର ଟଙ୍କା ଦେବାକୁ ରାଜି । ସେ ନିଜେ ଧନୀଘରର ସନ୍ତାନ । ତାଙ୍କର ଅଚଳାଚଳ ସମ୍ପତ୍ତି । ସେ କି ସୁଖରେ ଯୋଗୀ ହୋଇ ବୁଲିବେ ? ସେ ତାଙ୍କୁ ଦେଖିଥିଲେ ସେଇ ଦିନକ । କିନ୍ତୁ ସେଇ ଦିନକର ଦେଖାରେ ତାଙ୍କର ଫୁଟି ଆସୁଥିବା ହୃଦୟଟି କେବଳ ତାଙ୍କରିମୟ ହୋଇ ଯାଇଥିଲା । ବାଳିକାର ସେ ସୁଖସ୍ୱପ୍ନ ଏପର୍ଯ୍ୟନ୍ତ ତାଙ୍କ ହୃଦୟର ନିଭୃତତମ ଦେଶରେ ସେ ଲୁଚାଇ ରଖିଚନ୍ତି । ତାଙ୍କର ଅତି ପବିତ୍ର ମୁହୂର୍ତ୍ତଗୁଡ଼ିକରେ ସେ ସମସ୍ତଙ୍କର ଅଜଣାରେ ସେହି ପୋତାଧନଟିକୁ କାଢ଼ି ବେଳେ ବେଳେ ଦେଖନ୍ତି । ପରେ ଯେତେବେଳେ ସେ ବାତୁଳାମି ଛାଡ଼ିଯାଏ, ବୁଦ୍ଧି ତା’ର ଆସନ ମାଡ଼ିବସେ । ସେ ଦେଖନ୍ତି ଏ ତାଙ୍କର ଗୋଟାଏ ମସ୍ତବଡ଼ ବାତୁଳାମି ସେ ଆଉ ୟେ । ସେ କାହିଁକି ୟାଙ୍କୁ ପଚାରିବାକୁ ଯିବେ ? ୟାଙ୍କଠାରୁ ବଳି କେତେ କେତେ ସୁନ୍ଦରୀ ବାଳିକା ତାଙ୍କ ପାଦଧୂଳି ନବାଲାଗି କେତେ ଚେଷ୍ଟା କରୁଥିବେ । ସେ ହୁଏତ ଏତେ ବିବାହ କରି– । ତାଙ୍କର ମନ ଆପଣାଉପରେ ବିରକ୍ତ ହୋଇ ଉଠେ । ସେ ନିଜକୁ ବୋକା, ଗଧ, ପାଗଳ ଇତ୍ୟାଦି କେତେ ପ୍ରକାର ଗାଳିଦିଅନ୍ତି ।

ଆଜି ୟେ ଗୀତଟି ଶୁଣି ଶୁଣି ସେଇ ଅଭିନୟଟା ତାଙ୍କ ହୃଦୟରେ ହୋଇ ଯାଉଥିଲା । ଗୀତ ସରିଲା ‘‘ଯୋଗୀ କେନ୍ଦେରାଟି ତଳେ ରଖିଦେଇ ଲୁଗା କାନିରେ ମୁଁହରୁ ଝାଳ ପୋଛିଦେଲେ’’ ହରିଆ ତବକା ଆଣି କହିଲା ‘‘ଯୋଗୀ ଭାଇ, ହେଇଟି ତୁମପାଇଁ ତବକା ଆଣିଚି’’ ପ୍ରମିଳାଙ୍କର ଅଭିନୟ ମଧ୍ୟ ସରିଲା । ସେ କହିଲେ ‘‘ଯୋଗୀ,’ଏ ଗୀତ ତ ଯୋଗୀଗୀତ ନୁହେ ତୁମେ କ’ଣ ପାଠ ଶାଠ ପଢ଼ିଥିଲ ?’’

ଯେଗୀ– ପାଠ ତ ପଢ଼ିଚି ଅନେକ, କିନ୍ତୁ ଶାଠଟା–

ପ୍ରମିଳା– ପାଠ ଶାଠ ପଢ଼ି ତା’ହେଲେ ଯୋଗୀ କାହିଁକି ?

ଯୋଗୀ– ଶାଠ ପଢ଼ିଥିଲେ ବୋଧହୁଏ ଯୋଗୀ ହୋଇ ନଥାନ୍ତି । କିନ୍ତୁ ପାଠ–ସେ ଯେ ମଣିଷକୁ ପାଗଳ କରିଦିଏ, ଗୋ, ଜିଅନ୍ତା ମଣିଷକୁ ଭୂତ ବନେଇଦିଏ । ତୁମେ କେବେ ପାଠ ପଢ଼ିବ ନାହିଁଟି !

ପ୍ରମିଳା– ତୁମେ କ’ଣ ସତରେ ପାଗଳ ? ଆଛା, ଯୋଗୀ, ପାଠତ ପଢ଼ିଲ, ଚାକିରି ବାକିରି କରି ପେଟ ପୋଷିଲ ନାହିଁ, କାହିଁକି ? ଏ ଯୋଗୀ ବୃତ୍ତି ତୁମଭଳି ଶିକ୍ଷିତ ଲୋକକୁ କି ସାଜେ ?

ଯୋଗୀ– ନ ସାଜିବ କାହିଁକି ? ଯୋଗୀ ହେବାରେ କିଛି ମାନହାନି ତ ନାଇଁ । ସ୍ୱୟଂ ଦେବାଧି ଦେବ ଭୂତନାଥ ଯୋଗୀ । ଦିନେ ସୃଷ୍ଟିକର୍ତ୍ତା ରାଧାଙ୍କ ପ୍ରେମରେ ବିହ୍ୱଳ ହୋଇ ଯୋଗୀ ସାଜିଥିଲେ ।

ପ୍ରମିଳା– ତା’ହେଲେ କ’ଣ ତୁମେ ପ୍ରେମ ହେତୁରୁ–ଆଉ ଶେଷକରି ପାରିଲେ ନାହିଁ । ତାଙ୍କର ମୁହଁଟି ନାଲ ପଡ଼ିଗଲା ।

ଯୋଗୀ– ପ୍ରେମ ? ସେ କ’ଣ ଜାଣ ? ସେ ବୁଦ୍ଧି ବିବେକର ଚିତାନଳ, ସବୁ ପୋଡ଼ି ପକେଇ ରଖିବ ଖାଲି ନିଜକୁ । ନା, ବାବୁ, ପ୍ରେମର ଧାର ମୁଁ ଧରେ ନାହିଁ ।

ଗୋରାବୋଉ– ତୁମେ ବାହା କରିଚ, ଯୋଗୀପୁଅ ?

ଯୋଗୀ– ମୁଁ ? ବାହା ? ହୁଁ ।

ଗୋରାବୋଉ– ତୁମର ପିଲାଛୁଆ କେତୋଟି ?

ଯୋଗୀ– ଚାରି ପୁଅ, ପାଞ୍ଚ ଝିଅ, ତିନି ମାଈପ ମୋର

ପ୍ରମିଳା– କି ନିଆଁଗିଳା ମିଛକଥା ଗୁଡ଼େ କହୁଚ ତୁମେ ? ଆଛା, ତୁମକୁ ଯଦି କେହି ଚାକିରିଟିଏ ଦିଏ, ତା’ହେଲେ ତୁମେ କରିବ ?

ଯୋଗୀ– କିନ୍ତୁ ସେ ଲୋକଟି କିଏ, ନଜାଣିଲେ ତ ମୁଁ କିଛି କହି ପାରୁନାହିଁ ।

ପ୍ରମିଳା– ଆଛା, ତୁମେ ଗୀତ ଗାଇବା ଛଡ଼ା ଆଉ କ’ଣ କରିପାର ?

ଯୋଗୀ– ସବୁ କରିପାରେଁ, ପାଣି ବୋହିବା, କୋଡ଼ିହାଣିବା, ଗୁହାଳ ପୋଛିବା ଏସବୁ ପାରେଁ ।

ପ୍ରମିଳା– ଆରେ ଧାତ୍‌, ତୁମକୁ ଏସବୁ କରିବାକୁ କିଏ କହୁଚି ? ତୁମେ ଲେଖାପଢ଼ି ଜାଣ ? ହିସାବ ପତ୍ର ରଖିପାରିବ ?

ଯୋଗୀ– ତା’ ଖୁବ୍‌ ରଖିପାରିବି, ପାଞ୍ଚ ଦିଗୁଣେ ବାର ଛ ଦିଗୁଣେ ଦଶ । ମୁଁ ହିସାବପତ୍ର ରଖି ଜାଣିବି ନାହିଁ ?

ପ୍ରମିଳା– ଆଛା ବେଶ୍‌, ତୁମେ ଆଜିଠାରୁ ଆମଘର ଖର୍ଚ୍ଚର ହିସାବପାତି ରଖିବ । ବଜାର ସଉଦା କରିବ । ରାଜି ଅଛ ?

ଯୋଗୀ– ରାଜିତ ଅଛି, କିନ୍ତୁ, ମୋର ଗୀତ ଦୁଇ ଚାରିଟା ନଗାଇଲେ ଭାତ ଜୀର୍ଣ୍ଣ ହୁଏନାହିଁ ।

ପ୍ରମିଳା– ତା’ବେଶ୍‌, ଯେତେ ଇଚ୍ଛା ସେତେ ଗୀତ ଗାଇପାର ତୁମେ ।

ଗୋରାବୋଉ– ତୁ କ’ଣ ପାଗଳ ହେଲୁ ପେମି ? ଏ ଲୋକଟା ଚୋର କି ଡକେଇତ, ଖଣ୍ଟ କି ପାଜି କିଛି ଜଣାଶୁଣା ନାହିଁ । ତାକୁ ତୁ ଘରେ ରଖିବୁ କିପରି ?

ପ୍ରମିଳା– ମିଛଟାରୁ ଗୁଡ଼େ ବକ କେନେ ଗୋ ? ଦେଖୁନାହଁ ଏ ଭଦ୍ରଲୋକ ଘରର ପିଲା । ତା’ହେଲେ ତୁମେ ଆଜିଠାରୁ ଆମ କାମରେ ବାହେଲ ହେଲ । ହଁ, ତୁମ ଦରମାଟା ?

ଯୋଗୀ– ସେ ଯାହା ତୁମର ଖୁସି । ଦରମା ଯାହା ଦବ ସେ ତୁମ ପାଖରେ ଥାଉ । ମୁଁ ଗଲାବେଳେ ଏକାବେଳକେ ନେବି ।

ଗୋରାବୋଉ– ମା ଲୋ ମା,ଏ କାଳ ହେଲା କିସ ?

Image

 

୨୩

 

ମା,

 

ଆଜି ଅନେକ ଦିନପରେ ଏ ଚିଠିଖଣ୍ଡି ଲେଖିବାକୁ ସାହସ କରୁଚି । ମୁଁ ବୁଝିଚି ତୁମକୁ ନକହି ନବୋଲି ଏପରି ଚାଲିଆସିବାଦ୍ୱାରା ମୁଁ ତୁମ ମନରେ ଭୀଷଣ କଷ୍ଟ ଦେବାରେ ଅପରାଧି । କିନ୍ତୁ ତା’ଲାଗି ମୋର ଚିନ୍ତା ନାହିଁ, କାରଣ ମୁଁ ଅପରାଧ ନକରିଚି କେବେ, ଆଉ ଅଯାଚିତ ଭାବରେ କ୍ଷମା ନପାଇଛି କେଉଁଥର ? ଦୟାମୟି ମା ମୋର, ଏ ମର୍ତ୍ତ୍ୟପୁରରେ ନିଜେ ପରମେଶ୍ୱରଙ୍କ କୃପାର ଅବତାର । ମା, ମୁଁ ତୁମକୁ ଏତେ ଭଲପାଏଁ, ତୁମର କଥା ମନେ ପଡ଼ିଗଲାବେଳେ ମୋର ହୃଦୟ ତୁମପ୍ରତି ସ୍ନେହ ଓ ଭକ୍ତିରେ ଏତେ ଉଛୁଳିଉଠେ, ମୁଁ ଯଦି ପିଲା ହୋଇଥାନ୍ତି, ତା’ହେଲେ ତୁମକୁ କୁଣ୍ଢେଇ ଧରି ବୁହେ କାନ୍ଦି ନିଅନ୍ତି ।

 

ଯାଉ, କହୁଥିଲି ମୋର ବର୍ତ୍ତମାନ କଥା । ମା, ତୁମେ ଜିଅନ୍ତା ବ୍ରହ୍ମରାକ୍ଷସ ଦେଖିଚ ? ମୁଁ ଦେଖିଚି । ଦୁଇ ଦୁଇଟା ମା, ରକ୍ତମାଂସ ଅସ୍ଥି ମଜ୍ଜାର ଦୁଇ ଦୁଇଟା ବ୍ରହ୍ମରାକ୍ଷସ ମୂର୍ତ୍ତି । ବାବା, ସଂସାରରେ ପୁଣି ଏପରି ଲୋକ ଅଛନ୍ତି । ତୁମର ଆଶିର୍ବାଦ ଓ ସ୍ନେହର ବଳରୁ ମୁଁ ସେମାନଙ୍କ ହାତରୁ ପଳାଇ ଆସି ଏଠାରେ କୌଣସିମତେ ମୁଣ୍ଡଗୁଞ୍ଜି ରହିଚି । କେତେଦିନ ଯେ ଏହିପରି ସେମାନଙ୍କ ଆଖିରେ ଧୂଳିଦେଇ ଲୁଚି ରହିପାରିବି, ତା’ ମୁଁ ଜାଣେନାହିଁ, ତେବେ ସହଜରେ ଧରା ଦଉନାହିଁ । କାଲିଠାରୁ ଏ ଗାଁ ଚଉକିଆଟା କିଆଁ ଆସି ଲଙ୍ଗର ପଙ୍ଗର ହେଉଥିଲା । ଆଜି ତା’ ସାଙ୍ଗରେ ଭାବଦୋସ୍ତି କରି ତାକୁ କିଛି ଟଙ୍କା ଦେଇ ଛାଡ଼ିଚି । ଶୁଣୁଚି, କିଏ ପୁଲିସରେ ଖବର ଦେଇଚି, ସଦାଶିବବାବୁ ବୋଧହୁଏ, ଯେ ମୁଁ ଅରାଜକ ଦଳର ଜଣେ ଲୋକ । ଚୌକିଆତ ପ୍ରଥମେ ଖୁବ୍‌ ତେରିମେରି ଦେଖେଇଥିଲା, କିନ୍ତୁ ପରେ ଟଙ୍କା ଦଶଟି ପାଇ ଓ ଆଉରି ଭବିଷ୍ୟତରେ ପାଇବାର ଆଶା ନେଇ ସେ ପରେ ଏପରି ଲହୁଣି କୋମଳ ହୋଇଗଲା ଆଉ କ’ଣ କହିବି ?

 

ମୁଁ ଯାହାଙ୍କ ଘରେ ଅଛି, ସେ ବେଶ୍‌ ଲୋକ । ମୋର କୌଣସି ଅସୁବିଧା ନାହିଁ । କାମ ଭିତରେ ବଜାର ସଉଦା କରିବା ଓ ଘରର ହିସାବ ରଖିବା । ମୋର ରହିବାପାଇଁ ଗୋଟାଏ ଅଲଗାଘର । ମୋର କାମଦାମ କରିବାପାଇଁ ଘରର ଅଧେ ଚାକର । ଖାଲି ଗୋରାବୋଉ ମାଉସୀ ଟିକିଏ ବିଗିଡ଼ିଚି । ସେ ଭାବୁଚି ମୁଁ ଗୋଟାଏ ଚୋର କି ଡକେଇତ । ଦିନେ କେଉଁଦିନ ତା’ ଗଳାକାଟି ଏ ଧନରତ୍ନ ସବୁ ବୋହିନେଇ ପଳାଇବି । ଏବେ ତାକୁ ମଧ୍ୟ ବାଗକୁ ପାଇଚି । ସେଆଡ଼ୁ କିଛି ଭୟ ଆଉ ନରହିପାରେ । ଶୁଣ, ମା, ଗୋରାବୋଉ ମାଉସୀ ବାଳବିଧବା, ବୟସ ସିମିତି କିଛି ବେଶୀ ହୋଇନାହିଁ, ଏଇ ମୋଟେ ଚଉତିରିଶି କି ପଞ୍ଚତିରିଶି ହବ । ଦେଖିବାକୁ ମଧ୍ୟ ବେଶ୍‌ ସୁନ୍ଦରୀ-। ତାଙ୍କପାଇଁ ଗୋଟିଏ ପାତ୍ର ଠିକ୍‌ କରିଦେବୁ-? ସେ ବାହା ହୁଅନ୍ତେ । ବାଳବିଧବା-? ସେଥିରେ କ’ଣ ଅଛି । ଆଜି କାଲିତ ଚାରିଆଡ଼େ ବିଧବା ବିବାହ ହୋଇଗଲାଣି । କ’ଣ କହୁଚୁ ମା ? ସଦାନନ୍ଦ ମିଶ୍ରଙ୍କପାଇଁ ଏ ପାତ୍ରୀଟି ଠିକ୍‌ ହୁଅନ୍ତା ନାହିଁ ?

 

ଏହିଠାରେ ବାବୁଆଣୀ ଚିଠିଟା ରଖିନେଇ ଖୁବ୍‌ ବୁହେ ମନପୂରେଇ ହସିନେଲେ । ଏ କେତେଦିନ ତାଙ୍କର ବିଷଣ୍ଣ ହସହୀନ ମୁଖ ଯେଉଁମାନେ ଦେଖିଚନ୍ତି ସେମାନେ ଆଜି ତାଙ୍କର ଏଭାବ ଦେଖିଥିଲେ ଆଶ୍ଚର୍ଯ୍ୟ ହୁଅନ୍ତେ । ତା’ପରେ ସେ ପୁଣି ଚିଠିଖଣ୍ଡି ଉଠେଇ ନେଇ ପଢ଼ିଲେ ‘‘ମୋର ଏ ପଟେ ସବୁଠିକ୍‌ । ଖାଲି ତୁମେ ମିଶ୍ରଙ୍କୁ ମଙ୍ଗାଇ ପାରିଲେ ହେଲା ।

 

ଆଉ ବେଳନାହିଁ । ଲୁଚେଇ କରି ଏ ଚିଠିଖଣ୍ଡି ଲେଖୁଚି । କିଏ ଆସୁଚି ପରା । ରହିଲି ମା । କେଉଁଦିନ ପୁଣି ଯାଇ ତୁମ ପାଦଧୂଳି ନେବି ତା’ ଯେ ମତେ ଏ ଅବସ୍ଥାକୁ ଆଣିଚନ୍ତି, ତାଙ୍କୁହିଁ ଜଣା । ତେବେ ମତେ ଖୋଜିବାର ବୃଥା ଶ୍ରମ କରିବନାହିଁ । କାରଣ ଖୋଜିଲେ ପାଇବନାହିଁ । ଯେଉଁ ଡାକଘରର ମୋହର ଏ ଚିଠି ଉପରେ ଦେଖିବ, ସେ ସ୍ଥାନର ପ୍ରାୟ କୋଡ଼ିଏ ମାଇଲ ମଧ୍ୟରେ ମୁଁ ନାହିଁ ।

 

ତୁମ୍ଭର

ଅପରାଧୀ ପୁତ୍ର

ଧୋଇ

 

ବାବୁଆଣୀ ଚିଠିଖଣ୍ଡି ଥରେ ପଢ଼ିଲେ । ପୁଣି ଓଲଟପାଲଟ କରି ଆଉଥରେ ପଢ଼ିଲେ । ତା’ପରେ ସେ ଚିଠିକୁ ଗୋଟିଏ ଚୁମଦେଇ ସେ ଆଶ୍ୱସ୍ତିର ଗୋଟିଏ ନିଃଶ୍ୱାସ ପକାଇ ଚିଠିଖଣ୍ଡି ସଜାଡ଼ି ବାକ୍ସ ମଧ୍ୟରେ ରଖିଦେଲେ ।

 

‘‘ଜଗୁଆ, ଜଗୁଆ, ମିଶ୍ରଙ୍କୁଟିକେ ଏଣିକି ଡାକି ଦେତ ?’’

 

ମିଶ୍ରେ ଆସି ପହଞ୍ଚିଲେ । ବାବୁଆଣୀ ତାଙ୍କ ଆଡ଼କୁ ଟିକିଏ ଚାହିଁ କିରି କିରି କରି ହସି ଉଠିଲେ । ମିଶ୍ର ବିଚାରା ଅଧାବୁଢ଼ା ହେଲେ ମଧ୍ୟ ଲୋକେ କହନ୍ତି ମିଶ୍ରାଣୀ ମରିଗଲାଦିନୁଁ ସେ ଝୁରି ଝୁରି ଏକାବେଳକେ ଧୁଡ଼ୁ ଧୁଡ଼ୁ ବୁଢ଼ା ହୋଇ ଯାଇଚନ୍ତି । ଶୁଣାଯାଏ ଯେ ମିଶ୍ରେ ପ୍ରତିଦିନ ମିଶ୍ରାଣୀଙ୍କର ସଉକିନି କୁମ୍ଭପକା ଶାଢ଼ୀଖଣ୍ଡି ରାତିରେ କବାଟ କିଳି ଏପଟ ସେପଟ କରି ଦେଖି ନିଅନ୍ତି । ସତ କି ମିଛ କହିବାର ଉପାୟ ନାହିଁ । ତେବେ ଆମ୍ଭେମାନେ ଶୁଣିଚୁଁ କେତେଥର ମିଶ୍ରେ କହିଚନ୍ତି ‘‘କି ? ମୋର କ’ଣ ଗୋଟାଏ ବୟସ ହୋଇଯାଇଚି ? ମୋ ସାଙ୍ଗଲୋକେ ତ ଦି ଦିଟା ଭିଆ ହଉଚନ୍ତି ।’’ ମିଶ୍ରଙ୍କର ପାଚିଲାବାଳ, ଟାଙ୍ଗରା ଖପୁରି, ପାକୁଆପାଟି, କୋରଡ଼ ଆଖି ସାଙ୍ଗରେ ବର ବେଶରେ କଳ୍ପନା କରିବା ଗୋଟାଏ ବଡ଼ ରକମ ବାହାଦୁରି । ବାବୁଆଣୀ ହସିବାର ଦେଖି ମିଶ୍ରେ କିଛି ତ ବୁଝି ପାରିଲେ ନାହିଁ, ଖାଲି ଆବା କାବା ହୋଇ ଚାହିଁ ରହିଲେ । ବାବୁଆଣୀ ହସ ସମ୍ଭାଳି କହିଲେ ‘‘ମିଶ୍ରେ, ଟିକିଏ ପ୍ରଫୁଲ୍ଲକୁ ଡାକିଆଣନ୍ତ ? ଆଉ ହେଇଟି ଟଙ୍କା ଶହେ ଦିଶ ବର୍ତ୍ତମାନ ଆଣିପାରିବ ? ମିଶ୍ରେ ‘‘ହଉ’’ କହି ସେ ସ୍ଥାନରୁ ଚାଲିଗଲେ । ପ୍ରଫୁଲ୍ଲବାବୁ ତା’ର କିଛି ସମୟରେ ଆସିଲେ । ନମସ୍କାର କରି ବସିଲା ପରେ ବାବୁଆଣୀ କହିଲେ ‘‘ବାବା, ପ୍ରଫୁଲ୍ଲ, ତୁ ଟିକିଏ ବାଲେଶ୍ୱର ଯାଇ ପାରିବୁ ?’’

 

ପ୍ରଫୁଲ୍ଲ– କହିଲେ ନିଶ୍ଚୟ ଯିବି । ତେବେ କାହିଁକି ?

 

ବାବୁଆଣୀ– ଧୋଇ ବାଲେଶ୍ୱର ପାଖରେ କେଉଁଠି ଅଛି, ତାକୁ ଖୋଜି ବାହାର କରିବ-

 

ପ୍ରଫୁଲ୍ଲବାବୁ ଉତ୍ସାହିତ ହୋଇ କହିଲେ ‘‘ସେ ବାଲେଶ୍ୱର ପାଖରେ ଅଛି ଭଲ ଅଛିତ ? ତୁମେ କିପରି ଜାଣିଲ?’’

 

ବାବୁଆଣୀ– ମତେ କୁଆ କହିଲା ‘‘ସେ ବାଲେଶ୍ୱର ପାଖରେ ପ୍ରାୟ କୋଡ଼ିଏ ମାଇଲ ଭିତରେ ଅଛି । ଭଲ ମଧ୍ୟ ଅଛି । ତୁମେ ଚେଷ୍ଟାକଲେ ତାକୁ ଆଜି ବାହାରକରି ପାରନ୍ତ ।

 

ପ୍ରଫୁଲ୍ଲ– କିନ୍ତୁ ମା, କୋଡ଼ିଏମାଇଲ ଭିତରେ ମୁଁ କେଉଁଠି ଖୋଜିବି ?

 

ବାବୁଆଣୀ– କଲିକତାରୁ ଆସିବାର ରାସ୍ତା ହୋଇଥିବ ଆଉ ବାଲେଶ୍ୱରଠାରୁ କୋଡ଼ିଏ ମାଇଲ ଦୂର ହୋଇଥିବ । ଏପରି ଜାଗାତ ଖୁବ୍‌ ବେଶୀ ନୁହେ ।

 

ପ୍ରଫୁଲ୍ଲ– ଆଚ୍ଛା, ଦେଖାଯିବ । ତେବେ କ’ଣ ମୁଁ ଆଜି ଯିବି ?

 

ବାବୁଆଣୀ– ହଁ, ଏଇ ମିଶ୍ରେ ଟଙ୍କାପାଇଁ ଯାଇଚନ୍ତି ସେ ଆସିଲେ ଯାହା ଆଣିଥିବେ ତାକୁ ନିଅ । ଯାଅ । ଦରକାର ହେଲେ ଆଉ ଟଙ୍କାପାଇଁ ଲେଖିବ । ହଁ, ଆଉ ଗୋଟିଏ କଥା, ତୁମେ ଯେ ଧୋଇଆକୁ ଖୋଜି ବାଲେଶ୍ୱର ଯାଉଚ, ଏକଥା ଯେପରି ଦି କାନରୁ ତିନି କାନ ନହୁଏ-। ଆଉ ଧୋଇଆକୁ ଯଦି ଖୋଜି ବାହାର କରିପାର, ତା’ହେଲେ ମଧ୍ୟ କାହାରିକୁ କହିବ ନାହିଁ ଧୋଇ ମୋର କେଉଁଠି ଅଛି । ଖାଲି ସେ କିପରି ଅଛି, କିପରି ଚଳୁଚି ଏ ସବୁକଥା ଲେଖି ଚିଠି ଦବ-। ଗୋରାବୋଉ ମାଉସୀକୁ ଟିକିଏ ଦେଖି ଆସିବ ‘‘ସେ କନ୍ୟାଦେଖା ପରା’’ ଖୁବ୍‌ ସାବଧାନ ।

Image

 

୨୪

 

‘‘ଶୁଣ, ପ୍ରମିଳା । ଆଉ ଏପରି ଲୁଚୁକାଳି ଖେଳି ବେଶୀଦିନ କଟାଇବା ମୋ ପକ୍ଷରେ ଅସମ୍ଭବ । ମୁଁ ଆଜି ତତେ ସଫା କହୁଚି, ମୁଁ ତତେ ବିବାହ ହେବି, ହେବି । ସଂସାରରେ ଏପରି କେହି ନାହିଁ, ଯେକି ମୋର ଏ ସଂକଳ୍ପ ଟଳେଇ ପାରେ । ସୁତରାଂ ଯେତେ ଶ୍ରୀଘ୍ରପାର ତୁମେ ମଧ୍ୟ ମନେ ମନେ ସେଇ କଥାଟା ଠିକ୍‌ କରିନେଲେ ସମସ୍ତଙ୍କ ପକ୍ଷରେ ମଙ୍ଗଳ । ପ୍ରମିଳା ତାଙ୍କ ପଢ଼ାଘର ଟେବୁଲ ପାଖ ଚୌକିରେ ବସି ଟେବୁଲ ଉପରେ ଥୁଆ ହୋଇଥିବା ଖଣ୍ଡିଏ ଓଡ଼ିଆ ଉପନ୍ୟାସର ପୃଷ୍ଠା ଲେଉଟାଉଚନ୍ତି, ଯେପରି ତାଙ୍କର ମନ ସେ ଘରେ ବା ଶ୍ୟାମବାବୁଙ୍କ କଥାରେ ନାହିଁ । ଶ୍ୟାମବାବୁ ସାମାନ୍ୟ ଟିକିଏ ଦୂରରେ ଠିଆହୋଇ କଥାଗୁଡ଼ାକ କହି ଯାଉଚନ୍ତି । ତାଙ୍କର ବେଶ ଭୂଷାରେ ବଡ଼ ବେଶୀ ପରିପାଟି ଆଜି । କିନ୍ତୁ ଦେହରୁ ଅତରର ଗନ୍ଧ ଭେଦି ଗୋଟାଏ ଆମ୍ବିଳିଆ ଗନ୍ଧ ବାହାରି ଆସୁଚି । ଆଖି ଦୁଇଟା ଜବାଫୁଲ ପରି ନାଲ । ସେ କଥାଗୁଡ଼ାକ କହି ଉତ୍ସୁକ ଭାବରେ ପ୍ରମିଳାଙ୍କ ଆଡ଼କୁ ଚାହିଁ ରହିଲେ । ପ୍ରମିଳା ପ୍ରାୟ ପନ୍ଦର ମିନେଟ ପର୍ଯ୍ୟନ୍ତ ତୁନିହୋଇ କହିଲେ ‘‘ଦେଖନ୍ତୁ, ଶ୍ୟାମବାବୁ, ମା ଆପଣଙ୍କୁ ବହୁତ ସ୍ନେହ ଓ ବିଶ୍ୱାସ କରୁଥିଲେ’’ ମୋ ମନର ଭାବ ଯାହାହଉ, ଅନ୍ତତଃ ମା’ଙ୍କର ଏ ସ୍ନେହର ଖାତିରିରେ ମୁଁ ତୁମ ମନରେ କଷ୍ଟ ନ ଦେବାପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ତୁମେ ତୁମ ନିଜ ବ୍ୟବହାରରେ ମତେ ତାହା କରାଇ ଦଉନାହଁ । ତୁମେ ଯେତେବେଳେ ଏତେ ଦିନପରେ ମନଖୋଲି ତୁମ ଭିତରି କଥାଟା କହି ପକାଇଚ–ସେ ବୋଧହୁଏ ମଦନିଶା ଜୋରରେ–ମୋର ମଧ୍ୟ ସେହିପରି ମନ ଖୋଲି କଥାଗୁଡ଼ାକ କହିବା ଉଚିତ । ମୁଁ ତୁମକୁ ଖାଲି ଯେ ଭଲପାଏ ନାହିଁ, ଏତିକି କହିଲେ ତୁମ ପ୍ରତି ମୋ ମନ ଭାବର ଚାରିପଣ ସୁଦ୍ଧା ପ୍ରକାଶ ପାଇବନାହିଁ । ମୁଁ ତୁମକୁ ଅନ୍ତରର ସହିତ ଘୃଣାକରେଁ । ଏଥିରେ ତୁମର ମୋର ବିବାହ କିପରି ସମ୍ଭବ ହୋଇପାରେ ?

 

ଶ୍ୟାମ– ସେସବୁ କୌଣସି ପ୍ରକାର ଯୁକ୍ତି ମୁଁ ଶୁଣିବି ନାହିଁ । ମୁଁ ଠିକ୍‌ ତୁମକୁ ବିବାହ କରିବି ।

 

ପ୍ରମିଳା– ମୁଁ ଯଦି କହେଁ ମୁଁ ଠିକ୍‌ ତୁମକୁ ବିବାହ କରିବି ନାହିଁ, ତା’ହେଲେ ତୁମେ କ’ଣ କରିବ ?

 

ଶ୍ୟାମ– ତୁମେ କାହିଁକି ମତେ ବିବାହ ନକରିବ ? ମୋର ବୟସ ସେପରି କିଛି ହୋଇନାହିଁ, ଏଇ ମାତ୍ର ବ୩୦ର୍ଷ । ମୋର ଚେହେରା ମଧ୍ୟ ମନ୍ଦ ନୁହେ । ତୁମ ଅପେକ୍ଷା ଅଧିକ ସୁନ୍ଦରୀ, ଅଧିକ ଯୋଗ୍ୟ ସ୍ତ୍ରୀ ମୋ ପ୍ରତି ପ୍ରେମରେ ଆତ୍ମବିସ୍ମୃତ ହୋଇ ଅଛନ୍ତି । ମୋର ସମ୍ପତ୍ତି ଏ ଗ୍ରାମ ମଧ୍ୟରେ କେବଳ ମାତ୍ର ତୁମର ସମ୍ପତ୍ତିଠାରୁ ଟିକିଏ କମ୍‌ । ମୁଁ ମଧ୍ୟ ଶିକ୍ଷିତ ଓ ତୁମର ସମାନ ବଂଶଜ । ତା’ହେଲେ ତୁମର ସ୍ୱାମୀ ହେବାପାଇଁ ମୁଁ କେଉଁ ଭାବରେ ଅଯୋଗ୍ୟ ?

 

ପ୍ରମିଳା– ତା’ ସତ, ସ୍ୱୀକାର କରୁଚି ବରପାତ୍ର ଭାବରେ ଏ ସଂସାରରେ ତୁମ ଅପେକ୍ଷା ଆଉରି ଅନେକ ଅଯୋଗ୍ୟ ଲୋକ ଅଛନ୍ତି । କିନ୍ତୁ ସଂସାରରେ ତୁମେହିଁ ଯଦି ଶେଷ ଏବଂ ଏକମାତ୍ର ବିବାହ ଯୋଗ୍ୟ ବରପାତ୍ର ହୁଅ ତା’ହେଲେ ମଧ୍ୟ ମୁଁ ବରଂ ଅଭିଆଡ଼ି ରହିବି, କିନ୍ତୁ ତୁମକୁ ବିବାହ କରିବି ନାହିଁ ।

 

ଶ୍ୟାମ– ତୁମେ ବୋଧହୁଏ ଭାବିଚ ଯେ ମୋର ଗୋଟିଏ ସ୍ତ୍ରୀ ଥାଉଁ ଥାଉଁ ସଉତୁଣୀ ବର ବିବାହ କରିବା ନିତାନ୍ତ ଅସ୍ମୃହଣୀୟ । ତୁମର ସେ ଭ୍ରାନ୍ତ ଧାରଣା । ତୁମେ ମତେ ବିବାହ କଲେ ମୋର ପ୍ରଥମ ସ୍ତ୍ରୀ ସହିତ ତୁମର କୌଣସି ରକମ ସମ୍ବନ୍ଧ ରହିବ ନାହିଁ । ମୁଁ ତା’ର ବ୍ୟବସ୍ଥା କରିଚି ।

 

ପ୍ରମିଳା– ତୁମେ ଗୋଟାଏ ମସ୍ତବଡ଼ ଗଧ ଓ ପାଷଣ୍ଡ । ଏଡ଼େ ସୁନ୍ଦରୀ ଓ ଗୁଣବତୀ ଯୁବତୀ ସ୍ତ୍ରୀ ଓ ଏପରି ସ୍ୱର୍ଗଦୁର୍ଲଭ ଛୋଟ ପୁଅଟିଏ ପାଇ ଯେ ପୁଣି ଅନ୍ୟ ଆଶ୍ରିତା ଯୁବତୀ ପ୍ରତି ଦୃଷ୍ଟଦିଏ, ତା’ଠାରୁ ବଳି ପାପି, ନାରକି ଆଉ କିଏ ଅଛି ? ନା, ତୁମ ସହିତ ବିବାହ, ଏ ଜନ୍ମରେ ତ ନୁହେଁ, ମୋର ଯଦି ଶତସହସ୍ର ଜୀବନ ହୁଏ, ତା’ହେଲେ ମଧ୍ୟ ଥରକପାଇଁ ସମ୍ଭବ ହେବ ନାହିଁ ।

 

ଶ୍ୟାମ– ଜାଣ, ଏ ପ୍ରଗଲ୍‌ଭତାର ଶାସ୍ତି କ’ଣ ? ମୁଁ ବିଚାରିଲେ ତୁମର ଖାଇବା ମୁଠାକ ମଧ୍ୟ ବନ୍ଦ କରିପାରେ ।

 

ପ୍ରମିଳା– ତା’ତୁମେ କରିପାରିବ ନାହିଁ । ମା’ଙ୍କର ଉଇଲ ଅନୁସାରେ ମୋର ବିବାହ ପର୍ଯ୍ୟନ୍ତ ତୁମେ ମତେ ଏ କୁଟୁମ୍ବର ଭରଣ ପୋଷଣ ଓ ମୋର ପାଠପଢ଼ା ଖର୍ଚ୍ଚ ନିମନ୍ତେ ମାସକୁ ଟ ୩୦୦ ଦବାକୁ ବାଧ୍ୟ ।

 

ଶ୍ୟାମ– ତା’ହୋଇପାରେ । କିନ୍ତୁ ଜମିଦାରିରୁ ଆୟ ଯଦି ନହୁଏ, ରାଜସ୍ୱ ଯଦି ଦିଆ ନହୁଏ, ତା’ହେଲେ ଜମିଦାରି ସହ ଘରବାଡ଼ି ନିଲାମ ହୋଇଯିବ । ଆଉ ତୁମେ ମତେ ବିବାହ ନକଲେ ମୁଁ ତାହା କରାଇବି ନିଶ୍ଚୟ ।

 

ପ୍ରମିଳାଙ୍କ ମୁଣ୍ଡରେ ଏ ଚକ୍ରାନ୍ତଟା ପଶିନଥିଲା । ସେ ଦେଖିଲେ ଲୋକଟା ଯେପରି ମଦୁଆ, ସେ ଯେ କେତେବେଳେ ଖିଆଲ ଉପରେ ପ୍ରକୃତରେ ଏହା ନକରିବ ତା’ର ବି କି ଠିକ୍‍ ଅଛି-। ତା’ହେଲେ, ତାଙ୍କର ଉପାୟ । ଏ ଘରଦ୍ୱାର, ଏ ଚାକର ବାକର ଏ ଗୋରାବୋଉ ମାଉସୀ ଆଉ–ତାଙ୍କ ମୁହଁ ଲାଜରେ ନାଲି ପଡ଼ିଗଲା–ଏ ଯୋଗୀଙ୍କୁ ଛାଡ଼ିବାକୁ ହବ । ଜୀବନର ପ୍ରଧାନ କଳ୍ପନା ଓ ଆଶ୍ୱାସନା ତାଙ୍କର ଏଇ ପାଠ, ବହି ପତ୍ର, କଲେଜ ଏ ସବୁରୁ ବିଦାୟ ନବାକୁ ହବ । ତାଙ୍କର ଆଖି ଛଳ ଛଳ ହୋଇ ଉଠିଲା । ସେ ପଣନ୍ତ କାନିରେ ଆଖିପୋଛି କ’ଣ କହିବାକୁ ଯାଉଥିଲେ ଏତିକି ବେଳେ ଯୋଗୀଭାଇ ସେଠାରେ ଆସି ହାଜର । ସେ ଥରେ ଶ୍ୟାମବାବୁଙ୍କୁ ଓ ଥରେ ପ୍ରମିଳାଙ୍କୁ ଲକ୍ଷ୍ୟକରି ପଚାରିଲେ ‘‘ଏ ଲୋକଟା କିଏ ?’’

 

ପ୍ରଶ୍ନଟା ନିତାନ୍ତ ଭଦ୍ରାମିର ବାହାରେ ହେଲେ ମଧ୍ୟ ପ୍ରମିଳା ତାଙ୍କର ସେତେବେଳର ମନ ଦୁଃଖରେ ତାହାର ଅଭଦ୍ରାମି ତକ ଧରି ପାରିନଥିଲେ । ପାଞ୍ଚ ଛ ମିନିଟ ପରେ କଥାଟା ଭିତରି ମର୍ମ ଯେତେବେଳେ ତାଙ୍କ ମନକୁ ଗଲା, ସେ ରାଗରେ ପାରିଗଲେ । ଚାକର ହୋଇ ତା’ର ପୁଣି ଏତେ ଆସ୍ପର୍ଦ୍ଧା ?

 

ସେ ତାଙ୍କ ସ୍ୱର ଯଥାସମ୍ଭବ ହିମାଳୟର ହିମ କାକର କରି କହିଲେ ‘‘ପହଁରାଟା ଆଣି ଘରଟା ଝାଟେଇ ଦିଅତ ?

 

ଯୋଗୀ– ଓଃ, ବୁଝିଲ ‘‘ଚାକରଟା ତା’ର ପୁଣି ଏତେ ଅସ୍ପର୍ଦ୍ଧା ଯେ ମୁଁ କାହା ସାଙ୍ଗରେ କଥାବାର୍ତ୍ତା କଲେ ତା’ର କୌଫିୟତ୍‌ ନବ, ଏଇନା ? ଠିକ୍‌ ଚାପୁଡ଼ା । ତଥାପି ପଚାରେଁ ଏ ଲୋକଟା କିଏ ?

 

ଶ୍ୟାମବାବୁ ଏଥିରୁ ଗୋଟିଏ ଅଦ୍ଭୁତ ଜୀବ ଦେଖି ପ୍ରଥମରେ ବିମୂଢ଼ ହୋଇ ଯାଇଥିଲେ ସେ ଶୁଣିଥିଲେ ଯେ ଏହିପରି ଗୋଟାଏ କିଛି ହୋଇଚି । କିନ୍ତୁ ସେ ଏହିପରିଟା ଯେ ଏତେ ଦୂର ଯିବ, ସେ କଳ୍ପନା କରି ପାରିନଥିଲେ । ସେ ଟିକିଏ ବିଦ୍ରୂପ କରି କହିଲେ ‘‘ବେଶ୍‌ ସାନ୍ତାଣୀ ଆଉ ଚାକର’’ ତୁମେ ଗୋଟାଏ କଥା କରନା ! ପ୍ରତିଦିନ ତୁମେ କି କି କରୁଚ, କାହା କାହା ସଙ୍ଗେ କଥାହଉଚ ଏସବୁ ଲେଖି ଗୋଟାଏ ଡାଇରି ପ୍ରତିଦିନ ସଞ୍ଜବେଳେ ୟାଙ୍କ ପାଖରେ ପେଷକର ତା’ହେଲେ ସବୁ ଗୋଳମାଳ ଘୁଞ୍ଚିଯିବ ।

 

ଯୋଗୀଙ୍କର ହଠାତ୍‌ ଏକ ଅଦ୍ଭୁତ ପରିବର୍ତ୍ତନ ହୋଇଗଲା । ଯେପରି କେତେଦିନର ହାରାନିଧି ସେ ପାଇଲେ ସେହିପରି ଆଗ୍ରହ ଓ ଆନନ୍ଦରେ ଅଧୀର ହୋଇ ‘‘ଆରେ ଶ୍ୟାମ ଭାଇନା’’ ବାଃ, ବାଃ, ଆଜି କାହା ମୁହଁ ଚାହିଁ ଉଠିଥିଲି କେଜାଣି, ତୁମସାଙ୍ଗରେ ଦେଖାହେଲା ‘‘ଆସ, ଆସ’’ କହି ଶ୍ୟାମବାବୁ କଥାଟାର ଅର୍ଥ ବୁଝିବା ଆଗରୁ ଯାଇ ତାଙ୍କୁ କୁଣ୍ଢେଇ ପକାଇଲେ ଓ ଆସ୍ତେ ଆସ୍ତେ ସେହି ଅବସ୍ଥାରେ ତାଙ୍କୁ ଦୁଆର ଆଡ଼କୁ ଠେଲି ଠେଲି ନେଲେ । ଏପରି ଆକାଶଛିଣ୍ଡା କଥାରେ ଶ୍ୟାମବାବୁ ଚମକି ଯାଇଥିଲେ । ବାଧା ଦେବାର ଶକ୍ତି ତାଙ୍କର ନଥିଲା । ଦୁଆର ମୁହଁରେ ପହଞ୍ଚି ‘‘ଆସ ଭାଇ, ଆସ, ତୁମସାଙ୍ଗରେ ମୋର କେତେ କଥା ଅଛି’’ କହି ତାଙ୍କୁ ସିଡ଼ି ଆଡ଼କୁ ଟାଣି ଟାଣି ନେଲେ । ସିଡ଼ି ମୁହଁରେ ପହଞ୍ଚିଲା ବେଳକୁ ଶ୍ୟାମବାବୁଙ୍କର ଟିକିଏ ଜ୍ଞାନ ଆସି ଯାଇଥିଲା । ସେ ଛଡ଼ା ଛଡ଼ି କରିବାକୁ ଆରମ୍ଭ କଲେ । ସେ ଧୂପ ଧାପ, ଘଷର ଘଷ ଶବ୍ଦରେ ଗୋରାବୋଉ ମାଉସୀ କେଉଁଠାରେ ଥିଲେ ସେ ମଧ୍ୟ ଆସି ପହଞ୍ଚିଗଲେ । ସେ ଆସି ଦେଖନ୍ତି ଯେ ଯୋଗୀ ଶ୍ୟାମବାବୁଙ୍କୁ ଧରି ସିଡ଼ି ତଳକୁ ଠେଲି ଦଉଚି । ସେ ଲୋଭ ସମ୍ଭାଳି ପାରିଲେ ନାହିଁ, ପଛଆଡ଼ୁ ଯାଇ ତାଙ୍କର ଶ୍ରୀଚରଣକମଳରୁ ଗୋଟିଏ ଶ୍ୟାମବାବୁଙ୍କ ପିଠି ଉପରେ ରଖିଦେଲେ । ଆଉ ଶ୍ୟାମବାବୁ ମେଲ୍‌ଗତିରେ ସେ ସିଡ଼ିତକ ପାରହୋଇ ତଳ ସିଡ଼ିରେ ଧଫାଙ୍ଗ କରି କଚାଡ଼ିହୋଇ ପଡ଼ିଲେ ।

 

ଯୋଗୀ ସିଡ଼ି ଉପରେ ଠିଆ ହୋଇ ଅଣ୍ଟାରେ ହାତ ଦେଇ ହୋ ହୋ କରି ବୁହେ ହସିନେଲେ, ତା’ପରେ ବୁଲି ଦେଖନ୍ତି ତ ପ୍ରମିଳା ନିଜେ ତାଙ୍କ ପାଖରେ ଠିଆ ହୋଇ ଏଣେ ହସୁଚନ୍ତି ଆଉ ତେଣେ କାନିରେ ଲୁହ ପୋଛୁଚନ୍ତି । ଯୋଗୀଙ୍କର ମୁହଁ ଗମ୍ଭୀର ହୋଇଗଲା । ଗୋଧୂଳି ବେଳର ପଶ୍ଚିମ ଆକାଶରେ ତାହି ସୁନାର ଚହଟ ପରି ତାଙ୍କ ମୁହଁରୁ ସେ ଆନନ୍ଦର ଜଳ ହଠାତ୍‌ ଉଭେଇଗଲା । ସେ ଯଥା ସମ୍ଭବ କଅଁଳ ହୋଇ କହିଲେ ‘‘ସତରେ, ମୋର ଦୋଷ ହୋଇଚି, ମତେ କ୍ଷମା କରିବ ନାହିଁ ? କିନ୍ତୁ ମୁଁ ମୋ ସାଙ୍ଗ ଚାକର ବାକର ମାନଙ୍କଠାରୁ ଶ୍ୟାମ ସମ୍ବନ୍ଧରେ ଯାହା ଶୁଣିଚି ସେଥିରେ ତା’ ସାଙ୍ଗରେ ଏହିପରି ପଟେ ଖେଳିବାର ଲୋଭ ସମ୍ଭାଳି ପାରିଲି ନାହିଁ ’’।

 

ପ୍ରମିଳା– କିନ୍ତୁ ମୁଁ ଗୋଟାଏ ଭଦ୍ରଲୋକ ସାଙ୍ଗରେ କଥା ହେଲାବେଳେ ତୁମର ଏପରି ଓପରେ ପଡ଼ି ଗୋଳମାଳ ଲଗେଇବାଟା ବଡ଼ ଅଭଦ୍ରାମି ।

 

ଯୋଗୀ– ତା’ ସତ, କିନ୍ତୁ ଭଦ୍ରଲୋକ ହୋଇଥିଲେ ତ ? ଶ୍ୟାମ କ’ଣ ଭଦ୍ରଲୋକ ?

 

ପ୍ରମିଳା– ନିଶ୍ଚୟ, ସେ ଏ ସ୍ଥାନର ଜଣେ ପ୍ରସିଦ୍ଧ ଜମିଦାର, ଏଫ୍‍ ଏ ପାଶ କରିଚି । ପୁରୁଣା ବଂଶର ପିଲା ।

 

ଯୋଗୀ– ସେ ମଦଖାଏ, ବିଶ୍ୱାସରେ ତୋଟିକାଟେ, ଅସହାୟା ଯୁବତୀ ଉପରେ ଅତ୍ୟାଚାର କରେ, ସ୍ତ୍ରୀ ପାଖରୁ ଗୋଇଠା ଖାଇ ମୁହଁ ତଳକୁ ପୋତି ଚାଲିଯାଏ–ହଁ, କହିଯାଅ, କହିଯାଅ । ଭଦ୍ରାମିର କି ଗୁଣଗୁଡ଼ାକ ?

 

ପ୍ରମିଳା– ସେ ଯାହାହଉ, ତୁମେ ଏପରି ଓପରେ ପଡ଼ି ଯାହାଇଚ୍ଛା ତା’ସାଙ୍ଗରେ ଲାଗିଲେ ଶେଷରେ ମୋର ଦୁର୍ନାମ ହବ ।

 

ଯୋଗୀ– ଦୁର୍ନାମକୁ ଯଦି ଡରଥିଲା, ତା’ହେଲେ ମୋଭଳି ଅଜଣା ଅଶୁଣା ଅଚିହ୍ନା ଲୋକକୁ ରଖିବାକୁ ଗଲ କାହିଁକି ? ମୁଁ ଚୋର କି ଡକେଇତ–

 

ଗୋ: ମା– କଣ ଗୁଡ଼େ ପଗଳାଙ୍କ ଭଳି ଗଫୁଚିମ ଏ ଟୋକାଟା ? ଚୋର ଡକେଇତ? ତୁତ ଚୋର ଡକେଇତ, ଆଉ ଭଲଲୋକ କିଏ ? ପ୍ରମିଳା ଆଶ୍ଚର୍ଯ୍ୟ ହୋଇ ଗୋରାବୋଉଙ୍କ ଆଡ଼କୁ ଚାହିଁଲେ । ଏଇ ଗୋରାବୋଉ ସେଦିନ ପ୍ରଥମେ ଯୋଗୀଙ୍କୁ ଏହି ସବୁ ଆଖ୍ୟାଦେଇ ତାଙ୍କୁ ନରଖିବାକୁ ମତେଇ ଥିଲେ । ଆଉ ଆଜି ଏକି କଥା ? ଏଇ ଥରକ ଚାହିଁ ସେ ଦେଖିଲେ ଏକ ଅପୂର୍ବ କଥା । ଗୋରାବୋଉ ମାଉସୀ ତେଲ ଲଗେଇ ସୁନ୍ଦର କରି ମାଙ୍ଗଭାଙ୍ଗି ମୁଣ୍ଡ କୁଣ୍ଡେଇଚନ୍ତି । ପଛଆଡ଼େ ଖୋସାଟିଏ ଯେ ଅଛି ସେ କଥାଟା ତାଙ୍କ ଓଢ଼ଣା ଭେଦି ତାଳୁଉପରେ ଯେଉଁ ଢିପଟି ଦେଖାଯାଉଚି, ସେଥିରୁ ଅନୁମାନ କରି ନିଆଯାଇପାରେ । ତାଙ୍କ ମୁହଁରେ ସେ ଶୁଖିଲା ଭାବ ଆଉ ନାହିଁ । ତେଲ ଚିକ୍କଣରେ ଚକ୍‌ ଚକ୍‌ କରୁଚି । ଆଖିରେ ଟିକିଏ ଟିକିଏ ଲାଜ ସାଙ୍ଗରେ ଟିକିଏ ଟିକିଏ ସାହସ ମିଶିଯାଇଚି । ପିନ୍ଧିବାତ ପୁନିଆଜହ୍ନ ଧୋବ ଲୁଗାଖଣ୍ଡିଏ ଓ ତା’ତଳେ ଖଣ୍ଡିଏ ସେମିଜ । ପ୍ରମିଳା ଏସବୁ ଦେଖି ଥକ୍କାମାରି ବସିଗଲେ । ଗୋରାବୋଉ ମାଉସୀ ଆଉ ଏ ବେଶଭୂଷା ? ଏ ଅସମ୍ଭବ କଥା ସମ୍ଭବ ହେଲା କିପରି ? ଯାହା ସେ ଓ ତାଙ୍କର ମା ଏତେ ଚେଷ୍ଟା କରି କରିପାରି ନଥିଲେ, ତା’ହା କେଉଁ କୁହୁକରେ ସମ୍ଭବ ହେଲା ? ସେ କୁହୁକି କିଏ ? ତାଙ୍କର ଆଖି ଯୋଗୀଙ୍କ ଉପରେ ପଡ଼ିଲା । ସେ ଦେଖିଲେ ଯୋଗୀ ତାଙ୍କ ଆଡ଼କୁ ଆଡ଼ ଆଖିରେ ଅନାଇଁ ମୁରୁକି ହସୁଚନ୍ତି ଓ ଅନ୍ୟ ଆଖିରେ ଗୋରାବୋଉଙ୍କୁ କ’ଣ ଠାରୁଚନ୍ତି । ଏହା ସାଙ୍ଗରେ ଗୋରାବୋଉ ମାଉସୀଙ୍କର ଯୋଗୀଙ୍କ ସମ୍ବନ୍ଧରେ ହଠାତ୍‌ ମତ ପରିବର୍ତ୍ତନକୁ ମିଳାଇ ସେ ଦେଖିଲେ ଠିକ୍‌ କାର୍ଯ୍ୟ କାରଣ ଲାଗିଯାଉଚି । କିନ୍ତୁ କିପରି ? ଯାହାହଉ, ଏ ଗୋଟାଏ ଆଚ୍ଛା ପାଲାତ । କ’ଣ କରାଯିବ ତେବେ ? ଉପାୟ ବତାଇ ଦେଲେ ଯୋଗୀ ନିଜେ । ଯୋଗୀ ଗୋରାବୋଉଙ୍କୁ ଡାକି କହିଲେ ‘‘ମାଉସୀ, ତୁମକୁ ଏ ସେମିଜିଟି ବେଶ୍‌ ମାନୁଚି’’ । ମାଉସୀ ? ଗୋରାବୋଉଙ୍କୁ ଚାକର ବାକର ସମସ୍ତେ ସାନ୍ତାଣୀ ବୋଲି ଡାକନ୍ତି । ମାଉସୀ ବୋଲି ଡାକିବାରତ ସେ କେବେ ଶୁଣି ନାହାନ୍ତି । ତାଙ୍କ ମନ ଚିଡ଼ିଉଠିଲା । ଗୋରାବୋଉଙ୍କ ସହିତ ଯୋଗୀର ଏ ମାଉସୀ ପୁତୁରା ସମ୍ବନ୍ଧଟା ତାଙ୍କୁ ଭଲ ଲାଗିଲା ନାହିଁ । ସେ କହିଲେ ‘‘ମାଉସୀ, ମାଉସୀ କିସ ହେ ? ସେ ତ ତୁମର ସାନ୍ତାଣୀ, ତାଙ୍କୁ ମାଉସୀ ବୋଲି ଡାକୁଚ କେନେ ମ’ ।

 

ଗୋ: ବୋ: – ଆହା, ପିଲାଟା, ଡାକୁ, ମାଉସୀ ବୋଲି ଡାକିଲେ ମୋ ଦିହତ ଛିଣ୍ଡି ଯାଉନାହିଁ । ଏତେ ଦୂର ? ନା ଏହାର ଗୋଟାଏ କିଛି ଶେଷ ନିଷ୍ପତ୍ତି କରିବାକୁ ହବ । ପ୍ରମିଳା କହିଲେ ‘‘ମାଉସୀ, ତୁମେ ଟିକିଏ ଗଲ, ମୋର ଏ ଯୋଗୀଙ୍କ ସାଙ୍ଗରେ ଟିକିଏ କଥା ଅଛି’’ । ଗୋରାବୋଉ ନିତାନ୍ତ ଅନିଚ୍ଛାରେ ସେଠାରୁ ଚାଲିଗଲେ । ଗଲାବେଳେ କହିଗଲେ ‘‘ଆହା, ବିଚାରା ଭଲଲୋକ ଘରର ପୁଅ, ତାକୁ କିଛି ଗାଳି ଫଜିତ କରିବୁ ନାହିଁଟି’’ ।

 

ପ୍ରମିଳା ତା’ପରେ ଯୋଗୀଙ୍କ ଆଡ଼କୁ ବୁଲି ଖୁବ୍‌ ଗମ୍ଭୀର ହୋଇ ପଚାରିଲେ ‘‘ୟାର ମାନେ ?’’

 

ଯୋଗୀ– କାହାର ମାନେ ?

 

ପ୍ରମିଳା– ଏଇ ଯେ ତୁମେ ତାକୁ ମାଉସୀ ବୋଲି ଡାକୁଚ, ଆଉ ସେ ତୁମପାଇଁ ଏପରି ଲଢ଼ୁଚନ୍ତି ।

 

ଯୋଗୀ– ତା’ ସେଥିରେ ହୋଇଗଲା କ’ଣ ? ତାଙ୍କର ଆମର ରାଜି, କ୍ୟା କରେଗା କାଜି ?

 

ପ୍ରମିଳା– ଫେରେ ସେପରି ଗୁଡ଼ାଏ ଫାଜିଲାମି କରିବ ତ, ମୁଁ ପ୍ରକୃତରେ ରାଗିବି ।

 

ଯୋଗୀ– ରାଗିବାଟା ସାନ୍ତାଣୀମାନଙ୍କର ଅଧିକାର ଆଉ ସହିବାଟା ଚାକରମାନଙ୍କର ଭାଗ୍ୟ ।

 

ପ୍ରମିଳା– ଆଚ୍ଛା, କୌଣସି ଗୋଟାଏ କଥା କି ତୁମେ ଗୁରୁକରି ନବ ନାହିଁ ? କି ମୁଷ୍କିଲ-! ଆଚ୍ଛା, ସେ ଯାଉ । ଗୋରାବୋଉ ମାଉସୀର ଆଜି ଏ ଯେ ବେଶଭୂଷା, ତାର ଅର୍ଥ କ’ଣ-?

 

ଯୋଗୀ– କାଇଁ, ତାଙ୍କ ବେଶଭୂଷାରେ ନବୁଝି ପାରିବା ଭଳି ତ ମୁଁ କିଛି ଦେଖୁନାହିଁ ।

 

ପ୍ରମିଳା– ଶୁଣ, ମୋର ହେତୁ ହେଲା ଦିନଠାରୁ ଆଜି ପର୍ଯ୍ୟନ୍ତ ଗୋରାବୋଉ ମାଉସୀ କେବେ ଖଣ୍ଡେ ଧୋବଲୁଗା ପିନ୍ଧିବା କି ଟିକିଏ ତେଲ ଲଗାଇବା ମୁଁ ଦେଖିନାହିଁ । ସେଥିଲାଗି ମା ଓ ମୁଁ କେତେ ତାଙ୍କ ସାଙ୍ଗରେ କଳି ଅଳି କରିଛୁଁ । ସେସବୁ ପିଠିକି ପକେଇ ଦେଇଚନ୍ତି, ଆଜି ହଠାତ୍‌ ଏପରି କାହିଁକି ?

 

ଯୋଗୀ– ତା’ ମୁଁ କହିବି କିପରି ? ତେବେ ମୁଁ ତାଙ୍କର ଗୋଟିଏ ଛବି ଆଙ୍କି ତାଙ୍କୁ ଦେଖେଇ ଥିଲି । ସେ ଦେଖି ମତେ ପଚାରିଲେ ‘‘ମୁଁ କ’ଣ ଏତେ ସୁନ୍ଦରୀ ?’’

 

ପ୍ରମିଳା– ତୁମେ କ’ଣ କରି ତାଙ୍କୁ ଦେଖେଇଥିଲ !

ଯୋଗୀ– ଛବି ଆଙ୍କି

 

ପ୍ରମିଳା– ଛବି ଆଙ୍କି ? ତୁମର ଗୀତ ଗାଇବା କେନ୍ଦେରା ବଜାଇବା, ହିସାବପତ୍ର ରଖିବା ବାଦେ ଛବି ଆଙ୍କିବା ଗୁଣଟା ଅଛି ନା କ’ଣ ?

 

ଯୋଗୀ– ତା’ଏଇ ଟିକିଏ ଟିକିଏ ।

 

ପ୍ରମିଳା– ଆଚ୍ଛା, ସେ ଛବିଟା ମତେ ଟିକିଏ ଦେଖେଇବ ? କିନ୍ତୁ ତୁମେ ତୁମର ଚଗଲାମିରେ ତାଙ୍କ ମନରେ ଯେ ଭାବ ଆଣି ଦେଇଚ, ଭାବିଚ, ତା’ର ପରିଣାମ କିପରି ଭୟାନକ ହୋଇପାରେ ?

 

ଯୋଗୀ– ଭୟାନକ ନା ପାଉଁଶ ? କୌଣସି ସ୍ତ୍ରୀକୁ ସେ ସୁନ୍ଦର ବୋଲି କହିଲେ ତା’ର କିଛିମାତ୍ର ଅନିଷ୍ଟ ହବନାହିଁ ‘‘ବରଂ ଉପକାର ହବ’’ ଆୟୁଷ ବଢ଼ିବ।

 

ପ୍ରମିଳା– କିନ୍ତୁ ତାଙ୍କ ମନରେ ଏପରି ଭାବ ଆଣିବାରେ ତୁମର ଉଦ୍ଦେଶ୍ୟ କ’ଣ ? ତୁମେ କ’ଣ ତାଙ୍କୁ ବାହାହବ ?

 

ଯୋଗୀ– ମୁଁ ତାଙ୍କୁ ବାହାହବାରେ ତୁମର କିଛି ଆପତ୍ତି ଅଛି ?

 

ପ୍ରମିଳା– ମଲା, ମଲା, ତୁମେ ହାଡ଼ିଆଣି କି ପାଲୁଣି ବାହାହେଲେ ମୋର କ’ଣ ଅଛି-?’’

 

କହି ଫଡ଼କରି ବୁଲି ସେ ସ୍ଥାନରୁ ଚାଲିଗଲେ ।

Image

 

୨୫

 

ସେଦିନ ଜଳେଶ୍ୱର ହାଟ । ଶ୍ୟାମବାବୁ ତାଙ୍କର ଦଳବଳ ଘେନି ଆସି ସେଠାରେ ପହଞ୍ଚିଚନ୍ତି । ଭିତରି ଉଦ୍ଦେଶ୍ୟ ଫୂର୍ତ୍ତିକରିବା । ବାହାର ଉଦ୍ଦେଶ୍ୟ ଜିନିଷପାତି ଖରିଦ । ସେମାନେ ସମସ୍ତେ ଷ୍ଟେସନରୁ ସିଧେ ସିଧେ ଗଲେ ଡାକବଙ୍ଗଳାକୁ । ଦେଖିଲେ ଡାକବଙ୍ଗଳାର ଗୋଟାଏ ବଖରାରେ ଜଣେ ବାବୁ ଅଛନ୍ତି । ସେମାନେ ଆଉ ଗୋଟିଏ ବଖରା ଦଖଲ କରି ବସିଲେ । ଜଳେଶ୍ୱର ସ୍ୱାଧୀନ ଉତ୍କଳର ଥିଲା ଗୋଟିଏ ବିଶିଷ୍ଟ ସହର । କହିବାକୁ ଗଲେ ସେ ହଉଚି ଉତ୍ତର କଳିଙ୍ଗର ରାଜଧାନୀ । କାଳକ୍ରମେ ତାହାର ସେ ଗୌରବ ଲୁଚି ଯାଇଚି । ତା’ ସ୍ଥାନରେ ବାଲେଶ୍ୱର ବର୍ତ୍ତମାନ ରାଜଧାନୀ । ତଥାପି ଜଳେଶ୍ୱର ଆଧିପତ୍ୟର ଗନ୍ଧ ଏପର୍ଯ୍ୟନ୍ତ ସେଥିରେ ଲାଗିରହିଚି । ଏଠାରେ ଗୋଟିଏ ମାଇନରସ୍କୁଲ, ଗୋଟିଏ ସବ୍‌ରେଜେଷ୍ଟ୍ରି ଅଫିସ, ଗୋଟିଏ ଡାକଘର, ଗୋଟିଏ ଡାକ୍ତରଖାନା, ଓ ଗୋଟିଏ ଇଙ୍ଗ–ଗୁଜୁରାତି ବିଦ୍ୟାଳୟ ଅଛି । ବାଲେଶ୍ୱରକୁ ଛାଡ଼ିଦେଲେ ସଦର ସବ୍‌ଡିଭିଜନରେ ଆଉ ଏତେବଡ଼ ବଜାର ମଧ୍ୟ ଦେଖିବାକୁ ମିଳେନାହିଁ । ଜଳେଶ୍ୱରରୁ କର୍ପୂର ଉଡ଼ି ଯାଇଥିଲେ ମଧ୍ୟ, ଅନେକ ମାରୁଆଡ଼ି ବ୍ୟବସାୟୀ ତାହାର କନା ଖଣ୍ଡିକୁ ଘେନି ବସିଚନ୍ତି । ଗୋଟିଏ ଚାଉଳକଳ ମଧ୍ୟ ଏଠାରେ ଅଛି । ସରକାରୀ ଘରର ଅଭାବ ଓ କମ୍‌ । ପୁଲିସି ଦାରୋଗା, ଇସ୍କୁଲ ଦାରୋଗା, ଅବକାରୀ ଦାରୋଗା, ସବ୍‌ରେଜିଷ୍ଟ୍ର ଇତ୍ୟାଦିଙ୍କର ପକ୍କା ବସାଘରଗୁଡ଼ିକ ଷ୍ଟେସନର ବଜାର ଓ ପୁରୁଣା ବଜାର ମଝିରେ ଏହିପରି ନାମଜାଦା ଜାଗା ହେଲେ ମଧ୍ୟ, ଜଳେଶ୍ୱର ପ୍ରତି କାହାରି ସହାନୁଭୂତି ଥିଲାପରି ଜଣାଯାଏ ନାହିଁ । ଜାଗାଟା ବଡ଼ ନିଚ । ସୁବର୍ଣ୍ଣରେଖା ବର୍ତ୍ତମାନ ସହରଠାରୁ ପ୍ରାୟ ଚାରିମାଇଲ ଦୂରରେ ବହିଯାଉଚି । ମଝିରେ ଜଗନ୍ନାଥ ସଡ଼କ । ସୁବର୍ଣ୍ଣରେଖାରେ ସାମାନ୍ୟ ପାଣିହେଲେ ସହର ଭିତରେ ପାଣି ପଶେ । ପୁରୁଣା ବଜାରରୁ ଷ୍ଟେସନକୁ ଜଗନ୍ନାଥ ସଡ଼କ ଉପରେ ସାଧାରଣ ବନ୍ୟା ସମୟରେ ଆସିଲେ ଅନ୍ତତଃ ଅଣ୍ଟାଏ ବା ଛାତିଏ ପାଣରେ ସୁଅ କାଟି ଯିବାକୁ ପଡ଼େ । ଉତ୍କଳର ଏହି ଅତି ପ୍ରାଚୀନ ସ୍ଥାନଟି ପ୍ରତି କାହାରି ଦୃଷ୍ଟି ପଡ଼ୁନାହିଁ । ଦେଶବାସୀତ ହେଲେ ଅନ୍ଧ । ଆଉ ଦୋଷ ଦବ କାହାକୁ ?

 

ଜଳେଶ୍ୱର ହାଟ ଏ ଅଞ୍ଚଳରେ ଗୋଟିଏ ପ୍ରଧାନ ହାଟ । ଉତ୍ତରରେ କଲିକତାଠାରୁ ଆରମ୍ଭ କରି ଦକ୍ଷିଣରେ କଟକ ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟବସାୟ କେନ୍ଦ୍ର ଓ ବଡ଼ ସହରରୁ ବ୍ୟବସାୟୀମାନେ ହାଟପାଳି ଦିନ ଏଠାକୁ ନିଜର ନିଜର ପସାର ନେଇ ଆସନ୍ତି । ସପ୍ତାହରେ ଦୁଇଥର ଏତେ ବେଶୀ ଲୋକ ସମାଗମ ହୁଏ ଏହିଠାରେ । ତା’ପରେ ମଧ୍ୟ ଭୋଗୋରେଇ, ଜଳେଶ୍ୱର ଓ ବସ୍ତା । ଏ ତିନି ଥାନା ଭିତର ଗ୍ରାମମାନଙ୍କୁ ଯିବାପାଇଁ ଅନେକ ଲୋକ ମଧ୍ୟ ଏ ଷ୍ଟେସନରେ ଚଢ଼ନ୍ତି ଓ ଓହ୍ଲାନ୍ତି । ଏପରି ଅବସ୍ଥାରେ ମଧ୍ୟ ଏଠାରେ ରହିବାଭଳି ଖଣ୍ଡେ ଭଲ ଘର ନାହିଁ । ଷ୍ଟେସନ ଓ ପୁରୁଣା ବଜାରରେ ଗୋଟାକେତେ ଗୁହାଳଘର ପରି କୁଡ଼ିଆଘର ଅଛି ଓ ଗୋଟାଏ ଗୋଟାଏ ହୋଟେଲ ଅଛି । ଏ ହୋଟେଲଗୁଡ଼ାକରେ ଖାଇବା ପଦାର୍ଥ ନାମରେ ରୋଗର ବୀଜାଣୁଗୁଡ଼ିଏ ତିଆରି ହୁଏ । ହୋଟେଲ ବାଲାର ପରିଷ୍କାର ପରିଚ୍ଛନ୍ନତା ସମ୍ବନ୍ଧରେ କୌଣସି ଧାରଣାହି ନାହିଁ, ଆଉ ଏପରି ହୋଟେଲରେ ଯେଉଁମାନେ ଖାଆନ୍ତି ସେମାନଙ୍କର ମଧ୍ୟ ସେ ବିଷୟରେ ଜ୍ଞାନ ଶୂନ । ସୁତରାଂ ସୁରୁଖୁରୁରେ ଚଳି ଯାଉଚି ।

 

ଶ୍ୟାମବାବୁ ବ୍ୟବସାୟ ସୂତ୍ରରେ ଅନେକଥର ଏ ସ୍ଥାନକୁ ଆସିଚନ୍ତି । ଯେତେଥର ଆସନ୍ତି, ରହିବାରତ ଅନ୍ୟ କୌଣସି ଜାଗା ପାଆନ୍ତି ନାହିଁ । ଫଳରେ ଟଙ୍କାଟିଏ ଲେଖାଏଁ ଘରଭଡ଼ା ଦେଇ ଯାଇ ଡାକବଙ୍ଗଳାରେ ରହନ୍ତି । ତେବେ ଯେଉଁ ଯେଉଁ ଦିନ ବଙ୍ଗଳାରେ ହାକିମ ହୁକୁମା କେହି ଆଶ୍ରୟ ନେଇଥାନ୍ତି, ସେଦିନ ଗଛମୂଳରେ ଘେର ପକାଇ ରୋଷେଇ ବାସର ବନ୍ଦୋବସ୍ତ କରିନେବାକୁ ପଡ଼େ । ସେଦିନ ସେ ଗାଡ଼ିରୁ ଓହ୍ଲାଇଲା ମାତ୍ରକେ ଟିକଟ କିଲଟର ବାବୁ ତାଙ୍କୁ ନମସ୍କାର ହେଲେ । ବହୁଥର ଯା ଆସ କରିବାରୁ ଷ୍ଟେସନବାଲାମାନଙ୍କ ସାଙ୍ଗରେ ଏହାଙ୍କର ପରିଚୟ ହୋଇ ଯାଇଚି । ସେ ଟିକଟ କିଲଟର ବାବୁଙ୍କୁ ପଚାରିଲେ ‘‘କି ହୋ ସନ୍ତୋଷବାବୁ, ଆଜି ଡାକବଙ୍ଗଳାରେ କେହି ଅଛନ୍ତି କି ?’’ ଶୁଣିଲେ ଯେ ହାକିମ ହୁକୁମା କେହି ନାହାନ୍ତି, କିନ୍ତୁ ଆଉ ଜଣେ ଅଧେ ବାହାର ଲୋକ କିଏ ଥାଇପାରନ୍ତି ବୋଧହୁଏ, ଗୋଟାଏ ଦୁର୍ଭାବନା ଗଲା । ଶ୍ୟାମବାବୁ ଡାକବଙ୍ଗଳାରେ ପହଞ୍ଚିଯାଇ ଦେଖନ୍ତି ଯେ ଜଣେ ବଙ୍ଗାଳିବାବୁ ସେଠାରେ ଅଛନ୍ତି । ସେ ଆମ୍ଭମାନଙ୍କର ପୂର୍ବପରିଚିତ ପ୍ରମଥବାବୁ । ପ୍ରମଥବାବୁ ଗୋଟିଏ ବଖରାରେ ଥାନ୍ତି । ଶ୍ୟାମବାବୁ ଯାଇ ଆଉ ଗୋଟିଏ ବଖରାରେ ଜମେଇ ବସିଲେ । ସେଦିନ ସନ୍ଧ୍ୟାବେଳକୁ ହାଟରୁ ଫେରି ଶ୍ୟାମବାବୁ ସାଙ୍ଗ ସୁଖଙ୍କୁ ନେଇ ନାଲିପାଣି ପୂଜାକରିବାର ଉଦ୍ୟମ କରୁଚନ୍ତି । ମାଂସଭଜା ହଉଚି । କେହି ସୋଡ଼ାପାଣି ଆଣିବାକୁ ଯାଇଚନ୍ତି । ଶ୍ୟାମବାବୁ ବଙ୍ଗଳାର ବରଣ୍ଡାରେ ଖଣ୍ଡିଏ ଆରମ ଚୌକିରେ ବସି ଆଗତ ମଉଜର ସ୍ୱପ୍ନ ଦେଖୁଚନ୍ତି, ଏହିପରି ସମୟରେ ପ୍ରମଥବାବୁ ଆସି ସେଠାରେ ପହଞ୍ଚିଲେ । ‘‘ଆପଣଙ୍କର ଘର କେଉଁଠାରେ, ମହାଶୟ’’ ଠାରୁ ଆରମ୍ଭ କରି ଆସ୍ତେ ଆସ୍ତେ ଆଳାପ ପରିଚୟ ଜମାଟ ବାନ୍ଧି ବସିଲା । ସୋଡ଼ାପାଣି ଓ ମାଉଁସଭଜା ତିଆରି ହେଲାବେଳକୁ ଏତେଦୂର ଭାବ ଦୋସ୍ତି ହୋଇଗଲା ଯେ, ଅର୍ଥାତ୍‌ ପ୍ରମଥବାବୁ ଶ୍ୟାମବାବୁଙ୍କୁ ନିଜର ଅକ୍ତିଆରରେ ଏତେଦୂର ଆଣିପାରିଥିଲେ ଯେ ଶ୍ୟାମବାବୁ ତାଙ୍କୁ ମଉଜରେ ଯୋଗ ଦେବାପାଇଁ ନିମନ୍ତ୍ରଣ କରି ପକାଇଲେ । ପ୍ରମଥବାବୁ କହିଲେ ‘‘ଦେଖନ୍ତୁ, ମହାଶୟ, ମୋର ସେସବୁ ଆମୋଦ ବଡ଼ ବେଶୀ ସହେ ନାହିଁ’’ ମୁଁ ପ୍ରତିଜ୍ଞା କରିଥିଲି ଆଉଦିନେ ମଦ ଛୁଇଁବି ନାହିଁ ବୋଲି’’ ତେବେ ଆଜି ଆପଣଙ୍କ ସହିତ ମୋର ଏ ଯେ ନୂତନ ବନ୍ଧୁତା ହେଲା, ତାରି ଖାତିରିରେ ପ୍ରତିଜ୍ଞା ନଭାଙ୍ଗିଲେ, କାଳେ ଆପଣଙ୍କ ମନରେ କଷ୍ଟ ହବ । କ’ଣ କରାଯାଏ ? ବନ୍ଧୁପାଇଁ ବନ୍ଧୁ ପ୍ରାଣ ଦେଇଦେଉଚି । ମୁଁ ଏତିକି ଆଉ କରିପାରିବି ନାହିଁ । ନା ହେ କ’ଣ କହୁଚ ? କିନ୍ତୁ ଶ୍ୟାମଭାଇ, ତୁମକୁ ଦେଖି ମୋର ଠିକ୍‌ ମନେହଉଚି ତୁମେ ଯେପରି ମୋର କେତେ ଦିନର ଚିହ୍ନା, ୟାକୁ ତ କହନ୍ତି ପ୍ରାଣର ଡାକ । ନା ହେ କ’ଣ କହୁଚ ?

 

ସବୁ ତିଆର । ଗୋଟାଏ ଟେବୁଲର ଚାରିପଟେ ଚାରିଟା ଚୌକି ପଡ଼ିଲା । ଦୁଇଟା ପାଖାପାଖି ଚୌକିରେ ଶ୍ୟାମବାବୁ ଓ ପ୍ରମଥବାବୁ । ଆଉ ଦୁଇଟାରେ ଶ୍ୟାମବାବୁଙ୍କର ବନ୍ଧୁ ଦୁଇଜଣ-। ଟେବୁଲ ଉପରେ ମଦର ବୋତଲ ଦୁଇଟି, ଦୁଇଟି ଚିନା ଥାଳିରେ ଦିଥାଳି ମାଂସ, ଚାରୋଟି ସୋଡ଼ା ବୋତଲ । ବୋତଲ ଖୋଲିଲା । କାଚ ଗ୍ଲାସରେ ଢଳାହେଲା । ସୋଡ଼ା ମିଶିଲା-। ତା’ପରେ ତାତିଲା ପାଣି ଫୁଟିଲାପରି ସେଇ ଫୁଟନ୍ତ ନାଲପାଣିର ଶ୍ରାଦ୍ଧ ଆରମ୍ଭ ହେଲା । ଶ୍ୟାମବାବୁଙ୍କ ଗିଲାସରେ ନିଜ ଗିଲାସକୁ ଟିକିଏ ଠୋକରେଇ ଦେଇ ପ୍ରମଥବାବୁ ଏହି ନୂତନ ବନ୍ଧୁତାର ଖାତିରିରେ ପାନକରିବାକୁ ଆରମ୍ଭ କଲେ । ବୋତଲଟି ଶେଷ ହେଲାବେଳକୁ ଦେଖାଗଲା ପ୍ରମଥବାବୁ ସେଥିରୁ ବାରପଣ ପକେଇଚନ୍ତି ତାରି ଅନୁପାତରେ ନାଲଭାଜି ମଧ୍ୟ । କିନ୍ତୁ ତାଙ୍କର ଆଖିରେ ବା ମୁହଁରେ କୌଣସି ରକମ ବିଭଙ୍ଗ ଲକ୍ଷ୍ୟ କରାଯାଇ ପାରୁନାହିଁ । ଅଥଚ ଶ୍ୟାମବାବୁ ବୋତଲର ମାତ୍ରା ଚାରିପଣ ଖାଇଥିଲେ ମଧ୍ୟ ତାଙ୍କର ଆଖି ନାଲ, ମୁହଁ ଉଜ୍ଜ୍ୱଳ । ସେ ଅନର୍ଗଳ ବକି ଯାଉଚନ୍ତି । ପ୍ରମଥବାବୁ ବାଁ ହାତଟା ବଢ଼ାଇ ନଜାଣିଲାର ପରି ଶ୍ୟାମବାବୁଙ୍କ ସାଙ୍ଗମାନଙ୍କ ଭାଗ ବୋତଲଟି ନିଜଆଡ଼କୁ ଟାଣି ଆଣୁ ଆଣୁ ଏଣେ ନିବିଷ୍ଟମନରେ ତାଙ୍କର କଥାଗୁଡ଼ାକ ଶୁଣି ଯାଉଚନ୍ତି । ଶ୍ୟାମବାବୁଙ୍କ ହୃଦୟର ଗୁପ୍ତ ଘର ଆଜି ଉନ୍ମୁକ୍ତ ସେ କହି ପକାଉଚନ୍ତି ‘‘ଦେଖ ଭାଇ, ସେ ଶଳା ଯୋଗୀଟାଏ, ଭିଖ ମାଗି ପେଟ ପୋଷୁଥିଲା ।’’

 

ପ୍ରମଥବାବୁ ‘ଯୋଗୀ ଶବ୍ଦ ଶୁଣିଲାକ୍ଷଣି ମୂଷା ଶବ୍ଦ ଶୁଣି ବିରାଡ଼ି କାନ ଠିଆ କଲାପରି କାନ ପତେଇ କହିଲେ ‘‘ଯୋଗୀ ? କେଉଁ ଯୋଗୀ କି ? ଶ୍ୟାମଙ୍କ ମୁହଁରେ ଆଶ୍ଚର୍ଯ୍ୟର ଚିହ୍ନ ଫୁଟି ଉଠିଲା । ସେ କହିଲେ ‘‘ଆରେ ତୁମେ ଏତିକି ଜାଣିନାହଁ ଆଜିଯାଏ’’ ଦାଣ୍ଡରେ ସମସ୍ତେ ଜାଣି ସାରିଲେଣି । ସେ ଟୋକିଟା ପରା ସେ ଯୋଗୀକି ନେଇ ରହିଚି । ଆରେ ସେଇ ଯୋଗୀମ ? ଯେ ସେଦିନ ଏଇ ଦିନ ଦଶ ପନ୍ଦର ହବ ଆସି ଆମ ଗାଁରେ ପହଞ୍ଚିଚି ।’’

 

ପ୍ରମଥ– କାହାଘରେ ଅଛି ସେ ?

ଶ୍ୟାମ– ଆରେ ଧାତ, ତୁମେତ ନିତାନ୍ତ ଗାଈ ହେ । ଏଇତକ ଆଜି ଯାଏ ଜାଣିନାହଁ ? ସେ ଅଛି ସୁଶୀଳା ଘରେ । ସୁଶୀଳା ତାକୁ ରଖିଚି । ତା ପ୍ରେମରେ ପଡ଼ି ରଖିଚି । ଗୋଟାଏ ଯୋଗୀକୁ । ଆଉ ମୋ ପରି ଲୋକ ତା’ ଗୋଡ଼ତଳକୁ ଗଲେ ମତେ ମାର ଧର କରି ଘଉଡ଼େଇ ଦଉଚି ।

 

ପ୍ରମଥ– ସତେ, ବଡ଼ ବଦମାସ ଟୋକିତ ? ତୁମଭଳି ସୁପୁରୁଷ ବୀରପୁରୁଷକୁ ମାଡ଼ମାରି ଘଉଡ଼େଇ ଦଉଚି, ଏତେ ସାହସ ତା’ର ? ଏତେ ଦିମାକ୍‌ ? ସେ ଜାଣେନାହିଁ ତୁମର ବନ୍ଧୁ ମୁଁ ତୁମଲାଗି ଏ ଜାନ୍‌, ଏ କଲିଜା ଦେଇପାରେଁ ? କିଛି ଭୟ ନାହିଁ, ବନ୍ଧୁ, ମୁଁ ସବୁ ଠିକ୍‌ କରିଦେବି । ଶ୍ୟାମବାବୁଙ୍କ ମିଞ୍ଜାସ ସେତେବେଳେ ପଞ୍ଚମରେ । ତାଙ୍କ ଆଗରେ ସବୁ ନାଲ, ସବୁ ଖାଲି ହୁରିଖେଳ । ଏ ସଂସାରରେ ତାଙ୍କ ଛଡ଼ା ଯେ ଆଉ କେହି ମଣିଷ ଅଛି, ଆଉ କେହି ଯେ କୌଣସି ରକମ ସୁଖ ବା ଆନନ୍ଦ ପାଇବାର ହକ୍‌ଦାର ଏସବୁ କଥା ମୋଟେ ତାଙ୍କ ମନରେ ଧରୁନାହିଁ । ଏପରି ଅବସ୍ଥାରେ ଏ ସଂସାର ପ୍ରତି ଓ ଏ ସଂସାରର ଯାବତୀୟ ଜିନିଷ ପ୍ରତି ତାଙ୍କ ହୃଦୟର ସମସ୍ତ ସେହି ଭଣ୍ଡାର ଉଛୁଳି ପଡ଼ୁଚି । ସେ ଉଠିପଡ଼ି ପ୍ରମଥବାବୁଙ୍କୁ କୁଣ୍ଢେଇ ପକାଇବାକୁ ଯାଇ କହିଲେ ‘‘ସତେ ସଙ୍ଗାତ, ସତେ ? ତୁମେ ସବୁ ଠିକ୍‌ କରିଦବ ?’’ ପ୍ରମଥବାବୁ କୌଶଳରେ ତାଙ୍କର ସ୍ନେହାଲିଙ୍ଗନରୁ ନିଜକୁ ବଞ୍ଚାଇ କହିଲେ ‘‘ନିଶ୍ଚୟ’’ ।

 

ଶ୍ୟାମ– ତୁମେ ସୁଶୀଳାକୁ ମଙ୍ଗେଇ ମୋ ସାଙ୍ଗରେ ବାହା କରାଇ ଦବ ?

ପ୍ରମଥ– ଅଲବତ୍‌

ଶ୍ୟାମ– ତୁମେ ସେ ପାଜି ଯୋଗୀଟାକୁ ବାନ୍ଧି ମୋ ଆଗରେ ଆଣି ପକେଇ ଦବ ?

ପ୍ରମଥ– ଜରୁର

Unknown

 

ଶ୍ୟାମ– ତୁମେ ସେ ଶଇତାନି ଗୁରାବୋଉକୁ ଗାଲକେ ଚୂନ, ଗାଲକେ କାଳି ଦେଇ ଗଧ ଉପରେ ବସାଇ ଦାଣ୍ଡରେ ବୁଲେଇ ଆଣିବ ?

 

ପ୍ରମଥ– ଆରେ ସେତ ଖୁବ୍‌ ପାରିବି !

 

ଶ୍ୟାମବାବୁ ଗୋଡ଼ ହାତ ଛାଡ଼ି ଚୌକିଉପରେ ବସି ପଡ଼ିଲେ । ହାତଟା ତାଙ୍କ ନିଶ ଆଡ଼କୁ ଅର୍ଥାତ୍‌ ନିଶ ଯେଉଁଠାରେ ଥାନ୍ତା ସେହିଠାକୁ ଉଠିଗଲା, ଏବଂ ସେ ମୁଡ଼ୁକି ମୁଡ଼ୁକି ହସି ନିଶ ମୋଡ଼ିଲେ ଅର୍ଥାତ୍‌ ନିଶଥିଲେ ମୋଡ଼ିଥାନ୍ତେ । ତାଙ୍କର ସମୁଦାୟ ମୁହଁରେ ଗୋଟିଏ ଅତି ମଧୁର ଶାନ୍ତିର ଛାୟା । ସେ ଯେପରି ଏ ସଂସାର ଚାଖଣ୍ଡକର ନବାବ ।

 

ତାଙ୍କର ଏହି ନବାବିପଣ ଭାଙ୍ଗି ପ୍ରମଥବାବୁ କହିଲେ ‘‘କିନ୍ତୁ, ଭାଇ, ମୋର ଗୋଟାଏ କଥା ମନେ ହଉଚି’’ । ଶ୍ୟାମବାବୁ ‘‘ଆଉ ଗୋଟାଏ କଥା ପୁଣି କ’ଣ ? ଜବାବ ହୋଇଗଲା ପରେ ତୁମେ ପୁଣି ଖସି ଖୁସା ଯିବ ନାଇଁ ତ ?’’

 

ପ୍ରମଥ– ଆରେ ଧାତ୍‌, ସେ କଥା କି ହୁଏ । ତେବେ କହୁଥିଲି କ’ଣ କି, ସେ ପ୍ରମିଳା ଟୋକିଟାକୁ ବାହାହୋଇ କି ଲାଭ ? ସେ ଯେ ଦୁଷ୍ଟାମି କରିଚି, ତାକୁ ଗୋଟାଏ ହାଡ଼ି କି ପାଣ ସାଙ୍ଗରେ ବାହା କରାଇ ଦେଲେ–

 

ଶ୍ୟାମ– ଆରେ ନା, ନା, । ତା’ହେଲେ ତା’ ସମ୍ପତ୍ତିବାଡ଼ି ଟଙ୍କା କଉଡ଼ି ସବୁ ସେଇ ହାଡ଼ି କି ପାଣ ପାଇଯିବ ଯେ ! ଯା, ତୁମେତ ଭାରି ଖରାପ ମଣିଷ । ମୋର ପାଇବାର ସମ୍ପତ୍ତିକୁ ତୁମେ ହାଡ଼ି କି ପାଣକୁ ଦେଇଦବ ?

 

ପ୍ରମଥ– ନାଇଁ, ନାଇଁ, ଭାଇ, ମୁଁ ଜାଣିନଥିଲି ବୋଲି, କହିଲି ସିନା । ଆଚ୍ଛା, ଟିକିଏ ରହତ, ମୁଁ କଥାଗୁଡ଼ାକ ଲେଖିପକାଏଁ । ମୁଁ ଭାଇ, ବଡ଼ ମୋଟା ବୁଦ୍ଧିଆ । କୌଣସି କଥାକୁ ପରିଷ୍କାର କରି ଲେଖି ଦି ଚାରିଥର ନ ପଢ଼ିଲେ ମୋର ବୁଝି ହୁଏନାହିଁ । ତୁମେ କିପରି ଏସବୁ କଥା ମନେ ରଖିଚ ଭାଇ ? ସାବାସ ତୁମ ବୁଦ୍ଧିକି ।

 

ସେ ଏହିପରି ଗଫୁଥାନ୍ତି, ଆଉ ଏଣେ ଲେଖୁଥାନ୍ତି । ଲେଖା ମଝିରେ ସେ ଟିକିଏ ମୁଣ୍ଡ ଟେକି ଚାହିଁଲେ । କହିଲେ ଆରେ ତୁମେ ସବୁ ଖାଲି ବସିଚ ଯେ । ଚଲାଅନା ‘‘ମଲା, ମଲା, ସବୁତ ଶେଷ ‘‘ଆରେ ଖେନ୍ଦା, ଖେନ୍ଦା’’ ତାଙ୍କର ଚାକର ଖେନ୍ଦା ପହଞ୍ଚିଗଲେ ସେ ତାକୁ କହିଲେ ‘‘ଆରେ ବୋତଲଟା ବାକ୍ସରୁ ନେଇ ଆତ’’ । ଖେନ୍ଦା ବୋତଲ ଘେନି ଆସିଲେ ସେ ନିଜ ହାତରେ ପ୍ରାୟ ଅଧଗିଲାସେ ହବ ଢାଳି ଶ୍ୟାମବାବୁଙ୍କ ହାତକୁ ବଢ଼ାଇ ଦେଲେ । ଶ୍ୟାମବାବୁ ଆନନ୍ଦରେ ଅଧୀର ହୋଇ ସେତକ ପକାଇବା ମଧ୍ୟରେ ପ୍ରମଥବାବୁଙ୍କର ଲେଖା ଶେଷ । ପ୍ରମଥବାବୁ କହିଲେ ‘‘ଭାଇ, ତୁମଠାରୁ ଯାହା ସବୁ ଶୁଣିଲି, ମୁଁ ଯଥାସାଧ୍ୟ ଲେଖିଚି । ଖାଲି ତୁମ ନା’ଟା ମନେ ରହିଲା ନାହିଁ । କ’ଣ କହିଥିଲଟି ?’’

 

ଶ୍ୟାମ– ଥ୍ୟାମ ଚଲନ୍‌ କାନୁନଗୋ ।

 

ପ୍ରମଥ– କ’ଣ କହୁଚ ଭାଇ, କିଛି ଶୁଣି ପାରୁନାହିଁ । ତୁମ ଏ ଜିନିଷଗୁଡ଼ାକ ଭାରି ନିଶା-

 

ଶ୍ୟାମ– ହଁ, ହଁ, ଭାଆଆରି ନ୍ନିସା

 

ପ୍ରମଥ– ତୁମ ନା’ଟା ଲେଖିଦିଅନ୍ତ ବୋଇଲେ ମୁଁ ପଢ଼ିଯାନ୍ତି, କହି ଝରଣା କଲମଟି ଶ୍ୟାମବାବୁଙ୍କ ଆଡ଼କୁ ବଢ଼ାଇ ଦେଲେ । ଶ୍ୟାମବାବୁ କଲମଟା ଧରିନେଲେ କୌଣସିମତେ । ପ୍ରମଥବାବୁ ତାଙ୍କ ଲେଖିଥିବା କାଗଜଟାର ଗୋଟାଏ ଅଂଶ ଦେଖେଇ ଦେଲେ । ଶ୍ୟାମବାବୁଙ୍କୁ ଦିସିଲା ଯେପରି କାଗଜର ସେହି ଜାଗାଟାରେ କ’ଣ ଗୁଡ଼ାଏ ଚିତ୍ର କଟାହୋଇଚି । କିନ୍ତୁ ଚିତ୍ରଗୁଡ଼ାକ ତାଙ୍କ ଆଖିଆଗରେ ଏପରି ନାଚୁଥିଲା ଯେ ସେ ଠଉରେଇ ପାରିଲେ ନାହିଁ । ତାଙ୍କ ମୁଣ୍ଡ ଠିକ୍‌ଥିଲେ ସେ ଦେଖିଥାନ୍ତେ ସେ ଚିତ୍ରଗୁଡ଼ାକ ଆଉ କିଛିନୁହେ, ଦୁଇଖଣ୍ଡି ଅଣିକିଆ ଡାକ ଟିକଟ । ଶ୍ୟାମବାବୁ ପଚାରିଲେ ‘‘ଭାଇ, ଏ ଚିତ୍ରଗୁଡ଼ାକ କ’ଣ ?’’ ପ୍ରମଥବାବୁ କାଗଜ ଉପରେ ଲଇଁପଡ଼ି କହିଲେ ‘‘କାଇଁମ, ଚିତ୍ର, ନାଇଁତ, ସବୁ ଧଳା, ଖାଲି ଧଳା’’ । ଶ୍ୟାମବାବୁ ‘‘ହଁ, ହଁ, ସବୁ ଧଳା ଏ ଖାଲି ଧଳା, ହୋ, ହୋ, ହୋ ଭାରି ଏଃ ମଜ୍ଜାର କଥା ଏଃ । ଦେ, ଶଳା, ମାର ଶ୍ରୀ ଶ୍ୟାମାଚରଣ ଏଃ କାନୁନଗୋ ଏଁ ସ୍ୱରଟା ଯେପରି ଲମ୍ବି ଯାଉଥିଲା, ହାତଟା ମଧ୍ୟ ସେହିପରି ଲମ୍ବିଗଲା ପରି ହୋଇଗଲା ବେଳକୁ ପ୍ରମଥବାବୁ ତାଙ୍କ ହାତଟା ଧରି କଲମଟା ଛଡ଼ାଇ ନେଲେ । ଶ୍ୟାମବାବୁ ସେହି ସ୍ଥାନରେ ଚୌକି ଉପରେ ଆଉଜି ପଡ଼ି ନିଦେଇ ଗଲେ ।

Image

 

୨୬

 

ରାଧାନାଥ ପୁର

୧୦–୫

 

ପ୍ରିୟତମେ,

 

ତୁମେ ଚିଠି ଦବାରେ ଏତେ ଡେରିକର କାହିଁକି ସୁଶୀଳା ? ବୋଧହୁଏ ଜୀବନର ନୂଆ ସଙ୍ଗିଟିଏ ପାଇ ତୁମେ ମତେ ତୁମର ପୁରୁଣା ସାଙ୍ଗମାନଙ୍କୁ ଭୁଲିଗଲଣି । ଛି, ଛି, ସୁଶୀଳା, ଭୁଲିଗଲୁ ସେ ଦିନର ଏତେକଥା ? ପାଶୋରିଦେଲୁ ସେଦିନ କଲେଜ ବୋର୍ଡ଼ିଂରେ ତୋର ପ୍ରତିଜ୍ଞା-? ତୁ ଭୁଲି ଯାଇପାରୁ, ମାତ୍ର ଏ ଜୀବନରେ ମୁଁ ପାରିବି ନାହିଁ । ସମାନ୍ୟ ଗୋଟାଏ ପୁରୁଷର ମୋହରେ ମୁଁ ମୋର ବାଲ୍ୟସଖି, ପ୍ରାଣର ସହଚରୀ ସୁଶୀଳାକୁ ଭୁଲି ପାରିବି ନାହିଁ । ଯଦି ମୋର ସେ ଶକ୍ତି ଥାଆନ୍ତା, ତା’ହେଲେ ମୁଁ ମୋର ହୃଦୟ ଚିରି ଦେଖାଇ ଦିଅନ୍ତି, ତାହାର ପ୍ରତ୍ୟେକ ଗ୍ରନ୍ଥିମଧ୍ୟରେ ଲେଖାଅଛି । ମୋର ପ୍ରାଣପ୍ରତିମା ସୁଶୀଳାର ନାମ । ଯଦି ମୋ ରକ୍ତର ସିଞ୍ଜିନୀ ଶବ୍ଦ ଶୁଣାଇବାକୁ ପାରନ୍ତି, ତା’ହେଲେ ବୁଝାଇ ଦିଅନ୍ତି, ହୃଦୟର ପ୍ରତ୍ୟେକ ସ୍ପନ୍ଦନରେ ମୋର ରକ୍ତପ୍ରବାହ ଗାଉଚି ସେଇ ସୁଶୀଳାର ନାମ । ଏ କି ମାୟା ଲଗାଇ ଦେଇଚୁ, ଏ କେଉଁ ଗାରଡ଼ି ମନ୍ତ୍ରରେ ମତେ ଏପରି ଅବଶ କରି ରଖିଚୁ, କହଦେଖି ପ୍ରିୟତମେ ? ମନୁଷ୍ୟ ପୁଣି ମନୁଷ୍ୟକୁ ଏପରି ଭଲ ପାଏ ? ଜଣେ ଲୋକର ଆଦର୍ଶନରେ ପୁଣି ଆଉ ଜଣକର ମନ ଏପରି ଉଦ୍‌ବୋଳିତ ହୁଏ ? ଆଉ ନିଷ୍ଠୁରା, ରାକ୍ଷସୀ ତୁ, ତୋର ସେଦିନର ସମସ୍ତ ପ୍ରତିଜ୍ଞା ଭୁଲି ଗୋଟାଏ ଅଜଣା ପୁରୁଷର ମୋହରେ ତୋର ପ୍ରେମାନୁରାଗିଣୀ ଏ ଦାସୀକୁ ଏପରି ହତାଦର କରିପାରୁ ? ହଉ, ତୋର ଇଚ୍ଛା, ତୋର ଧର୍ମ । ତୁ ମତେ ଫୋପାଡ଼ି ଦେଲେ, ମୁଁ ତତେ ବାରଣ କରିପାରିବି ନାହିଁ । ସେତ ତୋର ଦୟା, ତୋର ଧର୍ମ । କିନ୍ତୁ ମୁଁ କ’ଣ କରିବି ଜାଣୁ ? ବୃକ୍ଷର ଚେର ଯେପରି ମୃତ୍ତିକାକୁ ଆଶ୍ଳେଷି ଧରିରଖେ, ମୁଁ ସେହିପରି ତତେ ଧରିରଖିବି, ତୁ ଗୋଡ଼ଘେନି ଫିଙ୍ଗିଦେଲେ ମଧ୍ୟ, ମୁଁ ପୁଣି ତୋର ସେହି ଚରଣ କମଳ ଯୋଡ଼ିକୁ ଭିଡ଼ି ଧରିବି ମୋର ଏହି ସନ୍ତାପିତ, ପ୍ରେମପିପାସିତ ହୃଦୟରେ ।

 

ମୁଁ ଜାଣେ ତତେ ଏକଥାଗୁଡ଼ିକ ଭଲ ଲାଗୁନଥିବ । ତୁ ହୁଏତ ମନେ ମନେ ବେଜାର ହୋଇ ଭାବୁଥିବୁ ଏଗୁଡ଼ାକ ଖାଲି ପାଗଳର ପ୍ରଳାପ । ତୁ ହୁଏତ ଅନ୍ୟ କାହାର ପ୍ରେମସମ୍ଭାଷଣ ଶୁଣିବାପାଇଁ ମୋର ଏ ଚିଠିଟା ନ ପଢ଼ି ଚିରିପକାଇବୁ । କିନ୍ତୁ କ’ଣ କରିବି ପ୍ରିୟତମେ, ହୃଦୟର ଏକଥାଗୁଡ଼ିକ ଖୋଲି ନକହି ସ୍ଥିର ହୋଇ ପାରିଲି ନାହିଁ ।

 

ଆଜି ଗୋଟାଏ ଭାରି ମଜ୍ଜା ହୋଇଯାଇଚି । ଏଇ ଦିପହରେ ଗୋଟାଏ ଯୋଗୀ ଆସି ଦାଣ୍ଡରେ ଗୀତ ଗାଉଥିଲା । ଦେଖିଲି ସେ ଯୋଗୀ ଗୀତ ନୁହେ । ଶିକ୍ଷିତ ଲୋକ ତୁଣ୍ଡରେ ମାର୍ଜିତ ଭାଷାର ସଙ୍ଗୀତ । ମୋର କୌତୁହଳ ହେଲା । ମୁଁ ଯୋଗୀକୁ ଡାକିଲି । ତାକୁ ଗୀତ ଗାଇବାକୁ କହିଲି । ସେ ଗାଇଲା କ’ଣ ଜାଣୁ ? ସେଦିନ ତୁମ ବୈଠକ ଖାନାରେ ଧୋଇବାବୁ ଯେ ଗୀତଟି ଗାଇଥିଲେ, ସେଇ ଗୀତଟି ସେହିପରି ଢଙ୍ଗ, ରଙ୍ଗ, ତାନ, ମୂର୍ଚ୍ଛନା ଦେଇ ଗାଇଲା । ଲୋକଟା ଯେ ଶିକ୍ଷିତ ସେ ବିଷୟରେ ମୋର ସନ୍ଦେହ ରହିଲା ନାହିଁ । ଭାବିଲି ବୋଧହୁଏ ଦୁର୍ଭାଗ୍ୟବଶରୁ ଏପରି ଅବସ୍ଥାକୁ ଆସିଚି । ଦୟାହେଲା, ମୁଁ ତାକୁ ମୋର ଗୁମାସ୍ତା ପଦରେ ବାହେଲ କଲି । ଗୋରାବୋଉ ମାଉସୀ ମୋ ଉପରେ ଭାରି ଖପା ‘‘କହେ ଚୋର କି ଖଣ୍ଟ ଜଣାନାହିଁ, ତାକୁ ଘରେ ରଖିଲୁ କାହିଁକି-? ମୁଁ କ’ଣ ଭୁଲ କରିଚି ସୁଶୀଳା ? ପ୍ରକୃତରେ ବର୍ତ୍ତମାନ ଭାବୁଚି, କାମଟା ବୋଧହୁଏ ଠିକ୍‌ ହୋଇନାହିଁ । ଯାହାହଉ କରିତ ସାରିଲିଣି, ଆଉ ପଛଘୁଞ୍ଚା ଦିଏଁ କିପରି ? ଦେଖାଯାଉ, ଯଦି ସେପରି କିଛି ଆଚରଣ ତା’ର ଦେଖିବି, ତା’ହେଲେ ବାହାର କରିଦବାକୁ କେତେକ୍ଷଣ ? ରହିଲି, ମନେକରୁଥିବୁ ଗାଳି ଦଉଥିବୁ । ମୋର ଶତ ଚୁମ୍ବନ ଗ୍ରହଣ କରିବୁ ।

ତୋର

ପ୍ରମିଳା ।

 

(୨)

 

କଟକ

୧୪–୫

 

ସ୍ନେହର ପେମି,

 

ତୁ ଯେ ମତେ ଭଲପାଉ ସେକଥା କ’ଣ ମୁଁ ଜାଣେନାହିଁ ? ଆଉ ମୁଁ ଯେ ତତେ ଭଲପାଏ ନାହିଁ, ଆଉ ଜଣେ ପୁରୁଷର ପ୍ରେମରେ ପଡ଼ି ତତେ ଭୁଲିଗଲିଣି ଇତ୍ୟାଦି ତୁ ଲେଖିଚୁ, ସେସବୁ ତୋର ମସ୍ତବଡ଼ ପାଗଳାମି । ମୁଁ ନିଶ୍ଚୟ ତତେ ପାଶୋରି ଦେଇନାହିଁ । ମୁଁ ଅବଶ୍ୟ ତତେ ଭଲ ପାଏଁ । ଭଲ ପାଇବା ମାପିବାପାଇଁ ଯଦି ସେର ତରାଜୁ ଥାନ୍ତା, ତା’ହେଲେ ରୋକ ଠୋକ ହିସାବ କରି କହିଦିଅନ୍ତି, ମୁଁ ତତେ କେତେ ସେର ବା କେତେ ମାଣ ଭଲପାଏଁ । ତେବେ ଏତିକି କହିଲେ ଯଥେଷ୍ଟ ହବ ବୋଧହୁଏ ଯେ ମୋର ଭାଇ ନରି ବା ମୋର ଭଉଣୀ ସ୍ୱାମୀକୁ ମୁଁ ଯେତେ ଭଲପାଏଁ, ତତେ ସେହି ପରିମାଣରେ ସ୍ନେହକରେଁ । ଆଉ ସେ ସ୍ନେହ ଅନେକ ପେମି; ସେ ଭରା ସମୁଦ୍ରର ଉଭାନ ଜୁଆର । ବେଳେଁ ବେଳେଁ ମୁଁ ଭାବେ ଏଇ ଛୋଟ ହୃଦୟଟିରେ ଏତେ ସ୍ନେହ ଧରେ କିପରି ? ତେବେ ୟା ମତେ ସ୍ୱୀକାର କରିବାକୁ ହବ ଯେ ତୁମ ସମସ୍ତଙ୍କ ଅପେକ୍ଷା ଖୁବ୍‌ ବେଶୀ ମୁଁ ଆଉ ଜଣକୁ ସ୍ନେହ କରେ–ସେ ମୋର ସ୍ୱାମୀ, ମୋର ଦେବତା, ମୋର ଇହକାଳ, ପରକାଳର ଏକମାତ୍ର ଆଧାର । ମୋର ଦେହ, ମନ, ପ୍ରାଣ ସବୁ ତାଙ୍କର । ମୁଁ ଯଦି ତୁମକୁ ସବୁ ଅବାଧରେ ସ୍ନେହ କରୁଥାଏଁ, ତା’ହେଲେ ସେସବୁ ତାଙ୍କରି ଅନୁମତି ନେଇ, ତାଙ୍କରି ଦୟା ବଶରୁ । ତୁ ବୋଧହୁଏ ରାଗ କରିବୁ ଏହାଶୁଣି । ତୁ ତ ରାଗ କରି ସାରିଚୁ । ତାଙ୍କ ପ୍ରତି ମୋର ସ୍ନେହ ଦେଖି, ତୁ କେତେ ନାକଟେକିବୁ, ଏବେ ମଧ୍ୟ ପିଲାଦିନର ସେ ପ୍ରତିଜ୍ଞା ମନେକରାଇ ଦେଇଚୁ । କିନ୍ତୁ ଭାବ, ସେତ ପାଠପଢ଼ୁଆ ପିଲାର ଗୋଟାଏ ଧୂଳିଖେଳ । ସେ କି ସବୁଦିନ ରହିପାରେ । ପିଲାଦିନର ଧୂଳିଖେଳ ଛଡ଼ା ଏ ସଂସାରରେ, ମନୁଷ୍ୟର ଏ ଜୀବନରେ ଅନେକ ଭଲ ସୁଖ ଓ ଆମୋଦ ଅଛି । ପିଲାଦିନର ସେ ଧୂଳିଖେଳ ସୁଖକୁ ଧରି ଜୀବନର ଏହି ବଡ଼ ବଡ଼ କଥା, ବେଶୀ ବେଶୀ ଆମୋଦଗୁଡ଼ିକୁ ଛାଡ଼ିବା ବଡ଼ ରକମ ବୋକାମି । ମୁଁ ବର୍ତ୍ତମାନ ସେକଥା ଅନୁଭବ କରୁଚି । ତୋର ଓ ଦିନ ଆସିବ, ତୁ ମଧ୍ୟ ଦିନେ ତାହା ଅନୁଭବ କରିବୁ । ମୋର ତ ଯେପରି ମନେ ହଉଚି ତୋର ଦିନ ଆସି ଗଲାଣି ।

 

ସେ ଯୋଗୀଟି କିଏ ଗୋ ? ଦେଖୁ ଦେଖୁ ଏପରି ମମତା ଲାଗିଗଲା କିପରି ମ ? ଏ କ’ଣ ‘‘ଆଖି ଆଖି ଲାଖିରହିଲା ଯେ ଦିନ’’ ? ଦେଖ ପେମି, ଖାଲି ଗୋରାବୋଉ ମାଉସୀ ନୁହନ୍ତି, ମୁଁ ମଧ୍ୟ କହୁଚି ସେ ଚୋର କି ଖଣ୍ଟ, ଶେଷରେ ଯେପରି ତୋର ସର୍ବସ୍ୱ ଚୋରି ନକରେ । ସତରେ, ମୁଁ ବଡ଼ ଆଶ୍ଚର୍ଯ୍ୟ ହେଲି ଶୁଣି । ଧୋଇବାବୁଙ୍କର ସେ ଗୀତଟି ତାଙ୍କର ନିଜର ! ଲୋକଟା ନିତାନ୍ତ ‘ହାମ୍‌ ବଡ଼ା’ କି ନା, ସେ ତା ନିଜ ତିଆରି ଗୀତଛଡ଼ା ଆଉ କିଛି ଗାଏନାହିଁ । ଯେମିତି କି ଏ ବିଶ୍ୱ ସଂସାରେ ସେ ଏକା କବି । ତା’ର ତ କୌଣସି ଗୀତ ଛପା ହୋଇନାହିଁ କି ତା’ ଗୀତରେ ଏପରି କିଛି ବିଶେଷ ମାଧୁରୀ ନାହିଁ ଯେ ଶୁଣି କେହି ମନେ ରଖିବାକୁ କି ଆଉଥରେ ଶୁଣିବାକୁ ଇଚ୍ଛା କରିବ । ସେ ଗୀତ ଏ ଯୋଗୀଟା ଜାଣିଲା କାହୁଁ ? ମୋ ମନରେ ଗୋଟାଏ ସନ୍ଦେହ ହଉଚି । ସେକଥା ଇଲେଗେ କହିବି ନାହିଁ । ତୋ ଯୋଗୀକଥା ଶୁଣିବାକୁ ଭାରି ଉତ୍କଣ୍ଠା ଆସିଲାଣି । ଆର ଚିଠିରେ ସବୁ ଖୋଲି ଲେଖିବୁ ।

 

ଯାଏଲୋ ଭଉଣୀ, ସେ କଚିରିରୁ ଫେରି ଆସିଲେଣି । ଆଜି କ’ଣ ହୋଇଚି କେଜାଣି, ମୁହଁଟି କାହିଁକି ଶୁଖିଲା ଶୁଖିଲା ଦିଶୁଚି । ଯାଏଁ, ଦେଖେଁ କ’ଣହେଲା ।

ତୋର

ସୁଶୀ ।

 

(୩)

 

ରାଧାନାଥ ପୁର

୨୨–୫

 

ମା,

 

ଏ ପେଞ୍ଚତ ମନ୍ଦ ନୁହେଁ । ଠିକ୍‌ ଗୋଟିଏ ଗୋଲେକଧନ୍ଦା । ରାମ, ରାମ, ଗୋଡ଼ିମାଟିର ତିଆରି ଏଇ ପଇସା ପୁଣି ମନୁଷ୍ୟକୁ ଏପରି ପଶୁ କରାଏ ନା ? ନା, ମା, ଏ ଯୋଗୀର ଜୀବନ ବରଂ ଭଲ, କିନ୍ତୁ ସମ୍ପତ୍ତିବାଡ଼ି, ବିଷୟ ଆଶୟ–ଖାଲି ଅନର୍ଥ, ମା, ଖାଲି ପାପ । ଶାନ୍ତିନାହିଁ, ସୁଖନାହିଁ, ଆରାମ ନାହିଁ । ଖାଲି ‘‘ହା ଟଙ୍କା, ହା ଟଙ୍କା’’–ଜୀବନଟା ଗୋଟାଏ ମସ୍ତବଡ଼ ହାହାକାର-। ଆମର ଏ ଜମିବାଡ଼ି ବିଷୟ ଆଶୟଗୁଡ଼ାକ ବିକି ଗରିବଙ୍କୁ ବାଣ୍ଟିଦେଲେ–ନା, ନା, ତା’ନୁହେ, ବିଚାରା ନିରୀହ ଲୋକଗୁଡ଼ିକ, ତାଙ୍କ ମୁଣ୍ଡରେ ଏ ପାପ ଅଜାଡ଼ି ଦବ କାହିଁକି ? ନା, ଆଚ୍ଛା ସମୁଦ୍ର ଭିତରେ ନେଇ ଫିଙ୍ଗିଦେଇ ଆସିଲେ କି ହୁଏ ନାହିଁ ମା ? ବେଶ୍‌ ତ୍ରାହି ମିଳନ୍ତା । ତୁ ଅଛି, ମୁଁ ଅଛି, ଏଠି ଗୋରାବୋଉ ମାଉସୀ ଅଛନ୍ତି ଓ ମୋର ସାନ୍ତାଣୀ ଅଛନ୍ତି, ଆଉ ଦରକାର କ’ଣ ? ଆମେ କେତେଜଣ କ’ଣ ପରସ୍ପର ପ୍ରତି ଯଥେଷ୍ଟ ନୋହୁ ?

 

ଦେଖ୍‌ ଦେଖି, ଏ ଲୋକଟାର ଗୋଟିଏ ସ୍ତ୍ରୀ ଅଛି । ମୁଁ ତା’ର ସ୍ତ୍ରୀକୁ ଦେଖିଚି । କେଡ଼େ ସୁନ୍ଦର ପିଲାଟିଏ, ଗୋଟିଏ ଚାଉଳରେ ଗଢ଼ା । ପୁଣି ଗୋଟିଏ ସ୍ୱର୍ଗଅପ୍ସରି ପରି ପିଟା ସୁନାର ଲବଣି ପ୍ରତିମା ପୁଅ ଅଛି । ତଥାପି ଏ ଚଣ୍ଡାଳଟା ଖାଲି ସମ୍ପତ୍ତି ଲୋଭରେ ଆଉ ଗୋଟିଏ ଯୁବତୀକୁ ବିବାହ କରିବାକୁ କୂଟ କରୁଚି । ଆଉ ସେ କି ଏ ମର୍ତ୍ତ୍ୟପୁରିର ଯୁବତୀ ମା, ସେ ଦେବୀ, ସେ ଦେବୀ । ତାଙ୍କର ମନରେ କେତେ କଷ୍ଟ ହଉଚି । ସେ କେତେ କାନ୍ଦୁଚନ୍ତି । କିନ୍ତୁ ସେ ରାକ୍ଷସ କି ଟିକିଏ ଫେରି ଚାହୁଚି ସେସବୁ ପ୍ରତି । ତାଙ୍କର ମା ପୁଣି ଏ ରାକ୍ଷସଟାକୁ ତାଙ୍କର ଅଭିଭାବକ କରି ଯାଇଚନ୍ତି । ବିଶ୍ୱାସରେ ବିଷ ଖାଇବାକୁ ବି ଟିକିଏ ସଙ୍କୋଚ ନାହିଁ । ବେଳେ ବେଳେ ମନେହୁଏ, ଏଇ ହାତୁଡ଼ିଟା ଧରି ତା’ର ମୁଣ୍ଡଫଟେଇ ଦେବି । ଦିଅନ୍ତି ମଧ୍ୟ, କିନ୍ତୁ ଜିନିଷଟା ବଡ଼ ଅସୁନ୍ଦର । ତା’ର ମୁଣ୍ଡଟା ଫାଟି ରକ୍ତ ବୋଳା ମୁହଁରେ ଆଁ କରି ରହିଥିବ, ଇଶ୍‍ କି କଦର୍ଯ୍ୟ । ନା, ସେ ହବନାହିଁ ।

 

ଯାଏଁ ମା, ଗୋରାବୋଉ ମାଉସୀଟା ଆସୁଚି । ଚିଠି ଲେଖିବାର ଦେଖିଲେ କ’ଣ ଭାବିବ-?

ତୋର

ଧୋଇ

 

(୪)

 

କଟକ

୨୮–୬

 

ସ୍ନେହର ପେମି,

 

ଖାଲି ମନେ କରେଇ ଦଉଚି, ମୋ ଚିଠିର ଜବାବ ପ୍ରାୟ ମାସେହେଲା ପାଇନହିଁ । ମୁଁ ନହେଲା ମୋର ବାହାକଲା ସ୍ୱାମୀକୁ ନେଇ ଭୋଳ ହୋଇଗଲି, ତୁ କେଉଁ ଅଛଦରାକୁ ଘେନି ଭୋଳ ଲୋ ଖଳବି ?

ତୋର

ସୁଶୀ

 

(୫)

 

ରାଧାନାଥ ପୁର

୧–୭

ସ୍ନେହର ସୁଶୀ,

 

ଚିଠିତ ପାଇଥିଲି । କିନ୍ତୁ ଉତ୍ତର ଦେବାକୁ ମନ ହଉନଥିଲା । ତୁଯେ ଗୋଟାଏ ପୁରୁଷକୁ ପାଇଛୁ ବୋଲି ଏ ଜଗତର ଆଉ ସମସ୍ତେ ଖରାପ ହୋଇଯିବେ, ସେ କ’ଣ ତୋର କମ୍‌ ବଡ଼େଇ-? ବିଶେଷତଃ ଧୋଇବାବୁ ମହାପୁରୁଷ, ଓଡ଼ିଆମାନଙ୍କ ମଧ୍ୟରେ ଅସାଧାରଣ କୃତୀ ଓ ଧୀ ସମ୍ପନ୍ନ । ତାଙ୍କୁ ଏପରି ଭାବରେ ତାଚ୍ଛିଲ୍ୟ କରିବା ଖାଲି ପାପ ନୁହେ, ସେ ତାଚ୍ଛିଲ୍ୟ ଯେ ଶୁଣିବ ତା’ର ମଧ୍ୟ ପାପ । ତାଙ୍କର କବିତାରେ ମାଧୁରୀ ନାହିଁ, ତୁ କହୁ ? ଓଡ଼ିଶାରେ ଅତି କମ୍‌ ସଙ୍ଗୀତକାରକ ଅଛନ୍ତି, ଯେ ତାଙ୍କ ସମାନ କବିତା ଲେଖି ପାରିବେ । ତୁ ପାପି, ଆଉ ମତେ ମଧ୍ୟ ସେହି ପାପରେ ଜଡ଼େଇବାକୁ ଚେଷ୍ଟା କରୁଚୁ । ଆଉଦିନେ ଯଦି ସେପରି କିଛି ଲେଖୁ ତା’ହେଲେ ମୁଁ ପ୍ରକୃତରେ ଆଉ ତୋର ଚିଠିପତ୍ର ପଢ଼ିବି ନାହିଁ ।

 

ସତରେ, ମୁଁ ଏ କେତେଦିନ ହେଲା ବଡ଼ ବ୍ୟସ୍ତ ଥିଲି । ଏ ଯୋଗୀଟା ମତେ ବଡ଼ କନ୍ଦେଇଲାଣି । ଏ କିଏ ଗୋ ? ଖାଲି ଭଲ ଗୀତ ଗାଇଜାଣେ, ତା’ନୁହେ, ଭଲ ଚିତ୍ରକରି ଜାଣେ, ସେଦିନ ଗୋରାବୋଉ ମାଉସୀଙ୍କର ଗୋଟିଏ ଚିତ୍ର ଆଙ୍କିଥିଲା, ସେ ଠିକ୍‌ ଅବିକଳ ଜୀବନ୍ତ ଛବି । ଇଂରେଜି ଜାଣେ ଗୋ ସେ । କିନ୍ତୁ ବଡ଼ ଦୁଷ୍ଟ । କଥାରେ କଥାରେ ମତେ ବଡ଼ ବିରକ୍ତ କରୁଚି । ମୁଁ ଠିକ୍‌ କରିନେଇ ସାରିଲିଣି, ଏ ଯୋଗୀନୁହେ । ମାୟା ବେଶ । କୌଣସି ଭଲଲୋକ ବଡ଼ଲୋକ ଘରର ପୁଅ । ସେ ମତେ ଏପରି ଜଳେଇବାକୁ ଏଠିକି କେନେ ଆସିଲା ଗୋ ? ଆଉ ଆଉ ଲେଖିବାକୁ ମନ ହଉନାହିଁ । ସେଉଟା ଆଜି ସକାଳୁ ହେଇଟି ଆସୁଚି ବୋଲି କହି ଗଲାଣି ଯେ ଏତେବେଳ ଯାଏ ଫେରିବାକୁ ନାହିଁ ।

ତୋର

ପେମି

 

(୬)

 

ମା,

ବଡ଼ ଜରୁରି ଦରକାର । ପାଞ୍ଚ ହଜାର ଟଙ୍କା ପ୍ରଫୁଲ୍ଲ ହାତରେ ପଠାଇବ । ମୁଁ ତା ୨୫ ରିଖ ଦିନ ଗାଡ଼ିକି ବାଲେଶ୍ୱର ଷ୍ଟେସନକୁ ଯାଇଥିବି । ସେହିଠାରେ ତା’ଠାରୁ ନେବି । ମୁଁ ଏ ଟଙ୍କା ଦିନେ ଶୁଝିବି । କିନ୍ତୁ ଆଜି ବଡ଼ ଦରକାର ।

ତୁମର

ସଦାଧୀନ

ଧୋଇ

Image

 

୨୭

 

‘‘ଅଳପେଇଶେ, ରାଣ୍ଡୁଏ, ଭାଡ଼ୁଏ, ଏତେ ଗର୍ବ ! ଛୋଟ ମୁହଁରେ ବଡ଼ କଥା ! ଝାଡ଼ୁ ପାହାରରେ ପିଠିରୁ ଛାଲ ଉତାରି ଦେବି । ଅଛଦରେ, ଅଳପେଇଶେ, ମୋ ଆଗରେ କହନ୍ତେକି, ତାଙ୍କ ଛାତିରେ ବସି ଜିଭଟାମାନ ଯଦି ଓପାଡ଼ି ନ ଆଣନ୍ତି ।’’ –ଇତି

 

ଗୋରାବୋଉ ମାଉସୀ ‘‘ସେ ବାହାର ପଟ ଅଗଣାରେ ଯାଉଚନ୍ତି, ଆସୁଚନ୍ତି, ଗରଗର ହଉଚନ୍ତି, ଭାଡ଼ୁରୁ ଭାଡ଼ୁରୁ ହଉଚନ୍ତି, ଯେପରି ପିଞ୍ଜରାରେ ବାଘୁଣୀ ଧରା ପଡ଼ିଚି । ସାମାନ୍ୟ ଦୂରରେ ଯୋଗୀ ଠିଆ ହୋଇ ମୁଡ଼ୁକି ମୁଡ଼ୁକି ହସୁଚନ୍ତି । ଏହିପରି ପାଞ୍ଚ ସାତ ମିନିଟ ଗଲାପରେ ଯୋଗୀ ଡାକି କହିଲେ ‘‘କି ଗୋରାବୋଉ ମାଉସୀ, କଥା କ’ଣ ? ଆଜି କାହା ଉପରେ ଘୋଷାକରି ଠାକୁରାଣୀ ଉଭା ହୋଇଚନ୍ତି’’ । ଗୋରାବୋଉ ଚାବୁକ ପାହାର ଖାଇ ବାଘୁଣୀ ବୁଲି ପଡ଼ିଲା ପରି ବୁଲିପଡ଼ିଲେ । କହିଲେ ‘‘ତୁଇ କାଠେଇଖିଆ ତ ସବୁ ଅନିଷ୍ଟର ମୂଳ’’ ମୋର ସୁନାର ଘର ତ ତୁଇ ଭାଙ୍ଗିବା ଉପରେ ବସିଲୁଣି’’ ।

 

ଯୋଗୀଙ୍କର ମୁହଁ କଳାକାଠ ପଡ଼ିଗଲା । ସେ ଚକିତ ହୋଇ କହିଲେ ‘‘ମୋର ଦୋଷ କ’ଣ ମାଉସୀ’’ ।

 

ଗୋରାବୋଉ– ତୋର ଦୋଷ ନୁହେତ ଆଉ କାହାର ? ଲୋକେ ଏଗାଁର ଭାଡ଼ୁଆଗୁଡ଼ାକ କ’ଣ କହୁଚନ୍ତି ଶୁଣିଲୁଣି ? କିମିତି ୟାଙ୍କ ପେଟରେ ଭାତ ହଜମ ହେଉଚି ଲୋ, ମା, ‘‘ପାର୍ଟିରେ ମାଛକଣ୍ଟା ଲାଗି ମରୁନାହାନ୍ତି’’ ସତୀ ଟୋକିଟା ମୋର, କିଛି ଜାଣେନାହିଁ ସେ, ତା’ ନାମରେ ପୁଣି ଏଡ଼େ ବଡ଼ କଥା ।

 

ଯୋଗୀଙ୍କର ଆଖି ଝଲସି ଉଠିଲା । ମୁହଁ ନାଲ ହୋଇଗଲା । ସେ କହିଲେ ‘‘କ’ଣ, କ’ଣ, କହଦେଖି ?’’

 

ଗୋରାବୋଉ– କହିବି ଆଉକ’ଣ ? ତୋ ମୁଣ୍ଡ ଆଉ ମୋ ଗଣ୍ଡି । ତୁ ନ ଆସିଥିଲେ ମୋ ଝିଅଟା କାହିଁକି ଏତେ କଥା ଶୁଣନ୍ତା ? ଯିମିତି ଛୋଟଲୋକ, ସିମିତି ଛୋଟ କଥା । ତାଙ୍କ ମାଈପମାନେ ତ ହାଡ଼ି ନାହିଁ ପାଣ ନାହିଁ, ଦିନ ଦିପହରେ ଗୋଟା ଗୋଟା ଗୋଟେଇ ପକଉଚନ୍ତି, ସେ କାହିଁକି ଯୋଗୀଟା କଥା ନ ଭାବିବେ ମ ।

 

ଯୋଗୀ ଏତେବେଳକୁ ପ୍ରକୃତିସ୍ଥ ହେଲେଣି । ତାଙ୍କ ଆଖିରୁ ନିଆଁବାଣ ବାହାରୁଚି ସତ, ମୁହଁଟା ଶୁଖିଯାଇଚି ସତ, କିନ୍ତୁ ସ୍ୱରଟା ଧୀର, ସ୍ଥିର । ସେ କହିଲେ ‘‘ଶୁଣ ମାଉସୀ, ଏ ପାଟି ତୁଣ୍ଡ କରିବା ବେଳ ନୁହେଁ’’ ତାଙ୍କ କାନରେ ପଡ଼ିବତ, ତାଙ୍କ ମନରେ କେତେ କଷ୍ଟ ହବ । ମତେ ଟିକିଏ ଫିଟାଇ କହତ, ତୁମକୁ ଏକଥା କିଏ କହିଲା ?’’ ଯୋଗୀର ନିଶ୍ଚଳଭାବ ଦେଖି ମାଉସୀ ମଧ୍ୟ ଆସ୍ତେ ଆସ୍ତେ ସ୍ଥିର ହୋଇ ଆସୁଥିଲେ । ସେ କହିଲେ ‘‘ମୁଁ ଆର ସାହିକୁ ଯାଇଥିଲି ଯେ, ବିନଦିଆ ମା, ଶ୍ୟାମା ବୋହୂ, ହରିଆ ଭାଉଜ ଏମାନେ ସବୁ ବସି କଥା ହେଉଥିଲେ ! ମୋ କାନରେ ପଡ଼ିଗଲା । ସେମାନେ କହୁଥିଲେ ଶ୍ୟାମବାବୁ କୁଠି ତା’ ଆଖିରେ ଦେଖି କରି ଯାଇଚି, ତୁ ଆଉ ପେମି ଗୋଟାଏ ଘରେ–

 

ଯୋଗୀ– ଥାଉ, ଥାଉ । କହି ଭୁଷୁ ଭୁଷୁ ମାଡ଼ିଗଲେ ଗୁହାଳଘର ଆଡ଼କୁ । ସେଠାରେ ଗୋଟାଏ ଗୋରୁବାଡ଼ିଆ ପାଞ୍ଚଣ ପଡ଼ିଥିଲା ସେଉଟାକୁ ହାତରେ ଧରି ସେ ଏକମୁହାଁ ଚାଲିଲେ ଶ୍ୟାମବାବୁଙ୍କ ଘରକୁ । ଶ୍ୟାମବାବୁ ସେତେବେଳେ ଖାଇ ପିଇସାରି ତାଙ୍କ ଦାଣ୍ଡଘରେ ଖଟିଆ ଉପରେ ଗଡ଼ପଡ଼ ହଉଚନ୍ତି । ଯୋଗୀ ଅଦିନିଆ ବତାସ ପରି ଦୁଆରଟାକୁ ଭୁଷୁକରି ମେଲେଇ ଘରଭିତରକୁ ପଶିଗଲେ ଓ ଉଭୟ ତରଫର ଦୁଆର ବନ୍ଦ କରିଦେଲେ । ଶ୍ୟାମବାବୁ ଯୋଗୀକୁ ଏପରି ଭାବରେ ଆସିବାର ଦେଖି ଚମକି ଖଟିଆ ଉପରେ ବସି ପଡ଼ିଥିଲେ । ଦୁଆର ସବୁ ବନ୍ଦ ହେବାର ଓ ବାଆଜି ହାତରେ ସେ ପାଞ୍ଚଣଟା ଦେଖି କି ଗୋଟାଏ ଅଜଣା ବିପଦର ଆଶଙ୍କାରେ ତାଙ୍କର ଓଠ ଶୁଖିଗଲା । ସେ ଜିଭରେ ଓଠ ଦୁଇଟା ଓଦା କରି ନେଇ କହିଲେ ‘‘ତୁ କିଏରେ ? ମୋର ବିନାନୁମତିରେ–’’

 

ଯୋଗୀ– ଚୁପକର । ପାଟି କରିବୁତ, ତୋ ତୋଟି ଚିପି ଏଇ ଶେଣିରୁ ଝୁଲେଇ ଦେବି । ସେଥିକି ଯଦି ତିଆର, ତା’ହେଲେ ତୋର ଯେତେ ଯେତେ ଖୁସି, ପାଟି କରିପାରୁ

 

ଶ୍ୟାମବାବୁଙ୍କର ଆଖି ଦୁଇଟି, ଜଡ଼ିଖିଆ ସାପ ପରି ଯୋଗୀ ହାତର ପାଞ୍ଚଣ ଆଡ଼କୁ ରହିଚି । ଯୋଗୀର କଥା ତାଙ୍କ ମନକୁ ବେଶ୍‌ ପାଇଲା । ସେ ଆଉ ପାଟି ତୁଣ୍ଡ ନକରି ସୁନାପିଲାଟି ପରି ଖଟଉପରେ ବସି ରହିଲେ । ଯୋଗୀ ତାଙ୍କ ଆଡ଼କୁ ଚାଲ ଚାଲ ହୋଇ ଯାଇ ତାଙ୍କର କାନୁଟା ଧରି କହିଲେ ‘‘ଦେଖ, ତୁ ଗାଁରେ କହିଚୁ ଯେ ପ୍ରମିଳା ଦେବୀ ଓ ମୁଁ ଗୋଟାଏ ଘରେ ଥିବାର ତୁ ଦେଖିଚୁ’’ କଥାଗୁଡ଼ାକ କହୁ କହୁ କାନ ଉପରେ ତାଙ୍କ ହାତର ଜୋର ଟିକିଏ ବେଶୀ ପଡ଼ିଗଲା ବୋଧହୁଏ । ଶ୍ୟାମବାବୁ ଡାକ ଛାଡ଼ିଲେ ‘‘ଆରେ ଛାଡ଼, ଛାଡ଼, ବଡ଼ କାଟୁଚି ଯେ । ହାତ ଓ କାନ ଛାଡ଼ ଛାଡ଼ ହେଲେ । ପୁଣି ପଚାରିଲେ ‘‘କରିଥିଲୁ ?’’ । ଶ୍ୟାମବାବୁ–‘ଏ, ମୁଁ, ନା, ମୁଁ ତ– ନା, ନା, ମୋର ନାହିଁ, ଭାଇ, ଯୁହାର ହଉଚି, ହଁ, ମୁଁ ମାନୁଚି, ମୁଁ କହିଚି, ମୋର ଦୋଷ, ମୋର କଷୁର, କାନ ମୋଡ଼ି ହଉଚି, ମୁଁ ଆଉ ଏପରି କହିବି ନାହିଁ ।

 

ଯୋଗୀ– ଖତେଇ ହୋଇ କହିଲେ କ–ହି–ବି–ନା–ହିଁ । ଗାଁ ଯାକ ତ ହାଟ ବସି ସାରିଲାଣି । ଆଉ ତୁ ନକହିଲେ କିସହବ ? ଯାହା କରିଚୁ, ତା’ର କି ପ୍ରତିକାର କରିବୁ ବୋଲି ଭାବିଚୁ ?

 

ଶ୍ୟାମ– ଯାହା କହିବୁ ଭାଇ, ମୁଁ ତା’ କରିବି ।

 

ଯୋଗୀ– ଶୁଣ, ମୋ ସାନ୍ତାଣୀଙ୍କର ମା’ ତତେ ତାଙ୍କର ଟ୍ରଷ୍ଟି କରି ଯାଇଥିଲେ ଯେ ତୁ ତାଙ୍କର ସମ୍ପତ୍ତି ଦେଖାଶୁଣା କରିବୁ ବୋଲି । କିନ୍ତୁ ତୁ ଯେପରି ପାଷଣ୍ଡ, ତାଙ୍କ ବିଶ୍ୱାସର ଅପବ୍ୟବହାର କରି ତୁ ମୋ ସାନ୍ତାଣୀଙ୍କ ସମ୍ପତ୍ତି ସବୁ ନିଜ ତୁଣ୍ଡକୁ ପକେଇଦବୁ ବୋଲି ଭାବିଚୁ ।

 

ଶ୍ୟାମ– ନା, ନା, ତୁମକୁ ଏସବୁ କିଏ କହିଲା ? ମୁଁ ତ ୟାର ବିନ୍ଦୁ ବିସର୍ଗ କିଛି ଜାଣେ ନାହିଁ ।

 

ଯୋଗୀ – ତୁ ଜାଣୁ ‘‘ଫେରେ ମିଛ କହନାହିଁ’’ ବର୍ତ୍ତମାନ ଯାହା କରିଚୁ, ତା’ର ପ୍ରତିକାର ତୋର ଏ ଟ୍ରଷ୍ଟି ଛାଡ଼ିଦେବା । ତୁ ରାଜିଅଛୁ ?

 

ଶ୍ୟାମ– ମୁଁ କାହିଁକି ଏଥିରେ ରାଜିହେବି ?

 

ଯୋଗୀ– କାହିଁକି ? କେବଳ ପ୍ରାଣ ଭୟରେ । ରାଜି ନହେଲେ ଯେ ତୋର ସାତ ପୁରୁଷି ପ୍ରାଣଟା ମୁଁ ଚିପି ବାହାର କରିଦେବି ।

 

ଶ୍ୟାମ– ମତେ ମାଇଲେ ତୁ ଯେ ଫାଶି ଯିବୁ ।

ଯୋଗୀ – ସେ ଭାବନା ତୋର କାହିଁକି ? କହ, ତୁ ରାଜି କି ନା ?

ଶ୍ୟାମ– ହଁ, ମୁଁ ରାଜିଅଛି ।

ଯୋଗୀ– ତେବେ କେଉଁଦିନ ଯାଇ ଟ୍ରଷ୍ଟିସିପ୍‌ ଛାଡ଼ ଲେଖିଦେଇ ଆସିବୁ ?

ଶ୍ୟାମ– ଏଇ ଛ ସାତ ଦିନ ମଧ୍ୟରେ ।

 

ଯୋଗୀ– ବେଶ୍‌, ଆଜି ହେଲା ଗୁରୁବାର । ଆର ଗୁରୁବାର ସୁଦ୍ଧା ଯଦି ମୁଁ ତୋର ସେ ଲେଖା ନପାଏଁ ତା’ହେଲେ– ।

Image

 

୨୮

 

ସେଦିନ ସେ ଗୋଟାଏ ଅଦ୍ଭୁତିଆ ଦେଖା । ବେଳ ରତରତ ହଉଚି । ବାହୁଡ଼ା ଏକାଦଶୀ ସେଦିନ । ରାମଚନ୍ଦ୍ରପୁରର ଅନେକ ଲୋକ ପୁରୀକୁ ଦର୍ଶନ ଉଦ୍ଦେଶ୍ୟରେ ଯାଇଚନ୍ତି । ବାବୁଆଣୀ ମଧ୍ୟ ଯାଇଚନ୍ତି । ଶିବବାବୁ ମଧ୍ୟ ଯାଇଚନ୍ତି, ରଥ ଉପରେ ଠାକୁର ସିଂହଦ୍ୱାର ମୁହଁରେ । ସନ୍ଧ୍ୟାଆଳତି ସରିଯାଇଚି । ସେତେବେଳର ଭିଡ଼ ମଧ୍ୟ ଭାଜି ଯାଇଚି । ବାବୁଆଣୀ ମହାପାତ୍ରେ ଓ ଜଣେ ଚାକରାଣୀ ରଥଉପରୁ ଦର୍ଶନ ସାରି ଓହ୍ଲାଇ ଆସୁଚନ୍ତି ଆଉ ଶିବବାବୁ ତାଙ୍କ ପାର୍ଶ୍ୱ ଦେବତାମାନଙ୍କୁ ଘେନି ସିଡ଼ିରେ ଉପରକୁ ଉଠି ଯାଉଚନ୍ତି । ମଝିରେ ଭେଟ । ଶିବବାବୁ କିଛି ନଜାଣିଲାର ହୋଇ ବାଟକାଟି ଉଠି ଯାଉଥିଲେ ମାତ୍ର ବାବୁଆଣୀ ତାଙ୍କ ସାମନାରେ ଯାଇ ଠିଆ ହୋଇଗଲେ । କହିଲେ ‘‘ଶିବବାବୁ, ଆପଣଙ୍କ ସାଙ୍ଗରେ ମୋର ଗୋଟାଏ କଥା ଅଛି’’ । ଶିବବାବୁ ସତେ ଆଶ୍ଚର୍ଯ୍ୟ ହେଲାପରି କହିଲେ ‘‘ମୋ ସାଙ୍ଗରେ ? ଆପଣଙ୍କର ? କିନ୍ତୁ ମୁଁ ତ ଆପଣଙ୍କୁ ଚିହ୍ନେନାହିଁ’’ ।

 

ବାବୁଆଣୀ– ଦେଖନ୍ତୁ, ଆଗରେ ନିଜେ ଭଗବାନ୍‌ । ଆରମ୍ଭରୁ ଗୋଟାଏ ନିଆଁଗିଳା ମିଛ କହନ୍ତୁ ନାହିଁ । ଆପଣ ଅବଶ୍ୟ ଜାଣନ୍ତି ମୁଁ କିଏ । ତଥାପି ଜଣେଇ ଦବାରେ କିଛି ଆପତ୍ତି ନାହିଁ ବୋଲି ମୁଁ କହୁଚି, ଯେ ମୁଁ ଆପଣଙ୍କ ଗାଁର ଧୋଇବୋଉ । ଗାଁରେ ମତେ ସମସ୍ତେ ବାବୁଆଣୀ ବୋଲି ଡାକନ୍ତି । ଏଥରକ ଚିହ୍ନିଲେତ ?

 

ଶିବବାବୁଙ୍କ ମୁହଁରେ ଆଗ୍ରହର ଗୋଟାଏ ଆଲୁଅ ଭାସିଗଲା । ସେ କହିଲେ ‘‘ଆରେ ଆପଣ ! ତା’ ଆପଣଙ୍କର କି କଥା ଅଛି ଯେ ମୁଁ ଶୁଣିବାକୁ ନାରାଜ ହେବି । ମୁଁ ଯେତେବେଳେ ଅଜଣା ଅଚିହ୍ନା ପର ଲୋକମାନଙ୍କର ଏତେ ଉପକାର କରୁଚି–ଅବଶ୍ୟ ଏକଥାଟା ମୁଁ ତୁଣ୍ଡରେ କହିବା ନିତାନ୍ତ ଅସୁନ୍ଦର ହୋଇପାରେ ତେବେ ସତ କହିବାରେ ଦୋଷ କ’ଣ ? ଆଉ ଆପଣ, ମୋ ଗାଁର, ଲେଖାଯୋଖାରେ ମୋର ବନ୍ଧୁ, ବିଶେଷତଃ ବାବୁ ଥିଲେ ମୋର ପିଲାଦିନର ସାଥି, ମୋଦ୍ୱାରା ଯଦି ଆପଣଙ୍କର– ।

 

ବାବୁଆଣୀ– ବୁଝିଚି । ମୁଁ ପଚାରେଁ, ମୋ ଧୋଇ କାହିଁ ?

 

ଶିବବାବୁ ଆଶ୍ଚର୍ଯ୍ୟ ହୋଇଗଲେ । ସତେ ଯେପରି ଆକାଶରୁ ପଡ଼ୁଚନ୍ତି । କହିଲେ ‘‘ଧୋଇ ? ଧୋଇ କେଉଁଠି ମୁଁ କିପରି କହିବି ? ସେ କ’ଣ ଗାଁରେ ନାହିଁ ?’’

 

ବାବୁଆଣୀ– ଆପଣ ବେଶ୍‌ କରି ଜାଣନ୍ତି ଯେ ସେ ଆଜକୁ ପ୍ରାୟ ଦୁଇମାସ ହେଲା ଏଇ ପୁରୀରୁ ଆପଣଙ୍କ ସହିତ ଜିଗରମାରି ଚାଲି ଯାଇଚି । ଆଉ ଆପଣ ମଧ୍ୟ ବେଶ୍‌ ଜାଣନ୍ତି ଯେ ସେ କାହିଁକି ଆଜିଯାଏ ଫେରିନାହିଁ ।

 

ଶିବ– ଆପଣ କ’ଣ କହୁଚନ୍ତି, ଏ ସବୁତ ମୁଁ କିଛି ଜାଣେନାହିଁ ।

 

ବାବୁଆଣୀ– ଜାଣନ୍ତି ନାହିଁ ? ମନେରଖନ୍ତୁ ଯଦି ମୋ ଧୋଇର କିଛି ଅନିଷ୍ଟ ହୁଏ, ତା’ହେଲେ ମୁଁ ବିଚ ଅଦାଲତରେ ଏପରି ଭାବରେ ଜଣାଇଦେବି ଯେ ତୁମର ନେତା ପଣ ଏକାବେଳକେ ବାହାରି ପଡ଼ିବ ।

 

ଶିବ– କି ମୁସ୍କିଲ । ଆପଣଙ୍କ ପୁଅ କିଛି କୋଡ଼ର କାଖର ପିଲା ନୁହେଁ ଯେ ମୁଁ ତାକୁ ଭୁଲେଇନେଇ ତା’ର ତୋଟି ଚିପି ମାରିଦେବି । ଏଇ ଦେଖନ୍ତୁ ନା, ସେ ଯେ ଗୋଟାଏ ବ୍ରାହ୍ମଟୋକି ବାହା କରି ଜାତିରୁ କୁଳରୁ ଗଲା ସେଥିରେ ମୋର କିଛି କରିବାର ଅଛିକି ?

 

ବାବୁଆଣୀ– ବ୍ରାହ୍ମଟୋକି ବାହାକରି ବସିଲା ? କିଏ ଧୋଇ ? ଏ ପୁଣି କି ମିଛ ସୁଆଙ୍ଗ ଆପଣ ଆରମ୍ଭ କରୁଚନ୍ତି !

 

ଶିବ– ମିଛ ହବତ ? ସେ ଯେତେବେଳେ ଆପଣଙ୍କର ସଂସାର ବାହାର ଗୁଣବନ୍ତ ପୁଅ-! କିନ୍ତୁ ଖବର କାଗଜରେ ବାହାରି ଗଲାଣି । ଦେଶର ହଜାର ହଜାର ଲୋକ ଜାଣିଗଲେଣି । ଆଉ ତୁମେ ମିଛବୋଲି କହିଦେଲେ ଧଳାଟା କଳା ହୋଇଯିବ ନା ?

 

ବାବୁଆଣୀ– କିଛି ସମୟ ତୁନି ହୋଇ ରହିଲେ । କ’ଣ ଭାବିଲେ ସେ ଜାଣନ୍ତି । ଶେଷରେ କହିଲେ ‘‘କଥାଟା ନିଶ୍ଚୟ ମିଛ ! ଯଦି କାଗଜରେ ବାହାରି ଥାଏ, ତା’ହେଲେ ସେ ତୁମର କାମ, କି ଉଦ୍ଦେଶ୍ୟର ତୁମେ ଯେ–ଓ, ବୁଝିଚି, ସେ ଜାତିଚ୍ୟୁତ ହେଲା ବୋଲି କହି ତାକୁ ସମ୍ପତ୍ତିରୁ ବଞ୍ଚିତ କରିବ–ଏଇ ତୁମର ଉଦ୍ଦେଶ୍ୟ । କିନ୍ତୁ ମନେରଖ, ମୁଁ ଏପର୍ଯ୍ୟନ୍ତ ବଞ୍ଚିଚି ।’’ କହି ବାବୁଆଣୀ ଆଉ ପଛକୁ ନଚାହିଁ ଚାଲିଗଲେ ।

 

ରଥ ତଳେ ପ୍ରଫୁଲ୍ଲ ତାଙ୍କୁ ଅପେକ୍ଷା କରି ଠିଆ ହୋଇଥାନ୍ତି । ତାଙ୍କ ପାଖରେ ପହଞ୍ଚିଲା ବେଳକୁ ବାବୁଆଣୀଙ୍କର ସେ ଦମ୍ଭ ନାହିଁ, ସେ ବିଶ୍ୱାସ ମଧ୍ୟ ନାହିଁ । ସେ ପ୍ରଫୁଲ୍ଲବାବୁଙ୍କ ଆଡ଼କୁ ଛଳ ଛଳ ଆଖିରେ ଚାହିଁ ପଚାରିଲେ ‘‘ବାବା ପ୍ରଫୁଲ୍ଲ, ଏ କ’ଣ ସତ ? ଧୋଇ କ’ଣ ସତରେ ଲୁଚାଇ ଏତେ କାଣ୍ଡ କରିଗଲା ?’’

 

ପ୍ରଫୁଲ୍ଲ– କ’ଣ ମା ?

ବାବୁଆଣୀ– ଧୋଇ ଗୋଟାଏ ବ୍ରାହ୍ମଟୋକି ବାହା ହୋଇଚି ?

ପ୍ରଫୁଲ୍ଲ– ଏ ଅସମ୍ଭବ କଥା ତୁମକୁ କିଏ କହିଲା ମା ?

ବାବୁଆଣୀ– ତୁ ଆଜିର ଓଡ଼ିଆ କାଗଜ ପଢ଼ିଚୁ ?

ପ୍ରଫୁଲ୍ଲ– ନାଇଁ ମା, କାହିଁକି ସେଥିରେ କ’ଣ ଅଛି କି ?

ବାବୁଆଣୀ– ଧୋଇର ବିବାହ କଥା । ଆଣିପାରିବୁ ଖଣ୍ଡେ କାଗଜ ?

ପ୍ରଫୁଲ୍ଲ– ତୁମେ ବସାକୁ ଚାଲ ମା, ମୁଁ କାଗଜ ନେଇ ପଛରେ ଯାଉଚି ।

Image

 

୨୯

 

‘‘ଏ ସୁଶୀଳା କିଏ ?ତୁମ ପାଖକୁ ଚିଠି ଲେଖିଚି ?’’ କହି ଯୋଗୀ ପ୍ରମିଳା ଦେବୀଙ୍କୁ ଚିଠିଖଣ୍ଡିଏ ବଢ଼ାଇ ଦେଲେ । ପ୍ରମିଳା ଦେବୀ ତାଙ୍କ ହାତରୁ ଚିଠି ଖଣ୍ଡିକ ନେଇ କହିଲେ ‘‘ତୁମର ଏତେ ଦରକାର ? ସେ ଯେ ହେଲେ’’ ମୁଁ ତୁମକୁ କେତେଥର କହିଲିଣି ଯେ ମୋର ସାଙ୍ଗ ସୁଖଙ୍କ ସମ୍ବନ୍ଧରେ ତୁମର କିଛି କହିବା ବା ବୁଝିବା ନିତାନ୍ତ ଅନ୍ୟାୟ । ଅଦାବେପାରିର– ।

 

ଯୋଗୀ– କଥାଟା କିଛି ନୂଆ ନୁହେଁ । ଅନେକ ଦିନରୁ ଅଛି । କଥା ଥାଇ ମଧ୍ୟ ଅଦାବେପାରି ସବୁବେଳେ ଜାହାଜର ଖବର ନେଇ ଆସୁଚି । ଆଉ ମୁଁ ମଧ୍ୟ ଅଦାବେପାରି ନୁହେ, ତୁମର ମେନେଜର । ସୁଶୀଳା ମଧ୍ୟ ଜାହାଜ ନୁହେ, ତୁମର ସାଙ୍ଗ ।

 

ପ୍ରମିଳା– ତୁମେ ମୋର ମେନେଜର ହେଲ କେଉଁଦିନ ଠାରୁ ? ତୁମେ ଯେ ମୋର ଦରମାଖିଆ ଗୁମାସ୍ତା ।

 

ଯୋଗୀ– ଦରମା ? କେତେଟଙ୍କା ଦରମା ଦେଇଚ ? ଭାରି ଦରମା ଦେଲା ବାଲା ।

 

ପ୍ରମିଳା– କି, ମତେ ଏ ଜବାବ ? ତୁମର ଦରମା ତୁମେ ଆଜି ଏଇକ୍ଷଣି ନେଇଯାଅ । ତୁମେ କହିଥିଲ ଯେ ତୁମର ଦରମା ତୁମେ ଏକାବେଳକେ ନବ, ସେଥିପାଇଁ ମୁଁ ଦରମା ଦେଇ ନଥିଲି, ତୁମେ ଏଇ ଦରମା କେତେଟା ଟଙ୍କା ହେତୁରୁ ଯେ ମୋ ଉପରେ ଏତେ ଅଧିକାର କରି ବସିବ, ଏକଥା ଜାଣିଥିଲେ, ମୁଁ ତୁମର ଗୋଟିଏ ପଇସା ବାକି ରଖି ନଥାନ୍ତି । ବର୍ତ୍ତମାନ ତୁମେ ତୁମର ଦରମା ନେଇ ବିଦାୟ ହୁଅ ।

 

ଯୋଗୀ– ଓଃ, ଭାରି ବିଦାୟ ଦେଲାବାଲା । ତୁମେ ମତେ ଡାକି ଆଣି ନଥିଲ କି ଖୋଜି ଆଣି ନଥିଲ ଯେ ମତେ ବାହାର କରିଦବ । ମୋ ମନକୁ ମୁଁ ଆସିଚି । ମୋ ମନହେଲେ ମୁଁ ଯିବି । ଆଉ ଦରମା, କାହିଁ ଦିଅତ ?

 

ପ୍ରମିଳା ଦେବୀଙ୍କର ମନେ ପଡ଼ିଲା ଯେ ତାଙ୍କ ହାତରେ ଗୋଟିଏ ବୋଲି ପଇସା ନାଇଁ-। ତାଙ୍କର ଯାହା କିଛି ଆୟ ସବୁ ଯୋଗୀ ନିଏ, ସେଇ ଖର୍ଚ୍ଚକରେ । କିପରି କ’ଣ ହୋଇ ଯେ ସେ ଯୋଗୀ ପାଖରେ ଏପରି ବନ୍ଧା ପଡ଼ିଚନ୍ତି ସେ ଠିକ୍‌ କରି ପାରିଲେ ନାହିଁ । କ’ଣ ଆଉ କହିବେ-। କହିଲେ ‘‘ଯାଅ, ଆଉ ବିରକ୍ତ କରନାହିଁ’’ । ତାଙ୍କ ଆଖିରେ ଲୁହ ଆସିଗଲା । ସେ ମୁହଁ ବୁଲାଇ ଦେଲେ । ଯୋଗୀ ଏ ସମସ୍ତ ଦେଖି କହିଲେ ‘‘ଦେଖ, ତୁମେ ଯଦି କଥାରେ କଥାରେ ମୋ ସାଙ୍ଗରେ କଳି କରି ଏପରି କାନ୍ଦ ତା’ହେଲେ ସତରେ ମୁଁ ବାହାରି ଯିବି । ତୁମେ ଅନୁଗ୍ରହ କରି ମତେ ସ୍ଥାନ ଦେଇଚ । ଭିକମାଗି ପେଟ ପୁରୁ ନଥିଲା । ଇଲେ ମୁଁ ସାନ୍ତେଇ କରୁଚି । ସେସବୁ ତୁମର ଦୟାରୁ । ତୁମ ଆଖିରେ ଲୁହ ଦେଖିଲେ ପୁଣି ମୋରି କଥାରେ, ମୁଁ ସମ୍ଭାଳି ପାରିବି । ମୁଁ ତେବେ ଯାଉଚି । ତୁମର ହିସାବ ପତ୍ର ପଇସା କଉଡ଼ି ବୁଝିନିଅ । ପ୍ରମିଳାଦେବୀ ବୁଲି ପଡ଼ିଲେ । ରାଗରେ ତାଙ୍କ ମୁହଁ ନାଲି ପଡ଼ି ଯାଇଚି । କହିଲେ ‘‘କେତେ ଭଡ଼ର ଭଡ଼ର ହଉଚ ହେ ? ଭାରି ଲୋକତ ? ମୁଁ ପୁଣି ୟାଙ୍କ କଥାରେ କାନ୍ଦିବି ? ଯାଅ, ଆଉ ବିରକ୍ତ କରନାହିଁ, ମୁଁ ଚିଠିଟା ପଢ଼ିନିଏଁ-। ଆଉ ଯୋଗୀଙ୍କ ଆଡ଼କୁ ନ ଚାହିଁ ସେ ଖାମଟା ଖୋଲି ଚିଠିଟା ବାହାର କଲେ । ଦେଖିଲେ ତା’ ଭିତରେ ସାମାନ୍ୟ ଦୁଇଧାଡ଼ି ଲେଖା ଖଣ୍ଡେ ଚିଠି ଓ ତା’ ସାଙ୍ଗରେ ଗୁନ୍ଥା ହୋଇଚି ‘‘ସ୍ପଷ୍ଟବାଦୀ’’ କାଗଜରୁ ଖଣ୍ଡେ । ଚିଠିଖଣ୍ଡ ପଢ଼ିଲେ । କାଗଜଖଣ୍ଡ ପଢ଼ିଲେ । ତାଙ୍କର ହାତ ଥରି ଗଲା । ଓଠ କମ୍ପିଉଠିଲା । ସେ ସେହି ସ୍ଥାନରେ ଥକ୍କାମରା ହୋଇ ବସିପଡ଼ିଲେ । ଚିଠିଟା ତାଙ୍କ ହାତରୁ ଖସି ତଳେ ପଡ଼ିଗଲା । ଯୋଗୀ ତାଙ୍କର ଏଭାବ ସବୁ ଦେଖି କିଛି ବୁଝି ପାରିଲେ ନାହିଁ । ଟିକିଏ ମାତ୍ର ଦ୍ୱିଧା ନକରି ସେ ଚିଠିଟା ତଳୁ ଗୋଟାଇ ନେଲେ । ପଢ଼ିଲେ.....

 

ସ୍ନେହର ପେମି,

 

ଧୋଇବାବୁଙ୍କ କଥାରେ ତୋର ମନ ଥାଏ ବୋଲି ଲେଖିଲି । ଆଜି ‘ସ୍ପଷ୍ଟବାଦୀ’ କାଗଜରେ ଯାହାଙ୍କ ନା’ରେ ବାହାରିଚି, ତାହା ମୁଁ ଆଉ ଲେଖନ୍ତି କ’ଣ, କାଗଜଖଣ୍ଡ ପଠେଇଲି ‘‘ପଢ଼ି ଦେଖିବୁ’’ । ‘‘ସ୍ପଷ୍ଟବାଦୀ କାଗଜଖଣ୍ଡ କାଢ଼ି ପଢ଼ିଲେ’’ ମୋଟା ମୋଟା ଅକ୍ଷରରେ ଲେଖାଅଛି ‘‘ଆନ୍ତର୍ଜାତିକ ବିବାହ’’ । ତଳେ ଅପେକ୍ଷା କୃତ ଛୋଟ ଅକ୍ଷରରେ ‘‘ଉତ୍କଳ ପ୍ରସିଦ୍ଧ ଆର୍ଟିଷ୍ଟ ପରମାନନ୍ଦ ଓରଫ ଧୋଇବାବୁଙ୍କର ବଙ୍ଗାଳୁଣୀ ବିବାହ’’ । ଶେଷରେ ଛୋଟ ଅକ୍ଷରରେ ଲେଖା ‘‘ଆମ୍ଭେମାନେ ବିଶ୍ୱସ୍ତ ସୂତ୍ରରୁ ଅବଗତ ହେଲୁଁ ଯେ ଆମ୍ଭମାନଙ୍କର ସୁପରିଚିତ, ଉତ୍କଳର ସୁପ୍ରସିଦ୍ଧ ଚିତ୍ରକର ଶ୍ରୀଯୁକ୍ତ ବାବୁ ପରମାନନ୍ଦ ମହାପାତ୍ର ଓରଫ ଧୋଇବାବୁ, କଲିକତା ମେରୁଆ ବଜାର ଗଳିର ଶ୍ରୀଯୁକ୍ତ ବାବୁ ପ୍ରମଥନାଥ ଗାଙ୍ଗୁଲି ବି.ଏ.ଙ୍କର ଏକମାତ୍ର କନ୍ୟା ଶ୍ରୀମତୀ ମେନକାଙ୍କୁ ବିବାହ କରିଅଛନ୍ତି । ବିବାହ ପରେ ନବଦମ୍ପତି କୌଣସି ଏକ ଅଜଣା ସ୍ଥାନରେ ‘‘ମଧୁଚନ୍ଦ୍ର’’ କରିବାକୁ ଯାଇଚନ୍ତି । ସାହେବମାନଙ୍କ ଦେଶରେ ବିବାହ ପରେ ନବ ବିବାହିତା ଦମ୍ପତି କିଛିଦିନପାଇଁ Honey moon କରିବା ଉଦ୍ଦେଶ୍ୟରେ ବିଦେଶକୁ ଚାଲି ଯାଆନ୍ତି । ପରମାନନ୍ଦବାବୁ ସେହିପରି ଭାବରେ କରିଥିବାର ଜଣାଯାଏ । ପ୍ରମଥବାବୁ ବ୍ରାହ୍ମ ଓ ଧୋଇବାବୁ ହିନ୍ଦୁ । ଶୁଣାଯାଏ ଏ ବିବାହ ଆର୍ଯ୍ୟସମାଜ ମତରେ ହୋଇଅଛି । ଏହିପରି ଅନ୍ତର୍ଜାତୀୟ ବିବାହଦ୍ୱାରା ଭାରତବର୍ଷରେ ଏହି ଯେ ଜାତି, ସମାଜ, ପ୍ରଦେଶ ଇତ୍ୟାଦି ନେଇ ବିଦ୍ୱେଷ ଭାବ ରହିଚି ତାହା ଦୂର ହବା ଖୁବ୍‌ ସମ୍ଭବ । ଖୁବ୍‍ ସମ୍ଭବ କାହିଁକି ବିଦେଶି ରାଜତ୍ୱର ଆନୁସଙ୍ଗିକ ଫଳରୂପେ ଭାରତବର୍ଷ ଯେ ଖଣ୍ଡ ଖଣ୍ଡ ହୋଇ ରହିଚି, ତାହାକୁ ପୁଣି ଏକକରି ମିଶେଇବାର ଏହା ଏକମାତ୍ର ଉପାୟ । ଅବଶ୍ୟ ଦେଶରେ ଏପରି ଏକ ଶ୍ରେଣୀର ଲୋକ ବର୍ତ୍ତମାନ ଅଛନ୍ତି, ଯେଉଁମାନେ ଏହି ପ୍ରକାର ଅସଧର୍ମ ଓ ଅଜାତି ବିବାହକୁ ନାପସନ୍ଦ କରୁଚନ୍ତି । ଏବଂ ଏହି ହେତୁରୁ ଯେଉଁ ଦେଶପ୍ରାଣ ଯୁବକମାନେ ସାହସ କରି ବିଦେଶିନୀ ବିବାହ କରୁଚନ୍ତି, ସେମାନଙ୍କୁ ହୁଏତ ପୈତୃକ ସମ୍ପତ୍ତିରୁ ବଞ୍ଚିତ ହବାକୁ ପଡ଼ିପାରେ; ହୁଏତ ନିଜର ଯେଉଁମାନେ ଆତ୍ମୀୟ, ବନ୍ଧୁ, ବାନ୍ଧବ ମାନଙ୍କଠାରୁ ଦୂରରେ ରହିବାକୁ ପଡ଼ିପାରେ । ତଥାପି ସମୟ ଆସିବ-ଯେତେବେଳେ ସେହିମାନଙ୍କର ହିଁ ଜୟ ହବ । ଶ୍ରୀମାନ ପରମାନନ୍ଦ ଯେ ଏ ସମସ୍ତ ଅସୁବିଧାକୁ ଖାତିରି ନକରି ଏପରି ଏକ ମହାନ୍‌ ଉଦାରନୀତି ଗ୍ରହଣ କରିଅଛନ୍ତି, ସେଥି ନିମନ୍ତେ ଆମ୍ଭେମାନେ ତାଙ୍କୁ ଅନ୍ତରର ଧନ୍ୟବାଦ ଜଣାଉଅଛୁଁ ଓ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଁ ଯେ ସେ ନବଦମ୍ପତିକୁ ସୁଦୀର୍ଘ ଜୀବନ ଦାନ କରନ୍ତୁ’’।

 

ଯୋଗୀ ଚିଠିଟା ପଢ଼ିଲେ, ‘‘କିଛି ବୁଝିପାରିଲେ ନାହିଁ’’ ଏହା ମଧ୍ୟରେ ଏପରି କ’ଣ ଅଛି ଯାହାଲାଗି ପ୍ରମିଳାଦେବୀ ଏତେ ଦୂର ଅଧୀର ହୋଇ ପଡ଼ିବେ ? କିଛି ସମୟ ଭାବିଲେ । ଅଜ୍ଞାନର, ସନ୍ଦେହର ବିଶ୍ୱାସର ଭାବ ଗୋଟିକ ପରେ ଗୋଟିଏ ତାଙ୍କ ମୁହଁରେ ଖେଳିଗଲା । ତା’ପରେ ତାଙ୍କର ମୁହଁ ଉଜ୍ଜ୍ୱଳ ହୋଇ ଉଠିଲା । ସେତେବେଳକୁ ପ୍ରମିଳା ଦେବୀଙ୍କର ତ ଚୈତନ୍ୟ ଆସିଥିଲା । ସେ ଚିଠିଟା ଯୋଗୀ ହାତରେ ଦେଖି କହିଲେ ‘‘ତୁମର ସାହସତ କମନୁହେ ? ମୋର ଚିଠି ପଢ଼ିବାକୁ ତୁମେ କିଏ ?’’

 

ଯୋଗୀ– ତୁମର ସାହସତ କମନୁହେ, ମୋର ସାଙ୍ଗକୁ ନେଇ ଏ ଥଟ୍ଟା ପରିହାସ କରିବାକୁ ତୁମେ କିଏ ?

 

ପ୍ରମିଳା– ତୁମର ସାଙ୍ଗ ।

ଯୋଗୀ– ହଁ, ମୋର ସାଙ୍ଗ ‘‘ଧୋଇବାବୁ’’

ପ୍ରମିଳା– ଧୋଇବାବୁ ତୁମର ସାଙ୍ଗ ? ତୁମେ ଯୋଗୀ ଆଉ ସେ–

 

ଯୋଗୀ– ଯୋଗୀ ହବା କିଛି ଅପମାନର ଜିନିଷ ନୁହେ ସ୍ୱୟଂ ଭଗବାନ କୃଷ୍ଣ ଦିନେ ଯୋଗୀ ହୋଇଥିଲେ । ନିଜେ ସଦାଶିବ ପରମ ଯୋଗୀ ।

 

ପ୍ରମିଳା– ତେବେ ଧୋଇବାବୁ ତୁମର ସାଙ୍ଗ ? ତାଙ୍କ ସମ୍ବନ୍ଧରେ ଏ ଯାହା ଲେଖାଅଛି ସେ କ’ଣ ଠିକ୍‌ ?

 

ଯୋଗୀ– ମୁଁ କିପରି କହିବି ବାବୁ । ଏ ଯୁ କାଳ, ଆଉ ଏ କାଳର ଏ ଯୁ ଟୋକାଗୁଡ଼ାକ-। ୟାଙ୍କର ନା ଅଛି ବିବେକ, ନା ଅଛି ଧର୍ମଜ୍ଞାନ ।

 

ପ୍ରମିଳା– ତୁମେ କ’ଣ ଅଶିଆ କାଳର ମସିଆ ବୁଢ଼ା ? ଏସବୁ କଥା ଶୁଣିଲେ ମୋର ଦିହ କଡ଼କି ଉଠେ । ତୁମେ ନଜାଣତ ନାହିଁ କରିଦବ । ଏପରି ଗୁଡ଼ାଏ ବୃଥା ଗପ କେତେ ?

 

ଯୋଗୀ– ଆଚ୍ଛା, ନହେଲା ନାହିଁ । ମୁଁ ଆଜି ଟିକିଏ ଯାଉଚି ।

ପ୍ରମିଳା– କୁଆଡ଼େ ?

ଯୋଗୀ– ଯୁଆଡ଼େ ହେଲେ ତୁମର କ’ଣ ଅଛି ? ମୁଁ ଯାଉଚି କାଲି ରାତିରେ ଫେରିବି ।

 

ପ୍ରମିଳା– ଫେରିଲେ ଫେର, ନ ଫେରିଲେ ନାହିଁ । ମୋର ଯାଏ କେତେ ଆସେ କେତେ, ପୋଡ଼ାମୁହାଁ ‘‘.........’’ ଏହିପରି କେତେ କ’ଣ ଭଟର ଭଟର ହୋଇ ସେ ସେଠାରୁ ଚାଲିଗଲେ ।

 

ଧୋଇବାବୁ ତହିଁଆର ଦିନ ଭୋରରୁ ଗାଡ଼ିରୁ ଓହ୍ଲାଇ କଟକ ଷ୍ଟେସନ ପ୍ଳାଟଫର୍ମରେ ଲସର ପସର ହୋଇ ଟିକଟ ଦିଆ ଜାଗା ଆଡ଼କୁ ଯାଉଥିଲାବେଳେ କିଏଜଣେ ଆସି ତାଙ୍କ ପଛଆଡ଼ୁ କମିଜରୁ ପୁଳାଏ ଆକଟ କରି ଭିଡ଼ି ଧଇଲା । ସେ ବୁଲିପଡ଼ି ଦେଖିଲେ ଯେ ପ୍ରଫୁଲ୍ଲବାବୁ-। ଉଭୟଙ୍କ ପାଟିରୁ ଏକ ସମୟରେ ବାହାର ପଡ଼ିଲା ‘‘କିରେ ତୁ କୁଆଡ଼େ ଏଣିକି ? ‘‘କିନ୍ତୁ ପ୍ରଫଲ୍ଲବାବୁ ଆଗ ଉତ୍ତର ଦେଲେ । ‘‘ମୁଁ ଯାଇଥିଲି ବାଲେଶ୍ୱର’’ ତୁ କୁଆଡ଼େ ମାଙ୍କ ପାଖକୁ ଲେଖିଥିଲୁ ଯେ ତୋର ପାଞ୍ଚହଜାର ଟଙ୍କା ଜରୁର ଦରକାର ଆଉ ସେଥିପାଇଁ ତୁ ଆଉରି ମଧ୍ୟ ଲେଖିଥିଲୁ ଯେ ସେ ଟଙ୍କା ମୁଁ ନେଇ ବାଲେଶ୍ୱର ଷ୍ଟେସନକୁ ଗଲେ ତୁ ଆସି ସେଠାରୁ ନେଇଯିବୁ । ମୁଁ କାଲିଠାରୁ ବାଲେଶ୍ୱର ଯାଇଥିଲି । କିନ୍ତୁ ତୋର କୌଣସି ପତ୍ତା ନ ପାଇ ଆଜି ଫେରୁଥିଲି । ଧୋଇବାବୁ ଟିକିଏ ଅନ୍ୟମନା ପରି ରହିଲେ । ତା’ପରେ କହିଲେ ‘‘ତୁ ଜାଣୁ, ପ୍ରଫୁଲ୍ଲ । ମୁଁ ଆଜିକାଲି ବଡ଼ ଭୁଲାମନ ହୋଇଗଲିଣି ।

 

ପ୍ରଫୁଲ୍ଲ– ତୁ କୁଦିନ–

 

ଧୋଇ– ତୁନି ହ, ପୁଣି କଥା ଉପରେ କଥା କହିବୁତ, ମୁଁ ତୋର ଦାନ୍ତ ଝାଡ଼ିଦେବି । କିପରି ଅସଭ୍ୟ ଲୋକରେ ତୁ । ଖାଲି ଗୁଡ଼ାଏ ସଂସ୍କୃତ ପଢ଼ିବାର ଏହିଫଳ । ତୁ ଆଉ ଭଦ୍ରାମି ଶିଖିବୁ କେଉଁଆଡ଼ୁ ?

 

ପ୍ରଫୁଲ୍ଲ– କିନ୍ତୁ ମୁଁ ତ ଅଭଦ୍ରାମି କିଛି–

 

ଧୋଇ- କରିନାହୁଁ, ଏଇତ ? ତୁ ଅବଶ୍ୟ ଅଭଦ୍ରାମି କରିଚୁ । ମୁଁ କହୁଚି, ତୁ କରିଚୁତା’ଉପରେ ତୋର ନାହିଁ କରିବାର କିଛି ଅଛି ?’’

 

ପ୍ରଫୁଲ୍ଲବାବୁ ତରତର ହୋଇ କହିଲେ ‘‘ନାଇଁ, ନାଇଁ, ମୋର ଆଉ ତା’ପରେ କିଛି କହିବାର ନାହିଁ’’ ତୁ ଯେତେବେଳେ କହୁଚୁ,–

 

ଧୋଇ– କେତେ ବକୁରେ ତୁ । ଶୁଣୁ, ମୁଁ କହୁଥିଲି ମୋର ଏଇ ଗୋଟାଏ ରୋଗ ଆରମ୍ଭ ହୋଇଚି, ମୁଁ ଆଜି କଥା କାଲିକୁ ମନେ ରଖି ପାରୁନାହିଁ । ଏ ରୋଗର ଔଷଧ କ’ଣ କହତ-?

 

ପ୍ରଫୁଲ୍ଲ– ସତରେ ଏ ବଡ଼ ସଙ୍ଗିନ ରୋଗ । ବୋଧହୁଏ ମସ୍ତିଷ୍କ ଏକାଙ୍ଗି ବାତ, ନହେଲେ–

 

ଧୋଇ– ନହେଲେ ତୋର ଶୁଦ୍ଧଘର । ଭାରି କୁଷପଣ୍ଡିତ ତ ! ରୋଗର ପୁଣି ନିଦାନ କହିବାକୁ ବାହାରି ପଡ଼ିଲେ । ଶୁଣ, ଏ ରୋଗର ଔଷଧ କ’ଣ ଜାଣୁ ।

 

ପ୍ରଫୁଲ୍ଲ– ହଁ ଜାଣେ । କହିବି ?

 

ଧୋଇ– ତୁ ଜାଣୁ ? ତୁ କହିବୁ ? ବଡ଼ ସାହସ ତ । କହ ଦେଖି, ହେ ନବଯୁଗ ଚରକ ମହର୍ଷି ।

 

ପ୍ରଫୁଲ୍ଲ– ଏ ରୋଗହୁଏ ତାହାରି ଯେ ନିଜ ଦେଶର ସୁନ୍ଦରୀ କୁଳକୁ ଅବମାନନା କରି ଗୋଟାଏ ବିଦେଶିନୀ ଟୋକି ବାହାକରେ ଆଉ ଔଷଧଟା ତା’ର ହଉଚି ଯେ ସେ ବିଦେଶିନୀକୁ ଛାଡ଼ି, ଛାଡ଼ପତ୍ର ଦେଇ ଅଥବା ଅଥବା ବିଲାତି ମତରେ ଡାଇଭୋର୍ସ କରି ପୁଣି ନିଜ ଦେଶର କୌଣସି ଅନିନ୍ଦ୍ୟ ସୁନ୍ଦରୀ ଚମ୍ପକବରଣୀ, କିମ୍ବଦନ୍ତି, ଚନ୍ଦ୍ରନିଭାନନୀ–

 

ପ୍ରଫୁଲ୍ଲବାବୁଙ୍କର ବୁଝିବା ଉଚିତ ଥିଲା ଯେ ଧୋଇବାବୁଙ୍କ ପାଖରେ ତାଙ୍କର କାମ କେବଳ ଶୁଣିବା । ସେ ଯଦି ଭାବିଥାନ୍ତି ଯେ ସେ ଅବାଧରେ ଯାହାଇଚ୍ଛା ତାହା ଗଡ଼ ଗଡ଼ କରି କହିଯିବେ, ଆଉ ଧୋଇବାବୁ ତୁନିଟି ହୋଇ ସେ କଥା ଶୁଣିବେ, ତା’ହେଲେ ସେ ତାଙ୍କର ଗୋଟାଏ ମସ୍ତବଡ଼ ଭୁଲ । ବିଶେଷତଃ ଧୋଇବାବୁ ଯେ ତୁନିହୋଇ ତାଙ୍କର ପଦେ କଥା ଶୁଣିଲେ ସେଇଥିରୁ ତାଙ୍କର ବୁଝିନେବା ଉଚିତ ଥିଲା ଯେ ତାଙ୍କ ମୁଣ୍ଡରେ ଶାଗୁଣା ଉଡ଼ିବାକୁ ଆସୁଚି । ତାଙ୍କ ଗାଲରେ ଯେ ଗୋଟାଏ ଷୋଳପଣିଆ ଖୁନ୍ଦା ତାଙ୍କ ଦାନ୍ତପାଟି ଦୋହଲେଇ ଦେଲା ସେ ତାଙ୍କର ଦୋଷ । ତାଙ୍କ ଗାଲରେ ଯେ ଗୋଟାଏ ବତିଶିପଳିଆ ଖୁନ୍ଦା ବସି ତାଙ୍କର ଦିଧାଡ଼ି ଦାନ୍ତ ଝାଡ଼ି ନଦେଲା ସେ ତାଙ୍କ ପୂର୍ବ ପୁରୁଷଙ୍କର ତପସ୍ୟାର ଫଳ ।

 

ଯାହାହଉ ଉପଯୁକ୍ତ ରୋଗର ଉପଯୁକ୍ତ ଔଷଧ । ପ୍ରଫୁଲ୍ଲଙ୍କର ଜିଭ ଗଲୁ ମରିଗଲା ବୋଧହୁଏ । ସେ ଆଉ ଦ୍ୱିରୁକ୍ତି ନକରି ଖାଲି ବାଁ ହାତୁଟାରେ ବାଁ ଗାଲୁଟାକୁ ଆଉଁସିବାରେ ଲାଗିଲେ-। କଲେଜର ଜଣେଅଧେ ଛାତ୍ର ନବଯୌବନର ଉତ୍ତେଜନାରେ ମନର ଆଶା ଗାଡ଼ିରେ ଯାଉଥିବା ନବରମଣୀମାନଙ୍କ ସୌନ୍ଦର୍ଯ୍ୟ ସମ୍ଭାର ଦେଖି ଆଖିର ତୃପ୍ତିରେ ମେଣ୍ଟାଇବାପାଇଁ ଫ୍ଳାଟଫର୍ମରେ ବୁଲୁଥିଲେ । ସେମାନେ ଏ ରହସ୍ୟ ମଧ୍ୟରେ ଗୋଟାଏ ବଡ଼ ରକମ ଫୌଜଦାରି ମାମଲାର ଗନ୍ଧ ପାଇ ଏମାନଙ୍କ ପାଖକୁ ମାଡ଼ି ମାଡ଼ି ଆସୁଥିଲେ । କିନ୍ତୁ ଧୋଇବାବୁ ସେମାନଙ୍କୁ ସେତକ ସୁବିଧା ନଦେଇ ପ୍ରଫୁଲ୍ଲଙ୍କର ହାତ ଧରି ତାଙ୍କୁ ଚାଡ଼ିଖାନା ଆଡ଼କୁ ଘୋଷାରି ନେଲେ । ଦି ଜଣ ଗାଡ଼ିବାଲା ଦୁଇଆଡ଼ୁ ଆସି ଜଣେ ଧୋଇବାବୁଙ୍କର ଓ ଆଉ ଜଣେ ପ୍ରଫୁଲ୍ଲବାବୁଙ୍କର ହାତଧରି ଟାଣିବାକୁ ଲାଗିଲେ । ଆଉ ଦି ଚାରିଜଣ ତାଙ୍କ ପଛରେ ଚାଲୁଥାନ୍ତି । ସମସ୍ତଙ୍କ ତୁଣ୍ଡରେ ଏଇ ଏକକଥା ‘‘ବାବୁ ମୋ ଗାଡ଼ିକୁ ଆସନ୍ତୁ । ରବର ଚକଗାଡ଼ି । ସେକେଣ୍ଡକ୍ଳାସ ଗାଡ଼ି । ଆସନ୍ତୁ’’-। ଯେପରି କି ଧୋଇ ଓ ପ୍ରଫୁଲ୍ଲ ସେମାନଙ୍କର କେତେଦିନର ଚିହ୍ନା ଓ କେତେ ଜନ୍ମର ଆତ୍ମୀୟ । ଆଉ ତାଙ୍କୁ ପାଇଲେ ତାଙ୍କ ଗାଡ଼ି ଯେପରି ସୁନା ପାଲଟି ଯିବ । ଆଗେ ପୁରୀରେ ଗାଡ଼ିରୁ ଓହ୍ଲେଇଲେ ପଣ୍ଡାମାନଙ୍କ ଏହିପରି ଦୌରାତ୍ମା ଦିନେ ଲୋକେ ଦେଖିଥିଲେ । ଆସ୍ତେ ଆସ୍ତେ ପୁରୀର ନିଲଜା ରୋଗ ଯେପରି କଟକକୁ ଆସି ସେଠାରେ ଆଠକାଳି ବାରମାସି ଆସନ ଜମେଇ ବସିଲା, ସେହିପରି ପଣ୍ଡାମାନଙ୍କର ଏ ଦୌରାତ୍ମ୍ୟ ପୁରୀରୁ ଆସି କଟକର ଗାଡ଼ିବାଲା ଓ ମଟର ଦଲାଲମାନଙ୍କ ମଧ୍ୟରେ ବସା ବାନ୍ଧି ରହିଲାଣି । ଏଠାରେ ମଧ୍ୟ ପୁରୀର ଜୟ । ହାୟ, ହାୟ, ଓଡ଼ିଶାର ନେତୃବର୍ଗ । ତୁମେ ଆଉ କଲ କ’ଣ ? ‘‘ନନାଙ୍କ ଅପରେସନ’’ ଦିନୁଁ ତୁମେ ସବୁ ଯେ ଓଡ଼ିଶାର ଦୁଇ ତିନିଟା ଜିଲ୍ଲା ମଧ୍ୟରେ ଗୋଟାଏ ମହାଭାରତ ଯୁଦ୍ଧ ଲଗାଇ ଥିଲ ଓ ଗୋଟାଏ ଜିଲ୍ଲାର ସର୍ବନାଶ ନହେଲେ ଆଉ ଜିଲ୍ଲାମାନଙ୍କର ତ୍ରାହି ନାହିଁ ବୋଲି ଚିତ୍କାର କରି ଦେଶ ମଧ୍ୟରେ ଗୋଟାଏ ଜାତି ଯୁଦ୍ଧର ସୂତ୍ରପାତ କରିଚ, ତା’ର ଉଦ୍ୟମ ସବୁ କ’ଣ ହେଲା ? ଥରେ ଅଣ୍ଟାବାନ୍ଧି ବାହାରିପଡ଼ । ଚାରିଟା ଜିଲ୍ଲାରୁ ଗୋଟାଏ ଗୋଟାଏ ଜିଲ୍ଲାକୁ ଅଶି ଲକ୍ଷ ଲୋକରୁ ପନ୍ଦର ପନ୍ଦର ଲକ୍ଷ ଲୋକଙ୍କୁ ମାରି ଏକ ଏକ କରି ଦେଶର ସମୂହ ଉନ୍ନତି ସାଧନ କର । ଦେଶର କୃତୀ ସନ୍ତାନ ସୁଯୋଗ୍ୟ ସନ୍ତାନ ତୁମ୍ଭେମାନେ । ଏତିକି ବୁଝିପାରୁନାହଁ, ମାତୃଭୂମିର ଲକ୍ଷ ଲକ୍ଷ ସନ୍ତତିର ବିକାଶ ନହେଲେ ତୁମ କେତେ ଜଣଙ୍କର ଉନ୍ନତି ହବ କିପରି ! ଲୋକ କି ସବୁବେଳେ ନିଜ ଗୁଣରେ ବଡ଼ ହୁଏ ? ମୁଁ ରାଜା ନୁହେ, ରାଜପୁତ୍ର ନୁହେ, ରଜାର ସାହସ ଓ ବିଦ୍ୟା ମୋ ଠାରେ ନାହିଁ । ତଥାପି ମେସିଆ ଭେଲିଙ୍କ କୂଟ ନୀତିରେ ରାଜାକୁ ମାରି, ରାଜପୁତ୍ରକୁ, ଦେଶର ସୈନ୍ୟ ସାମନ୍ତଙ୍କୁ ମାରି ତାଙ୍କର ପାଉଁଶ ଗଦା ଉପରେ ସିଂହାସନ ଜମାଇ ବସି ପାରିଲେ ମୁଁ କ’ଣ ରଜା ହେବି ନାହିଁ ? ଆଉ କଥାରେ ଯେ କହନ୍ତି ଦି ଜଣର କଳିରେ ତିନି ଜଣର ଲାଭ, ସେଥିରେ କି ଅଛି ? ତୃତୀୟ ଜଣଙ୍କ ଲାଭକରୁ, ଭାଇତ ମଲା । ସାବାସ, ଭାଇ ସାବାସ ।

 

ଧୋଇବାବୁ ଓ ପ୍ରଫୁଲ୍ଲବାବୁ ଯାଇ ଗୋଟାଏ ଗାଡ଼ିରେ ବସିଲେ । ଭଡ଼ା ଛିଣ୍ଡିଲା ବେଳକୁ ପୁଣି ଏକ ‘‘ହଁ ହଁ, ନା ନା’’ ଯୁଦ୍ଧ । ଯାହାହଉ ଶେଷରେ ଖଣ୍ଡେ ଗାଡ଼ିରେ ବସିଲେ । ମେଘ ଘଡ଼ଘଡ଼ି ପରି ଶବ୍ଦରେ କାନ ଅତଡ଼ା ପକାଇ, ନାଲି ଧୂଳିରେ ଅବିର ସ୍ତର ମେଲେଇ ଗାଡ଼ି ଚାଲିଲା । ସେହି ଶବ୍ଦ ମଧ୍ୟରେ ଓ ଧୋଇବାବୁ ପ୍ରଫୁଲ୍ଲବାବୁଙ୍କ କାନ ପାଖରେ ମୁହଁ ରଖି ଚିତ୍କାର କଲେ, ‘‘ଟଙ୍କାଗୁଡ଼ାକ କାହିଁ ?’’ ପ୍ରଫୁଲ୍ଲବାବୁ ଚମକି ପଡ଼ିଲେ କହିଲେ, ‘‘ଏତେ ବଡ଼ ଚିତ୍କାର କରିବାର ଦରକାର କ’ଣ ଥିଲା ?’’

 

ଧୋଇ– ଶୁଣୁ ନାହୁଁ ଏ ଯୁ ଆବାଜ ହଉଚି ଗାଡ଼ିର, ଏଥିରେ ତୁନି କରି କହିଲେ କି କିଛି ଶୁଘିବ !

 

ପ୍ରଫୁଲ୍ଲବାବୁ ତାଙ୍କ ସୁଟକେଶଟା ଫିଟାଇ ତୋଡ଼ାଏ ନୋଟ ଧୋଇବାବୁଙ୍କ ଆଡ଼କୁ ବଢ଼ାଇଦେଲେ । ଧୋଇ ତାକୁ ସେହିପରି ନିଜ ଦି ପକେଟରେ ମୁଠା ମୁଠା କରି ପୂରାଇ ଦେଲେ । କହିଲେ ଏତିକି ?

 

ପ୍ରଫୁଲ୍ଲ– ଶହେ ଟଙ୍କିଆ ଓ ହଜାର ଟଙ୍କିଆ ନୋଟ ହୋଇ ପାଞ୍ଚ ହଜାର ଆଉ କ’ଣ ? ଗଣି ଦେଖନା ! ଟଙ୍କାଗୁଡ଼ାକ ନଗଣି ଏପରି ମାଟି ପରି.....

 

ଧୋଇ– ଚୁପ୍‌ ! ସେ ବିଦ୍ୟା ବାଗୀଶ ପଣିଆ ମୋ ପାଖରେ ଦେଖାଇବାକୁ ହବ ନାହିଁ । ତା’ପରେ ବାଲେଶ୍ୱରରେ ମତେ ନପାଇ ଘରକୁତ ସିଧେ ଯାଇଥାନ୍ତୁ, କଟକରେ ଓହ୍ଲାଇଲୁ କିଆଁ ?

 

ପ୍ରଫୁଲ୍ଲ– ତୁ କ’ଣ ମତେ ବସେଇ ଉଠେଇ ଦେଲୁ ! ତୋ ଲାଗି ....

 

ଧୋଇ– ବୁଝିଚି, ତୁ ସମୁଦ୍ର ଡେଇଁ ଲଙ୍କା ଦହିବୁ । ପଚାରେ, କଟକକୁ କିଆଁ ? ସିଧା କଥାରେ କି ଗୋଟାଏ ସିଧା ଜବାବ ଦେଇ ପାରିବୁ ନାହିଁ ?

 

ପ୍ରଫୁଲ୍ଲ– ଆସୁଥିଲି ସ୍ପଷ୍ଟବାଦୀ କାଗଜର ସମ୍ପାଦକଙ୍କ ସହିତ ଦେଖା କରିବାପାଇଁ ।

ଧୋଇ– ତୋର କି ଦରକାର ତାଙ୍କ ସଙ୍ଗରେ ?

 

ପ୍ରଫୁଲ୍ଲ– ଦରକାର ତ ତୁଇ । ତୁ କୁଆଡ଼େ ଗୋଟାଏ ବଙ୍ଗାଳୁଣୀ ବାହା କରିଚୁ ବୋଲି ସେ ତାଙ୍କ କାଗଜରେ ଲେଖିଥିଲେ ।

 

ଧୋଇ– ତୁ ଯାଇ କରିବୁ କ’ଣ, ତାଙ୍କୁ ଫାଶି ଦବୁ !

 

ପ୍ରଫୁଲ୍ଲ– ନା, ମା କାଗଜରେ ସେ କଥା ପଢ଼ି ବଡ଼ ବ୍ୟସ୍ତ ହୋଇଚନ୍ତି । ମୁଁ କୁହା ବୋଲା କରି ଯଦି କଥାଟା ମିଛ ବୋଲି ପୁଣି ଲେଖାଇ ଦେଇ ପାରେଁ ।

 

ଧୋଇ– କିପରି ? ସେ ଯାହାକୁ ସତ ବୋଲି ଲେଖିଚନ୍ତି ତାକୁ ପୁଣି ମିଛ ବୋଲି ଲେଖିବେ କାହିଁକି ? ତୋର ଏ ବାନ୍ଦର ମୁହଁ ଦେଖି ?

 

ପ୍ରଫୁଲ୍ଲ– ମିଛ ବୋଲି ଲେଖିବେ କାରଣ କଥାଟା ପ୍ରକୃତରେ ମିଛ ।

 

ଧୋଇ– ତା’ମାନେ ତୁ ତାଙ୍କୁ ସତ କଥାଟା କହିବୁ । ମା’ଙ୍କୁ ମଧ୍ୟ ସବୁ କହି ସାରିଚୁ ବୋଧହୁଏ । ତୁ ଯଦି ଏ ସଂସାରରେ ନଥାନ୍ତୁ, ତା’ହେଲେ ଅନେକ ଲୋକଙ୍କର ଦୁଃଖ, କଷ୍ଟ ଓ ଦୁଶ୍ଚିନ୍ତା ବହୁତ କମି ଯାନ୍ତା । ଶୁଣୁ ଏସବୁ କଥା ତୋ ଦିହାତି ହବାର ନୁହେ । ମୁଁ ମଧ୍ୟ ଆସିଚି ସେଇ ଉଦ୍ଦେଶ୍ୟରେ ।

 

ପ୍ରଫୁଲ୍ଲ– ତୁ ସେଇଥିପାଇଁ ଆସିଚୁ ତେବେ ସ, ବାଃ, ବାଃ, ଯାହାହଉ, ମୋ ମୁଣ୍ଡରୁ ଗୋଟାଏ ବୋଝ ଗଲା ।

 

ଧୋଇ– ତୋ ମୁଣ୍ଡରେ ଯେ ଗୋବର ବୋଝ ଅଛି ସେ ତୁ ନ ମରିବା ପର୍ଯ୍ୟନ୍ତ ଯିବାର ନୁହେ । ତୁ ରହିବୁ କେଉଁଠି ?

 

ପ୍ରଫୁଲ୍ଲ– କିଆଁ ? ଆମ ମେଷରେ ?

ଧୋଇ– ମେଷ୍‍ ତୋର ପୋଡ଼ିଯାଉ । ତୁ ରହିବୁ ମୋ ସାଙ୍ଗରେ ଡାକବଙ୍ଗଳାରେ ।

ପ୍ରଫୁଲ୍ଲ– ଡାକବଙ୍ଗଳାରେ ! ଖାଇବି କ’ଣ !

 

ଧୋଇ– କଟକ ଡାକବଙ୍ଗଳାରେ ଖାନସାମା ବେଶ୍‌ ରୋଷେଇ କରି ଜାଣେ । ସେଇଠି ଖାଇବୁ ।

 

ପ୍ରଫୁଲ୍ଲ–ନା ବାବା, ସେ ହବ ନାହିଁ । ସେଉଟା ଯେ ମୁସଲମାନ ।

ଧୋଇ– ନା ହିନ୍ଦୁ ଖାନ୍‍ସାମା ମଧ୍ୟ ଅଛି ।

 

ପ୍ରଫୁଲ୍ଲ– ନାହିଁ, ନାହିଁ ଖାନସାମା ଫାନସାମା କଥା ମୋତେ ସହିବ ନାହିଁ । ଆଉ ତୁ ମତେ ଥଟ୍ଟା କରୁଚୁ । ଡାକବଙ୍ଗଳା ତ ପଛରେ ରହିଲାଣି ।

 

ଧୋଇବାବୁ ଚାହିଁ ଦେଖିଲେ ଗାଡ଼ି ସେତେବେଳକୁ ଆସି ମଙ୍ଗଳାବାଗ ଛକ ଉପରେ ହେଲାଣି । ଧଡ଼କରି ଉଠିପଡ଼ି ଗାଡ଼ି ବାହାରକୁ ମୁହଁ କାଢ଼ି ଡାକିଲେ, ‘‘ଏ ଗାଡ଼ିବାଲା ଗାଡ଼ି ଫେରାଅ’’ ।

 

ଗାଡ଼ି– କାହାଁ ଯାଏଗା ବାବୁ ?

ଧୋଇ– ଆରେ ଯାଏଗା, ଝାଏଗା ରଖିଦେ । ଚାଲ ଡାକବଙ୍ଗଳାକୁ ।

 

ଗାଡ଼ି ଫେରି ଚାଲିଲା । ପ୍ରଫୁଲବାବୁ ଦେଖିଲେ ସତରେ ଡାକବଙ୍ଗଳାରେ ରହିବା ଯୋଗ ହେଲାଣି । କ’ଣ କେତେ ସମୟ ଭାବିଲେ । ତା’ପରେ ଗୋଟାଏ ଦୀର୍ଘ ନିଶ୍ୱାସ ପକାଇଲେ-। ଧୋଇବାବୁ ତାଙ୍କୁ ଚାହିଁ ମୁଡ଼ୁକି ମୁଡ଼ୁକି ହସୁଥାନ୍ତି । ଗାଡ଼ି ଡାକବଙ୍ଗଳାରେ ରହିଲେ, ଧୋଇବାବୁ ଗାଡ଼ିବାଲାକୁ ଚୁକ୍ତି ପଇସାତକ ଦେଇ ବିଦାୟ କଲେ । ତା’ପରେ ଧୋଇବାବୁ କହିଲେ, ‘‘ଏଇ ପାଖରେ କଲେଜ ବୋର୍ଡ଼ିଂ ତ । ମରି ଯାଉଥିଲୁ କିଆଁ ? ଯା ତୁ ତୋର ବୋର୍ଡିଂରେ କାମ ସାରିଆ । ମୁଁ ଏଠି ମୋର କାମ ତୁଟଉଚି । ତା’ପରେ ସମ୍ପାଦକଙ୍କ ପାଖକୁ

 

ଏମାନେ ବାହାରିଲା ବେଳକୁ ପ୍ରାୟ ଦିନ ଦଶଟା । ଖଣ୍ଡେ ଗାଡ଼ି କରି ଓ ଗାଡ଼ିର ଦୁଆର ବନ୍ଦକରି ଦୁହେଁ ବସିଲେ । କିଛି ସମୟ ପରେ ଗାଡ଼ି ଯାଇ ପହଞ୍ଚିଲା ଧୂଳି ବଜାର ଛକ ଉପରେ ଗୋଟାଏ ଦୋତାଲା କୋଠା ପାଖରେ । ପ୍ରଥମେ ଧୋଇବାବୁ ଗାଡ଼ିରୁ ଓହ୍ଲାଇ ତରବର ହୋଇ ଘର ଭିତରକୁ ପଶିଗଲେ । ତାଙ୍କ ପଛରେ ଧୀରେ ସୁସ୍ଥେ ଗଲେ ପ୍ରଫୁଲବାବୁ ।

 

ସ୍ପଷ୍ଟବାଦୀ କାଗଜ ଓଡ଼ିଶାର ଗୋଟିଏ ମୁଖ୍ୟ କାଗଜ । ଗାନ୍ଧି ଦଳିଆ ହେଲେ କ’ଣହବ କାଗଜର ଲେଖା ଢଙ୍ଗ ଓ ପୂର୍ବ ପୁରୁଷର ସୁନାମ ହେତୁରୁ ତାହାର କାଟତି ଓଡ଼ିଶାରେ ଅନ୍ୟ କାଗଜମାନଙ୍କଠାରୁ ବେଶୀ । ସ୍ପଷ୍ଟବାଦୀ ଛାପାଖାନାରୁ ବାହାରେ । ତଳ ମହଲାରେ ଛାପାକଳ, କମ୍ପୋଜିଟରମାନଙ୍କର ବସିବାର ସ୍ଥାନ ଇତ୍ୟାଦି । ଏଇ ମହଲାର ଗୋଟାଏ ବଖରା ମଧ୍ୟ ଅଫିସ ଘର । ମେନେଜର କୃଷ୍ଣବାବୁ ଏଠାରେ ବସି ତାଙ୍କର ହୁକୁମ ଜାରି କରନ୍ତି । ସମ୍ପାଦକ ମହାଶୟ ଉପରେ ଥାନ୍ତି । ପାଖରେ ଗୋଟାଏ ମେଷରେ ମୁଠେ ମୁଠେ ଖାନ୍ତି ଓ ଏଇ ଉପର ମହଲାରେ ପଡ଼ିଥାନ୍ତି । ଛାପାଖାନାର କର୍ମୀମାନେ ସମ୍ପାଦକଙ୍କୁ ପଚାରନ୍ତି ନାହିଁ କି ବୁଝନ୍ତି ନାହିଁ ।

 

ମେନେଜର ସର୍ବେ ସର୍ବା । ତେବେ ମେନେଜରଙ୍କ କଡ଼ା ଶାସନରେ କର୍ମିମାନେ ବେଶୀ ରାଗିଗଲେ ସମ୍ପାଦକ ବିଚାରାଙ୍କୁ ତାତିଲା ନିଆଁରେ ପାଣି ପକାଇବାକୁ ଡାକ ପଡ଼େ । କର୍ମିମାନଙ୍କଠାରୁ ବକା କଢ଼ା ଶୁଣିବାର ଓ ସେମାନଙ୍କୁ ଖୋସାମୋଦ, ତୋଷାମୋଦ କରିବାର ଭାର ସମ୍ପାଦକଙ୍କର କିନ୍ତୁ କର୍ମିମାନଙ୍କୁ ବକା କଢ଼ା କରିବାର ଓ ମାଡ଼ମାରିବାର ଭାର ମେନେଜରଙ୍କର । ସମ୍ପାଦକ ମହାଶୟ ଓଡ଼ିଶାର ଜଣେ ବଡ଼ ପାଠୁଆ । ନାମ ଗୋରାଚାନ୍ଦବାବୁ । ନାମ ଅନୁସାରେ ବର୍ଣ୍ଣଟା ମଧ୍ୟ ପାଇଚନ୍ତି ତୋଫାଗୋରା । ପୃଥିବୀରେ ନାହିଁ ନଥିବ ସେ ତୋଫାଗୋରା ସେ ବର୍ଣ୍ଣ । ଗୋଲ ଗାଲ, ମୋଟା ମୋଟି ଥାକୁଲା ଥାକୁଲା, ଦିହଟି କିନ୍ତୁ ଦେଖିବାକୁ ବେଶ୍‌ ବଳିଦେଲାପରି ପିଟିଦେଲାପରି ‘‘ବେଶ୍‌ତ ଡେଙ୍ଗା ପ୍ରାୟ ଫୁ୫।୪’’ରୁ କମ୍ ଉଚ୍ଚ ନୁହନ୍ତି । ଦେହରେ ଜୋର ମଧ୍ୟ ଅଛି ବେଶ୍‌ । ବୟସ ଅନ୍ଦାଜ ୪୦ର ସେ ପାଖ । ମୁଣ୍ଡର ଗୋଟିଏ ଗୋଟିଏ ବାଳ ଧଳା ହୋଇ ଆସୁଚି । ଉପର ମହଲା ବରଣ୍ଡାରେ ଖଣ୍ଡେ ସଉପ ମସିଣା ପକାଇ ଓ ଛାତିଟା ତଳେ ଗୋଟାଏ ତକିଆ ଉପରେ ଭରା ଦେଇ ସେ ଲମ୍ବାହୋଇ ପଡ଼ିଚନ୍ତି ଏବଂ ଗୋଟାଏ ଅଜାଙ୍କ ଅମଳର ଝରଣା କଲମରେ କ’ଣ ଗୁଡ଼ାଏ ଲେଖୁଚନ୍ତି । ପଣ୍ଡିତ ଲୋକ । କଲମ ଧରି ବସିଲେ କଲମ ମୁନରୁ କାଳି ଶୁଖିବାକୁ ଦେବେ ନାହିଁ । କିନ୍ତୁ କଲମଟି ଧରିବା ମୁଷ୍କିଲ । ଏପରି ଅଳସୁଆ ବୋଧହୁଏ ଆଉ କେହି ନାହିଁ । ଲୋକେ କହନ୍ତି ଗୋରାବାବୁ ଇଚ୍ଛାକଲେ ଓଡ଼ିଆ ଗାନ୍ଧି ଦଳଙ୍କ ଭିତରେ ଜଣେ ବିଶିଷ୍ଟ ନେତା ହୋଇ ପାରନ୍ତେ । ଟିକିଏ ଚେଷ୍ଟାକଲେ ଓଡ଼ିଶା ସାହିତ୍ୟରେ ଗୋଟାଏ ନାମଜାଦା ଆସନ ପାଇ ପାରନ୍ତେ । କିନ୍ତୁ ସେଇ ଇଚ୍ଛା ଟିକକ, ସେଇ ଚେଷ୍ଟା ଟିକକ ତାଙ୍କ ଠାରୁ ବାହାର ହବା ବଡ଼ କଷ୍ଟ । ନବୁଝି, ଅବୁଝା ହବ ଯେ ଜାଣି ଅଜାଣୁଆ ହବ, ତାକୁ ବୁଝାଇବା ଜଣାଇବା ବଡ଼ କଷ୍ଟ । ତେବେ ବିଦ୍ୟାରେ ଯେଉଁମାନେ ତାଙ୍କର ଗୋଡ଼ ଧୋଇବାକୁ ସରି ହେବେ ନାହିଁ, ସେମାନେ ସାହିତ୍ୟ କ୍ଷେତ୍ରରେ ଆସ୍ଫାଳନ କଲାବେଳେ ସଭା ସମିତିରେ ଗର୍ଜନ ତର୍ଜନ କଲାବେଳେ, ୟାଙ୍କ କଥା ଭାବି କେତେକଙ୍କ ମନରେ କଷ୍ଟହୁଏ । ସେ ନୀରବରେ ଦେଶପାଇଁ ଅନେକ କାମ କରିଛନ୍ତି-। କିନ୍ତୁ ତାଙ୍କ ପକ୍ଷରେ ନୀରବ ରହିବା ଦେଶ ଦ୍ରୋହିତା ।

 

ଧୋଇବାବୁ ସିଧେ ସିଧେ ସଦାନନ୍ଦଙ୍କ ପାଖକୁ ଉଠିଗଲେ । ସିଡ଼ି ଉପରେ ତାଙ୍କର ଦୁମ ଦୁମ ପାଦ ଶବ୍ଦ ଶୁଣି ସଦାନନ୍ଦ ମହାଶୟ ଏଣ୍ଡୁଅ ଭଳି ମୁଣ୍ଡ ଟେକି ଚାହିଁଲେ । ଧୋଇବାବୁଙ୍କର ମୁଣ୍ଡଟା ମାତ୍ର ଦେଖା ଯାଉଥିଲା । ବିଶ୍ୱାସ କରି ପାରିଲେ ନାହିଁ ନିଜ ଆଖିକି । ଧୋଇବାବୁ ସିଡ଼ି ପାର ହୋଇ ତାଙ୍କ ପାଖକୁ ଆସିଲେ, ସେ ଉଠି ବସିଲେ । କହିଲେ, ‘‘ଆରେ ଧୋଇବାବୁ ଯେ ! ନମସ୍କାର, ନମସ୍କାର ଭାଇ । ବସ ବସ, ବେଶ୍‍ ଆନନ୍ଦର କଥା । କିନ୍ତୁ ଏପରି ଲୁଚେଇ ଚୋରେଇ କରିବାରେ କି ଦରକାର ଥିଲା ?’’

 

ଧୋଇ– ଲୁଚେଇ ଚୋରେଇ ? ଲୁଚେଇ ଚୋରେଇ କରିବାର ଅଭ୍ୟାସ ସମ୍ବାଦ କାଗଜ ସମ୍ପାଦକମାନଙ୍କର । ମୋର ନୁହେଁ । କାମ-ଦାମ କିଛି ନାହିଁ । ହାତରେ ମଲା କଙ୍କଡ଼ା ଲେଉଟିବ ନାହିଁ । ଯେତକ ଅକର୍ମ ଅକାମୁକା, କୋଢ଼ି ସମସ୍ତେ ଏକାଠି ହୋଇ ଖଣ୍ଡେ କାଗଜରେ ଦି ଧାଡ଼ି ମିଛ ଲେଖିଦେଇ ବୋଲନ୍ତି କ’ଣ ନା, ଆମେ ସମ୍ପାଦକ ଆମେ ଦେଶ ସେବକ ।

 

ସମ୍ପାଦକ ମହାଶୟ କିଛି ବୁଝି ପାରିଲେ ନାହିଁ । ବକା ଖାଇବା ତାଙ୍କର ଅଭ୍ୟାସ । ଦିନକର ଥରେ ଅଧେ କାହାରିଠାରୁ ବକା ନ ଶୁଣିଲେ ତାଙ୍କ ମନଟା କିପରି ସୁନ୍ତୁରୁ ପୁନ୍ତୁରୁ ହୁଏ । କିନ୍ତୁ ଖାଲି ପେଟୁଟାରେ ଅଗାଧୁଆଟାରେ ବକା ଶୁଣିବା ବଡ଼ କଷ୍ଟ । ସେ କହିଲେ, ‘‘ମୋର କି ଦୋଷ, ତୁଇ, ଯେ ମୋ ଉପରେ ଏ ଗାଳିଗୁଡ଼ାକ।’’

 

ଧୋଇବାବୁ ପକେଟରୁ କାଢ଼ି ସେ ଦିନର ସ୍ପଷ୍ଟବାଦୀ କାଗଜ ଖଣ୍ଡେ ବଢ଼ାଇ ଦେଲେ । ଗୋରାବାବୁଙ୍କ ଆଖି ଧୋଇବାବୁଙ୍କ ବିବାହ ପ୍ରସଙ୍ଗ ଉପରେ ପଡ଼ିଲା । ସେ କିଛି ବୁଝି ପାରିଲେ ନାହିଁ । ତା’ପରେ କ’ଣ ଭାବି କହିଲେ,‘‘କିନ୍ତୁ ଭାଇ, ତୁମେ ହେଲ ଓଡ଼ିଶାର ଜଣେ କୃତ ସନ୍ତାନ ଆଉ ତୁମେ କରି ବସିଚ ଗୋଟାଏ ଭଲ କାମ । ସମ୍ବାଦିକ ଭାବରେ ତୁମର ଏପରି ମଙ୍ଗଳ କଥା–’’

 

ଧୋଇ– ମଣିଷର ମନ ଠିକ୍‌ ଥିଲେ ସେ ସିନା କଥା ବୁଝେ ଭଲ ମନ୍ଦ ବାରେ । ସବୁବେଳେ ଟେଳେ ଟେଳେ ଭାଙ୍ଗ ଖାଇ ଯେ ହବ ଭୋଳାମହାଦେବ ସେ ଭଲ ମନ୍ଦ ସତ କିଛି ବୁଝିବ କିପରି ?

 

ଗୋରା– ଯାଃ, କ’ଣଗୁଡ଼ାଏ ଯେ ତୁମେ କହ ଧୋଇବାବୁ । ହୋଇପାରେ, ଯେ ତୁମକୁ ନ ପଚାରି କଥାଗୁଡ଼ାକ କରିଦେଇ ତୁମକୁ ଟିକିଏ ଅସୁବିଧାରେ ପକେଇଥିବି । ବୋଧହୁଏ କଥାଟା ଲୁଚାଇବାରେ ତୁମର କୌଣସି ଉଦ୍ଦେଶ୍ୟ ଥାଇ ପାରେ । କିନ୍ତୁ ଭାଇ, ଏତେ ବଡ଼ ଖବରର ସନ୍ଧାନ ପାଇ ତାକୁ ପ୍ରକାଶ ନକରି ଥିଲେ ଆମ୍ଭେମାନେ ନିଜ ଠାରେ ଓ ନିଜ ବ୍ୟବସାୟ ଠାରେ ଦୋଷି ହୋଇଥାନ୍ତୁ ।

 

ଧୋଇ– ତୁମେ ପୋଡ଼ିଯାଅ, ତୁମର ବ୍ୟବସାୟ ପୋଡ଼ିଯାଉ । ମୋର ତ ମନେହୁଏ ଖଣ୍ଡେ ଦିଆସିଲି ମାରି ତୁମର ଏ କାଗଜ ଗଦା ଉପରେ ପକାଇ ଦିଅନ୍ତି । ଆଉ ଦେବି ମଧ୍ୟ, ତୁମେ ଯଦି ମତେ ନିତାନ୍ତ ବିରକ୍ତ କର । କହି ପକେଟରୁ ଗୋଟାଏ ଦିଆସିଲି ପେଡ କାଢ଼ିଲେ । ସେଥିରୁ ଖଣ୍ଡେ କାଠ ବାହାରକରି ଧଇଲେ । ଗୋରାବାବୁ ବ୍ୟସ୍ତ ହୋଇ ଉଠିପଡ଼ି କହିଲେ ‘‘ଆରେ କରୁଚ କ’ଣ ? କରୁଚ କ’ଣ ? ଦିଆସିଲିଟା ପକେଟରେ ରଖ ! ପକେଟରେ ରଖ !’’

 

ଧୋଇ– ତା ହେଲ ତୁମେ ସ୍ୱିକାର କରୁଚ ଯେ କଥାଟା ମିଛ !

ଗୋରା– କଥାଟା ମିଛ, ? କୋଉ କଥା ।

ଧୋଇ– ଯୁ ମିଛ କଥା ତୁମେ କାଗଜରେ ଛାପିଚ ।

ଗୋରା– ମିଛ, ତୁମର ବିବାହ କଥା ମିଛ ?

 

ଧୋଇ– ବରାବର, ଅଗରୁ ଶେଷ ଯାଏ ସବୁ ମିଛ । ବିଶ୍ୱାସ ନହୁଏ ପ୍ରଫୁଲ୍ଲକୁ ପଚାରି ପାର ।

 

ଗୋରା– କିନ୍ତୁ ଆମ୍ଭେମାନେ ଯେ ଖୁବ୍‌ ବିଶ୍ୱସ୍ତ ସୂତ୍ରରୁ ବୁଝିଚୁଁ ଏକଥା ଠିକ୍‍ ।

ଧୋଇ– ତୁମର ବିଶ୍ୱସ୍ତ ସୂତ୍ରଟା କିଏ ?

ଗୋରା– ତା ମୁଁ କହି ପାରିବି ନାହିଁ ।

ଧୋଇ– ମୁଁ କହିବି ? ସଦାଶିବବାବୁ ।

 

ଗୋରା– ତୁମେ କିପରି ଜାଣିଲ ? ଆରେ ନା, ନା, ସଦାଶିବବାବୁ କି ଆଉ କିଏ ସେ କଥା ମୁଁ କହିବାକୁ ମୋଟେ ରାଜି ନୁହେ ।

 

ଧୋଇ– ତୁମ ରାଜି ଅରାଜିରେ କିଛି ମାତ୍ର ଆସେ ନହିଁ । ଏ ତୁମ ବିବାହଘର କଥା ନୁହେ ଯେ ତୁମ ରାଜି ଅରାଜି ଖୋଜାହବ । ଆଉ କଥାଟା ମାନିଯାଇ ତା’ପରେ ତାକୁ ଘୋଡ଼ାଇବାରେ କିଛି ମାତ୍ର ଫଳ ନାହିଁ । ସଦାଶିବବାବୁ କହିଲେ ସତ, କିନ୍ତୁ ୟେତ ତାଙ୍କ ବାହାଘର କଥା ନୁହେ । ମୋର, ମୁଁ କହୁଚି ମିଛ ।

 

ଗୋରା– କିନ୍ତୁ ସଦାଶିବବାବୁ ତୁମ ନା’ରେ ଏପରି ମିଥ୍ୟା କଥା କାହିଁକି ଯେ କହିବେ ତାତ ମୁଁ ବୁଝିପାରୁ ନାହିଁ ।

 

ଧୋଇ– ତୁମ ବୁଝିବାର କିଛି ମାତ୍ର ଦରକାର ନାହିଁ । ପ୍ରକୃତରେ କହିବାକୁ ଗଲେ ମୁଁ ମଧ୍ୟ କଥାଟା ଏପର୍ଯ୍ୟନ୍ତ ଠିକ୍‌ ଧରି ପାରି ନାହିଁ । ଦେଖି ଏହା କହି ସେ କାଗଜ ଖଣ୍ଡ ଉଠାଇନେଲେ-। ସେହି ଅଂଶଟା ପୁଣି ଥରେ ପଢ଼ିଲେ। ‘‘ସେମାନଙ୍କୁ ହୁଏତ ପୈତୃକ ସମ୍ପତ୍ତିରୁ ବଞ୍ଚିତ ହେବାକୁ ପଡ଼ିପାରେ । ଏଇ ଧାଡ଼ି ଉପରେ ତାଙ୍କର ଆଖି ଲାଗି ରହିଲା । ଥରେ ପଢ଼ିଲେ, ଦୁଇ ଥର ପଢ଼ିଲେ । ତା’ପରେ ଚଟ କରି ବୁଲିପଡ଼ି ପ୍ରଫୁଲ୍ଲବାବୁଙ୍କୁ ପଚାରିଲେ, ‘‘ତୁ ଏହାର କ’ଣ ଜାଣୁ’’ ?

 

ପ୍ରଫୁଲ୍ଲବାବୁ ଚମକି ପଡ଼ିଲେ । ତାଙ୍କ ଜିଭଟା କାମୁଡ଼ି ହୋଇଗଲା । ସେ କହିଲେ, ‘‘ଆରେ ରାମ, ରାମ, ତୁ ମଣିଷକୁ ଏପରି ଚମକାଉ କିଆଁରେ ? ଧୋଇବାବୁ ଆଉ ତାଙ୍କୁ କିଛି ନ ପଚାରି କହିଲେ, ‘‘ବୁଝିଲେ ଗୋରାବାବୁ ଏହା ମଧ୍ୟରେ ଅନେକ ରହସ୍ୟ ଅଛି । ମୁଁ ପରେ ସେସବୁ ତୁମକୁ ଲେଖି କରି ଦେବି । ବାଗେଇ ଜାଣିଲେ ଗୋଟିଏ ଭଲ ଉପନ୍ୟାସ ହବ । ବର୍ତ୍ତମାନ ଏତିକି ଜାଣିରଖ, ତୁମେ ଏ କାଗଜରେ ଯାହାସବୁ ଲେଖିଚ, ସେସବୁ ଏକା ବେଳକେ ମିଛ । ଏହାର କି ପ୍ରତିକାର ତୁମେ କରିବାକୁ ଯାଉଚ ?

 

ଗୋରା– ପ୍ରତିକାର ଆଉ କ’ଣ ? ତୁମେ ଯେତେବେଳେ କହୁଚ କଥା ମିଛ, ଆମେ କାଗଜରେ ଲେଖିଦେବୁଁ ଯେ ସମ୍ବାଦଟା ମିଛ, ଆଉ ସେଥିପାଇଁ ତୁମ ପାଖରେ କ୍ଷମା ପ୍ରାର୍ଥନା କରିବୁଁ ।

 

ଧୋଇ– ତୁମ କ୍ଷମା ପ୍ରାର୍ଥନାରେ ମୋ ଘଡ଼ା ଭର୍ତ୍ତି ହବ ନାହିଁ । କିନ୍ତୁ ମିଛ ବୋଲି ଖବରଟା କାଲି କାଗଜରେ ବାହାରିବା ଦରକାର ।

 

ଗୋରା– କାଲି କାଗଜରେ ? ସେତ ହୋଇପାରୁ ନାହିଁ । କାଲି କାଗଜପାଇଁ ଯାହାସବୁ ଲେଖାହେବ, ସେତ ପ୍ରେସକୁ ଚାଲି ଗଲାଣି । ଇଲେ ତ ଆଉ ବଦଳି ନପାରେ ।

 

ଧୋଇ– ବଦଳେଇବାକୁ ହବ । ତା ନହେଲେ ମୁଁ ତୁମର ପ୍ରେସ ଫ୍ରେସ ସବୁ ଚୂନା କରିଦେବି ।

 

ଗୋରା– ଆଛା, ମୁଁ କୃଷ୍ଣକୁ ଡାକେଁ । ତା’ପରେ ହୁରିକଲେ, ‘‘କୃଷ୍ଣ କୃଷ୍ଣ’’ ! କୃଷ୍ଣବାବୁ ଓପର ମହଲାରେ ଆର ଘରଟାରେ ବସିଥିଲେ । ସେ ଉଠିଆସି କହିଲେ, କିଆଁ ଗୋଟାଏ ମାଡ଼ ମାଇଲା ଭଳି ଡାକ ପକେଇଚ କିଓ ?’ ଗୋରାବାବୁ ତାଙ୍କୁ ସବୁ କଥା ଖୋଲି କହିଲେ । କୃଷ୍ଣବାବୁ ମୁଣ୍ଡ ହଲେଇ ଜବାବ ଦେଲେ । ସେତ ହଉ ନାହିଁ । ତୁମେ ବୁଝିପାରୁ ନାହଁ । ଯେ ଆମକୁ ବିବାହ ଖବର ଦେଲେ ସେ କହନ୍ତି ଏ କଥାତ ସତ । ତାଙ୍କୁ ମୁଁ ପଚାରିଥିଲି । ସେ କହିଥିଲେ ଦରକାର ପଡ଼ିଲେ ମୁଁ ଏକଥା ପ୍ରମାଣ କରିପାରେ । ଧୋଇବାବୁ କହୁଚନ୍ତି ଏକଥା ମିଛ । ଆମେ କାହା କଥା ସତ କରିବୁଁ ?

 

ଗୋରା– କିନ୍ତୁ ଧୋଇର ବାହାଘର । ସେ ଯଦି କହେ ମିଛ ବୋଲି....

 

କୃଷ୍ଣ– ବିବାହରେ ଧୋଇତ ସବୁ ନୁହନ୍ତି । ଆଉ ଗୋଟାଏ ପକ୍ଷ ଯେ ଅଛି । କନ୍ୟା ପକ୍ଷ । ଏପରି ହୋଇପାରେ ଯେ ଧୋଇବାବୁ କୌଣସି କାରଣରୁ ଏ ବଙ୍ଗାଳୁଣୀକୁ ବାହା କରିଚନ୍ତି, କିନ୍ତୁ ପରେ ତାଙ୍କ ମନରେ ଏ ବିବାହ ପ୍ରତି ବିରକ୍ତି ଆସିଚି । ସେ ଫାଙ୍କିଦେବେ ବୋଲି ବର୍ତ୍ତମାନ କହି ପାରୁ ଥାନ୍ତି ଯେ ବିବାହଟା ମିଛ । ତା’ହେଲେ କ’ଣ ହବ ବୁଝିଚନ୍ତି ତ ? ଆମେ ଯଦି କଥାଟା ମିଛ ବୋଲି ଲେଖିଦେଉଁ ତା’ହେଲେ କନ୍ୟା ପିତା ଆମ ନା’ରେ ନାଲିଶ କରି ପାରେ ।

 

ଧୋଇ– ଆଉ ଭାବିଚକି, କଥାଟା ମିଛ, ମିଛ ଖବର ମୋ ନା’ରେ ଦେଇଚ ବୋଲି ମୁଁ ମଧ୍ୟ ନାଲିଶି କରିପାରେ !

 

କୃଷ୍ଣ– ଏମିତି ନାଲିଶ ହବ, ସେମିତି ନାଲିଶି ହବ । ଆମେ ତା’ହେଲେ ଗୋଟାଏ କଥା କାଟି, ଆଉ ଗୋଟାଏ କଥା ଲେଖିବାକୁ ଯିବୁ କିଆଁ ?

 

ଧୋଇ– ଯିବ କିଆଁ ? ଏଇ କଥା ଟିକକପାଇଁ ଯେ, ତୁମେ ଯଦି ଏହାକୁ କାଲି କାଗଜରେ ମିଛ ବୋଲି ନ ଲେଖ, ତା’ହେଲା ମୁଁ ତୁମର ଛାପାଖାନାମୟ ତୁମ ଦୁହିଙ୍କୁ ବିକ୍ରି କରିବି ବିଚି ଅଦାଲତରେ ।

 

ଗୋରା– ଆହା, ଆହା, ରାଗୁଚ କାହିଁକି ଧୋଇବାବୁ । ଆଚ୍ଛା କୃଷ୍ଣବାବୁ, ସାପ ମରିବ ନାହିଁ, ବାଡ଼ି ଭାଙ୍ଗିବ ନାହିଁ ଏପରି ଉପାୟରେ କିଛି ଲେଖା ଯାଇ ପାରେ ନାହିଁ ! ଯହିଁରେ ଧୋଇବାବୁ ଜିଗର ବି ରକ୍ଷାହବ, ଆଉ ଅପର ପକ୍ଷ ମଧ୍ୟ କିଛି କରି ପାରିବ ନାହିଁ ଆମର ।

 

କୁଷ୍ଣ– ସେ କିପରି ? ଲେଖତ ଦେଖି ?

 

ଗୋରାବାବୁ ଟିକିଏ ବସି ଭାବିଲେ । ତା’ପରେ ଲେଖିଲେ, ‘ଆମ୍ଭେମାନେ ତା ରିଖର କାଗଜରେ ଓଡ଼ିଶାର କୃତଶିଳ୍ପୀ ପରମାନନ୍ଦ ଓରଫ ଧୋଇବାବୁଙ୍କ ବିବାହ ସମ୍ବନ୍ଧରେ ଯାହା ଲେଖିଥିଲୁଁ, ବର୍ତ୍ତମାନ ବୁଝୁଚୁଁ ଯେ ସେ କଥା କୁଆଡ଼େ ସତ ନୁହେ । ଖୁବ୍‌ ବିଶ୍ୱସ୍ତ ସୂତ୍ରରୁ ଖବର ମିଳେ ଯେ ଧୋଇବାବୁ କୌଣସି ବିଦେଶିନୀ ଯୁବତୀ ଅଥବା ପ୍ରମଥବାବୁଙ୍କ କନ୍ୟାଙ୍କୁ ବିବାହ କରି ନାହାନ୍ତି । ଏ ଦୁଇ ଖବର ମଧ୍ୟରୁ କେଉଁଟା ସତ୍ୟ ତାହା ଆମ୍ଭେମାନେ କହିବାକୁ ଅକ୍ଷମ । ଯେପରି ଜଣାଯାଏ ଏହା ମଧ୍ୟରେ କିଛି ରହସ୍ୟ ଅଛି । ଆମ୍ଭେମାନେ ପୁଣି ଅନୁସନ୍ଧାନ ଲଗେଇଚୁଁ । ସବିଶେଷ ବିବରଣ ପରେ ଦିଆଯିବ ।’’ ଲେଖି କାଗଜ ଖଣ୍ଡେ କୃଷ୍ଣବାବୁଙ୍କୁ ବଢ଼ାଇ ଦେଲେ । କୃଷ୍ଣବାବୁ ପଢ଼ି କହିଲେ, ‘‘ଧୋଇବାବୁ ଯଦି ଏଥରେ ସନ୍ତୁଷ୍ଟ ହୁଅନ୍ତି, ତା’ହେଲେ ଆମର କୌଣସି ଆପତ୍ତି ନାହିଁ ।’’ ଧୋଇ ମଧ୍ୟ କାଗଜ ଖଣ୍ଡି ନେଇ ପଢ଼ିଲେ । କହିଲେ, ‘‘ହଁ, ଏଇତକ ବର୍ତ୍ତମାନପାଇଁ ଯଥେଷ୍ଟ । କିନ୍ତୁ ଛାପାଟା କାଲି କାଗଜରେ ବାହାରିବା ଦରକାର ।’’ ଗୋରାବାବୁ କୃଷ୍ଣବାବୁଙ୍କ ଆଡ଼କୁ ଚାହିଁଲେ । କୃଷ୍ଣବାବୁ କହିଲେ, ‘‘କରାଯାଇ ପାରେ । କାଲି କାଗଜରେ ବାହାରିବ ।’’

 

ଧୋଇ– ମୁଁ ଏହାର ଗୋଟାଏ କାଗଜ ଆଜି ସନ୍ଧ୍ୟା ବେଳକୁ ପାଇ ପାରେଁ ?

 

କୃଷ୍ଣ– ଆଜି ସନ୍ଧ୍ୟା ବେଳକୁ ? ତା’ହେଲେ କମ୍ପୋଜିଟର ଇତ୍ୟାଦିଙ୍କୁ ବେଶୀ ସମୟ ଖଟାଇବାକୁ ପଡ଼ିବ । ତା’ର ପଇସା ଦବ କିଏ ?

 

ଧୋଇ– କେତେ ?

କୃଷ୍ଣବାବୁ ଟିକିଏ ବିଚାରି କହିଲେ ହାରାହାରି ଦଶ ଟଙ୍କା ।

ଧୋଇବାବୁ ତଥାସ୍ତୁ କହି ଦଶୋଟି ଟଙ୍କା ତାଙ୍କୁ ଦେଇ ବିଦାୟ ହେଲେ ।

Image